ତାଜିକିସ୍ତାନ ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ଅକ୍ଟୋବର ୭ ତାରିଖରୁ ୯ ତାରିଖ ଯାଏଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଜିକିସ୍ତାନ ଗସ୍ତରେ ଯିବେ ବୋଲି ଶନିବାର ଦିନ ଘୋଷଣା କରାଯାଇଛି। ଏହା ହେବ ତାଙ୍କର ପ୍ରଥମ କେନ୍ଦ୍ରୀୟ ଏସିଆ ଗସ୍ତ।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଜାରି କରିଥିବା ବିବୃତି ଅନୁସାରେ, ତାଜିକ୍‌ ରାଷ୍ଟ୍ରପତି ଇମାମୋଲି ରହମୋନ୍‌ଙ୍କ ସହ କୋବିନ୍ଦ ଏକ ଦ୍ୱିପାକ୍ଷିକ ବୈଠକରେ ବସିବେ। ଏହି ବୈଠକରେ ତାଜିକ୍‌ ପାର୍ଲାମେଣ୍ଟ୍‌ର ବାଚସ୍ପତି ଶୁକୁର୍‌ଜୋନ୍‌ ଜୁହୁରୋଭ୍‌ ଏବଂ ତାଜିକ୍‌ ପ୍ରଧାନମନ୍ତ୍ରୀ କୋହିର ରସୁଲଜୋଦା ମଧ୍ୟ ତାଙ୍କୁ ଭେଟିବେ।

ତାଜିକ୍‌ ଜାତୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଯାଇ କୋବିନ୍ଦ ‘କାଉଣ୍ଟରିଙ୍ଗ୍‌ ରାଡିକାଲାଇଜେସନ୍‌: ଚାଲେଞ୍ଜେସ୍‌ ଇନ୍‌ ମଡର୍ଣ୍ଣ ସୋସାଇଟି’ ଉପରେ ଭାଷଣ ପ୍ରଦାନ କରିବେ।

ତାଜିକିସ୍ତାନରେ ସେ ଭାରତୀୟ ବଂଶୋଦ୍ଭବମାନଙ୍କୁ ମଧ୍ୟ ସମ୍ବୋଧନ କରିବେ।

ଦ୍ୱିପାକ୍ଷିକ କ୍ଷେତ୍ରର ସମସ୍ତ ପ୍ରସଙ୍ଗ, ଆଞ୍ଚଳିକ ଏବଂ ବହୁପାକ୍ଷିକ ସହଯୋଗ କଥା ମଧ୍ୟ ଏହି ଗସ୍ତ ସମୟରେ ଆଲୋଚନା କରାଯିବ ବୋଲି ମନ୍ତ୍ରାଳୟ ସୂଚନା ଦେଇଛି।

ପାରମ୍ପରିକ ଭାବେ ଭାରତ ଏବଂ ତାଜିକିସ୍ତାନ ମଧ୍ୟରେ ସମ୍ପର୍କ ଅତି ନିବିଡ଼। ୨୦୧୬-୧୭ ବର୍ଷରେ ଭାରତ ଓ ତାଜିକିସ୍ତାନ ମଧ୍ୟରେ ୨୧. ୮୨ ମିଲିୟନ୍‌ ଡଲାର୍‌ ବାଣିଜ୍ୟ ବ୍ୟବସାୟ ହୋଇଛି।

ସମ୍ବନ୍ଧିତ ଖବର