ବଜେଟ୍ ଅଧିବେଶନରେ ରାଷ୍ଟ୍ରପତି ଅଭିଭାଷଣ : ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ଦେଶବାସୀଙ୍କୁ ଅବଗତ କରାଇଲେ

ନୂଆଦିଲ୍ଲୀ:  ଆରମ୍ଭ ହୋଇଯାଇଛି ବଜେଟ୍ ଅଧିବେଶନ । ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି । ଅଭିଭାଷଣରେ ସେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି । ନିମ୍ନରେ  ରାଷ୍ଟ୍ରପତି ଅଭିଭାଷଣର ମୁଖ୍ୟାଂଶ ପ୍ରଦାନ କରାଗଲା।

– ୨୦୧୪ ପୂର୍ବରୁ ଦେଶ ଘୋର ଅନିଶ୍ଚିତତା ଦେଇ ଗତି କରୁଥିଲା । କ୍ରମେ ପରିସ୍ଥିତି ସୁଧୁରିଛି।  ଆର୍ଥିକ କ୍ଷେତ୍ରରେ ବି ପ୍ରଗତି ହୋଇଛି ।  ଜିଏସଟି ଯୋଗୁଁ  ଗୋଟିଏ ଦେଶ ଗୋଟିଏ ଟ୍ୟାକ୍ସ ବ୍ୟବସ୍ଥା ଲାଗୁ ହୋଇଛି । ଏହାଦ୍ୱାରା କାରବାର କରିବା ବି ସହଜ ହୋଇପାରିଛି । ଲୋକଙ୍କ ମତ ଅନୁସାରେ ଜିଏସଟିରେ ଅନେକ ପରିବର୍ତନ କରାଯାଇଛି ।

– କଳାଧନପାଇଁ କଠୋର ଆଇନ ହୋଇଛି । କଳାଧନ ନେଇ ସୂଚନା ପାଇବା ଲାଗି କିଛି ଦେଶ ସହ ବୁଝାମଣା ହୋଇଛି କଳାଧନ ଓ ଦୁର୍ନୀତି ବିରୋଧରେ ଅଭିଯାନ ଆରମ୍ଭ ହୋଇଛି।

– ମୁଦ୍ରା ଯୋଜାନାରେ ମହିଳାମାନେ ଅଧିକ ଲାଭବାନ୍ ହୋଇପାରିଛନ୍ତି । ୭୩ ପ୍ରତିଶତ ଋଣ କେବଳ ମହିଳାମାନଙ୍କୁ ହିଁ ପ୍ରଦାନ କରାଯାଇଛି । ଏହାବ୍ୟତୀତ ମହିଳା ଶସକ୍ତିକରଣ ପାଇଁ ଅନେକ ଯୋଜନା ପ୍ରଣୟନ କରାଯାଇଛି ।

www.thehindu.com

– ଦେଶର ବିକାଶରେ କୃଷକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କୃଷକଙ୍କୁ ସହାୟତା ଯୋଗାଇବା ପାଇଁ ଓ ଆୟକୁ ଦୁଇଗୁଣା କରିବା ପାଇଁ ସରକାର ଚେଷ୍ଟା ଜାରି ରଖିଛନ୍ତି । ଭଲ ଗୁଣବତ୍ତାର ବିହନ, ବୈଜ୍ଞାନିକ ଉପାୟରେ କୃଷି କରିବା ଉପରେ ମଧ୍ୟ କାମ କରାଯାଇଛି । ସରକାର ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦେଉଛନ୍ତି ।

– ଶୌଚାଳୟ ନଥିବାରୁ ମହିଳା ଓ ଯୁବତୀ ଓ ଝିଅଙ୍କୁ ଅନେକ ସମୟରେ ଅପମାନିତ ହେବାକୁ ପଡ଼ୁଥିଲା ।  ଏବେ ଦେଶରେ ୯ କୋଟି ଶୌଚାଳୟ ନିର୍ମାଣ ହୋଇଛି ।

– ଚୁଲିରେ ରୋଷେଇ କରିବା ଯୋଗୁଁ ଝିଅବୋହୂମାନେ ରୋଗରେ ପଡ଼ୁଥିଲେ । କିନ୍ତୁ ସରକାରଙ୍କ ଉଜ୍ଜଳା ଯୋଜନା ଅନୁସାରେ ୬ କୋଟିରୁ ଅଧିକ ଗ୍ୟାସ କନେକ୍ସନ ଦିଆଯାଇଛି ।

– ୧୨ ଲକ୍ଷ ବିଦ୍ୟାଙ୍ଗଙ୍କୁ ସହୟତା ଉପକରଣ ଯୋଗାଇ ଦିଅଯାଇଛି । ଶିଶୁମାନଙ୍କ ପ୍ରତି ଅପରାଧ ହ୍ରାସ ପାଇଁ କଡ଼ା ପଦକ୍ଷେପ ନିଆଯାଇଛି । ଗତ ୪ ବର୍ଷରେ ମେଡ଼ିକାଲ ଶିକ୍ଷା ପାଇଁ ୩୧ ହଜାର ଅଧିକ ସିଟ୍ ଯୋଡ଼ାଯାଇଛି ।

– ମୁସଲମାନ୍ ମହିଳାଙ୍କ ପାଇଁ  ସରକାର ଟ୍ରିପଲ୍ ତଲାକ୍ ବିଲ ଆଣିଛନ୍ତି । ଲୋକସଭାରେ ପାରିତ ହୋଇଛି ଟ୍ରିପଲ୍ ତଲାକ୍ ବିଲ୍ । ନାବାଳିକା ଦୁଷ୍କର୍ମକାରୀଙ୍କ ପାଇଁ ଫାଶୀ ଦଣ୍ଡର ବ୍ୟବସ୍ଥା କରାଯାଇଛି ।

– ଗତ ସାଢ଼େ ୪ବର୍ଷରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିଛି । ଜନଧନ ଯୋଜନାରେ ୩୪ କୋଟି ଲୋକଙ୍କ ଖାତା ଖୋଲାଯାଇଛି । ମହିଳାଙ୍କ ରୋଜଗାର ଉପରେ ଫୋକସ୍ ରହିଛି ।

– ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସହରର ଓ ଗାଁ ଲୋକଙ୍କୁ ଘର ଯୋଗାଇ ଦିଆଯାଇଛି । ମଧ୍ୟବିତ୍ତ ଲୋକଙ୍କ ରୋଜଗାର ବଢ଼ାଇବା ଲକ୍ଷ୍ୟରେ ଅଛନ୍ତି ସରକାର ।

ସେପଟେ ବଜେଟ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ସଂସଦର ଉଭୟ ଗୃହକୁ ସୁରୁଖୁରରେ ଚଳାଇବା ପାଇଁ ସମସ୍ତ ଦଳକୁ ଅନୁରୋଧ କରିଛନ୍ତି । ସଂସଦରେ ଖୋଲାମନରେ ଆଲୋଚନା ପାଇଁ ମୋଦି  ଆହ୍ନାନ କରିଛନ୍ତି ।  ଗୃହର ସମୟକୁ ସଦୁପଯୋଗ କରିବା ସହ ବିତର୍କରେ ସମସ୍ତ ଦଳ ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ସମ୍ବନ୍ଧିତ ଖବର