ମମତା ଜନ୍ମରୁ ବିଦ୍ରୋହୀ: ପ୍ରଣବ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜନ୍ମରୁ ବିଦ୍ରୋହୀ ଥିଲେ। ଏହାକୁ ଭିତ୍ତି କରି ସେ ନିର୍ଭୀକ ଭାବରେ ନିଜ ରାଜନୈତିକ ଭବିଷ୍ୟତ ଗଠନ କରିଥିଲେ ବୋଲି କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଏପରିକି ଅତୀତରେ ଥରେ ମମତା ଏକ ବୈଠକରୁ କିଭଳି ଅତର୍କିତ ଉଠିଯାଇ ସେଠାରେ ଉପସ୍ଥିତ ଥିବା ପ୍ରଣବଙ୍କୁ ଅପମାନିତ କରିବା ସହ ଅଡୁଆରେ ପକାଇଥିଲେ ବୋଲି ସେ ନିଜ ଆତ୍ମଜୀବନୀ ପୁସ୍ତକ ‘ଦ କୋଲିସନ୍‌ ଇୟର୍ସ: ୧୯୯୬-୨୦୧୨’ରେ ଉଲ୍ଲେଖ କରିଛନ୍ତି।

ପ୍ରଣବ ଲେଖିଛନ୍ତି ଯେ ମମତାଙ୍କର କିଛି ସ୍ୱତନ୍ତ୍ର ଗୁଣ ଥିଲା ଯାହା ବୁଝାଇ ପ୍ରକାଶ କରିବା କଷ୍ଟକର। ସେହିପରି ତାହାକୁ ମଧ୍ୟ ଅଣଦେଖା କରିବା ଏକ କଷ୍ଟକର ବ୍ୟାପାର। ମମତାଙ୍କୁ ବିଦ୍ରୋହର ପ୍ରତୀକ ଭାବେ ଚିତ୍ରଣ କରି ଏକ ଘଟଣା ମଧ୍ୟ ଉଲ୍ଲେଖ କରିବାକୁ ପ୍ରଣବ ଭୁଲିନାହାନ୍ତି। ୧୯୯୨ ମସିହାରେ ପଶ୍ଚିମବଙ୍ଗ କଂଗ୍ରେସର ସାଂଗଠିକ ନିର୍ବାଚନ ବେଳର ଏକ ଘଟଣାକୁ ମନେ ପକାଇ ତାହା ହିଁ ମମତାଙ୍କ ବିଚାରଧାରାକୁ ବୁଝାଇବ ବୋଲି ପ୍ରଣବ କହିଛନ୍ତି। ମମତାଙ୍କ ସମେତ ପଶ୍ଚିମବଙ୍ଗର ଅନ୍ୟ ବରିଷ୍ଠ କଂଗ୍ରେସ ନେତାମାନେ ସହମତି ଭିତ୍ତିରେ ଦଳୀୟ ନିର୍ବାଚନ ଚାହୁଛନ୍ତି ବୋଲି ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଏଭଳି ପ୍ରକ୍ରିୟା ଦଳୀୟ ଶୃଙ୍ଖଳା ଏବଂ ଭାବମୂର୍ତ୍ତିରେ ରେ ଆଞ୍ଚ ଆଣିବା ଆଶଙ୍କା କରି ମମତାଙ୍କ ସହ କଥାବାର୍ତ୍ତା କରି ସମାଧାନର ସୂତ୍ର ବାହାର କରିବା ଲାଗି ତତ୍କାଳୀନ କଂଗ୍ରେସ ମୁଖ୍ୟ ତଥା ପ୍ରଧାନମନ୍ତ୍ରୀ ପି. ଭି. ନରସିଂହ ରାଓ ପ୍ରଣବଙ୍କୁ ଦାୟିତ୍ୱ ଦେଇଥିଲେ।

ତେଣୁ ଏ ସମ୍ପର୍କରେ ଆଲୋଚନା ପାଇଁ ପ୍ରଣବ ଦିନେ ସକାଳେ ମମତାଙ୍କୁ ବରିଷ୍ଠ ନେତାମାନଙ୍କର ଏକ ବୈଠକକୁ ଆସିବାକୁ ଅନୁରୋଧ କରିଥିଲେ। ବୈଠକରେ ଆଲୋଚନା କାଳରେ ମମତା ହଠାତ୍‌ ଚିହିଁକି ଉଠି ପ୍ରଣବ ସମେତ କିଛି ନେତା ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ଚଳାଇଛନ୍ତି ବୋଲି ଆକ୍ଷେପ କରିଥିଲେ। ନିର୍ବାଚନ ନକରି ସାଂଗଠନିକ ପଦପଦବି ବଡ଼ବଡ଼ିଆମାନେ ବାଣ୍ଟିନେଉଛନ୍ତି ବୋଲି ମମତା ଅଭିଯୋଗ ଆଣିଥିଲେ। ପ୍ରଣବ ମମତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ ସେ ଗୋପନ ନିର୍ବାଚନ ଦାବି କରିବା ସହ ବୈଠକ ଛାଡ଼ି ପଳାଇଥିଲେ ଯାହା କି ପ୍ରଣବକୁ ଖୁବ୍‌ ବ୍ୟଥିତ କରିଥିଲା।

ପରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ମମତା ସୋମେନ ମିତ୍ରଙ୍କ ଠାରୁ ହାରିଯାଇଥିଲେ। ଫଳାଫଳ ଘୋଷଣା ବେଳେ କ୍ଷୁବ୍ଧ ମମତା ପ୍ରଣବଙ୍କ ପାଖକୁ ଆସି ଆପଣ ଏଥର ଖୁସି ତ, ମୋତେ ହରାଇବାର ଅଭିଳାଷ ଆପଣଙ୍କର ପୂରଣ ହେଲା କି ବୋଲି କହିଥିଲେ। ଏହା ପ୍ରଣବଙ୍କୁ ଭାରି ବାଧିଥିଲା।

ସମ୍ବନ୍ଧିତ ଖବର