ରାଜ୍ୟସଭା ଯିବେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇ, ମନୋନୀତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ପୂର୍ବତନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏ ସଂପର୍କରେ ସରକାରୀ ଗେଜେଟରେ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଜଷ୍ଟିସ ଗୋଗୋଇ ଗତ ନଭେମ୍ବର ୨୦୧୯ରେ ଅବସର ଗ୍ରହଣ କରିଥିଲେ । ନିଜର ୧୩ ମାସର କାର୍ଯ୍ୟକାଳରେ ସେ ଅଯୋଧ୍ୟା ରାୟ ପ୍ରଦାନ କରି ଚର୍ଚ୍ଚାରେ ରହିଥିଲେ । ସେହିପରି ରାଫେଲ ମାମଲାରେ କଂଗ୍ରେସ ପକ୍ଷରୁ ଆଗତ ପିଟିସନକୁ ସେ ଖାରଜ କରିଦେଇଥିଲେ ।

ଜଣେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସଂସଦ ସଦସ୍ୟ କିମ୍ବା ଅନ୍ୟ ରାଜନୈତିକ ପଦବୀ ଗ୍ରହଣ କରିବା ନୂଆ ନୁହେଁ । ପୂର୍ବରୁ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଙ୍ଗନାଥ ମିଶ୍ର କଂଗ୍ରେସ ତରଫରୁ ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ସେହିପରି ଆଉଜଣେ ପୂର୍ବତନ ପ୍ରଧାନ ବିଚାରପତି ପି. ସଦାଶିବମଙ୍କୁ ମୋଦୀ ସରକାର କେରଳର ରାଜ୍ୟପାଳ ନିଯୁକ୍ତ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ସଂସଦର ଉଚ୍ଚ ସଦନ ରାଜ୍ୟସଭାର ମୋଟ ସଦସ୍ୟ ସଂଖ୍ୟା ୨୫୦ ଓ ଏମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ରାଷ୍ଟ୍ରପତି ମନୋନୀତ କରନ୍ତି । ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ରାଷ୍ଟ୍ରପତି ମନୋନୀତ କରିଥାନ୍ତି ।

ସମ୍ବନ୍ଧିତ ଖବର