ପ୍ରଧାନ ବିଚାରପତିଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରିଥିଲେ ଜଷ୍ଟିସ୍‌ ଗୋଗୋଇ

0 102

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟର ବରିଷ୍ଠ ବିଚାରପତି ରଂଜନ ଗୋଗୋଇ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ବର୍ତ୍ତମାନର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରି ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ୪ ଜଣ ବରିଷ୍ଠ ବିଚାରପତିଙ୍କ ମଧ୍ୟରୁ ଜଷ୍ଟିସ୍‌  ଗୋଗୋଇ  ଅନ୍ୟତମ। ସୁପ୍ରିମ୍‌ କୋର୍ଟର ‘ସ୍ୱାଧୀନତା’ ପାଇଁ ସେ ଅନ୍ୟ ୩ ଜଣ ବିଚାରପତିଙ୍କ ସହ ମିଶି ସ୍ୱର ଉତ୍ତୋଳନ କରିଥିଲେ।  ୧୯୫୪ ନଭେମ୍ବର ୧୮ ତାରିଖରେ ସେ ଆସାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା କେଶବ ଚନ୍ଦ୍ର ଗୋଗୋଇ ଆସାମର ମୁଖ୍ୟମନ୍ତ୍ରୀ ଥିଲେ। ଜଷ୍ଟିସ୍‌ ଗୋଗୋଇ ୧୯୭୮ରେ ହାଇକୋର୍ଟ ବାର୍‌ରେ ସାମିଲ ହୋଇଥିଲେ। ବିଶେଷକରି ଗୌହାଟୀ ହାଇକୋର୍ଟରୁ ସେ ନିଜ କ୍ୟାରିୟର୍‌ ଆରମ୍ଭ କରିଥିଲେ। ୨୦୦୧ ଫେବ୍ରୁଆରି ୨୮ରେ ସେ ଗୌହାଟୀ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଏହାପରେ ୨୦୧୦ ସେପ୍ଟେମ୍ବର ୯ ତାରିଖରେ ଜଷ୍ଟିସ୍‌ ଗୋଗୋଇ ପଂଜାବ ଓ ହରିୟାଣା କୋର୍ଟକୁ ବଦଳି ହୋଇଥିଲେ ଏବଂ ୨୦୧୧ ଫେବ୍ରୁଆରି ୧୨ରେ ସେ ଏହି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଏହାପରେ ୨୦୧୨ ଏପ୍ରିଲ୍‌ ୨୩ରେ ତାଙ୍କୁ ସୁପ୍ରିମ୍‌କୋର୍ଟର ବିଚାରପତି ଭାବେ ପଦୋନ୍ନତି ମିଳିଥିଲା।

ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ୨୦୧୮ ଜାନୁଆରିରେ ଜଷ୍ଟିସ୍‌ ଗୋଗୋଇଙ୍କ ସମେତ ସୁପ୍ରିମ୍‌କୋର୍ଟର ୪ ଜଣ ବରିଷ୍ଠ ବିଚାରପତି ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ସୁପ୍ରିମ୍‌କୋର୍ଟରେ ଅନେକ ଅନିୟମିତତା ହେଉଥିବା ସୂଚନା ଦେଇଥିଲେ। ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ଅନିୟମିତତା ହେଉଥିବା ବେଳେ ମାମଲାର ଆବଣ୍ଟନ ମଧ୍ୟ ଠିକ୍‌ ଭାବେ କରାଯାଉ ନାହିଁ ବୋଲି ସେମାନେ ସାମ୍ବାଦିକମାନଙ୍କୁ ସୂଚାଇଥିଲେ। ଜଷ୍ଟିସ୍‌ ଗୋଗୋଇ ମଧ୍ୟ ସୁପ୍ରିମ୍‌କୋର୍ଟରେ ଅନିୟମିତତା ହେଉଥିବା ନେଇ ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ। ସ୍ୱତନ୍ତ୍ର ସିବିଆଇ ବିଚାରପତି ବି ଏଚ୍‌ ଲୋୟାଙ୍କ ମୃତ୍ୟୁ ଘଟଣାରେ ବିଚାରପତି ଅରୁଣ ମିଶ୍ରଙ୍କୁ ମାମଲା ଆବଣ୍ଟନ ଉପରେ ପ୍ରଶ୍ନ ଉଠାଇଥିଲେ। ୨୦୧୪ ଡିସେମ୍ବରରେ ଲୋୟାଙ୍କର ପରଲୋକ ଘଟିଥିଲା। ସେ ସୋରାବୁଦ୍ଦିନ୍‌ ଶେଖ୍‌ ମିଥ୍ୟା ଏନ୍‌କାଉଣ୍ଟର ମାମଲାର ଶୁଣାଣି କରୁଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.