ସଲାଉଦ୍ଦିନ୍‌ର ପୁଅକୁ ଛାଡ଼ିବାକୁ ଚାପ

ଯବାନଙ୍କ ଅପହୃତ ସମ୍ପର୍କୀୟଙ୍କୁ ଛାଡ଼ିଲେ ଆତଙ୍କବାଦୀ, ସେନାର ନୂଆ ହିଟ୍‌ଲିଷ୍ଟ୍‍

ଶ୍ରୀନଗର: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଗତକାଲି ଆତଙ୍କବାଦୀ ଗୋଷ୍ଠୀ ହିଜବୁଲ୍‌ ମୁଜାହିଦ୍ଦିନ୍‌ କମାଣ୍ଡର ସୟଦ ସଲାଉଦ୍ଦିନ୍‌ର ପୁଅକୁ ଏନ୍‌ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ଗିରଫ କରିଥିବାରୁ ଆତଙ୍କବାଦୀମାନେ ପ୍ରତିଶୋଧ ନେବାକୁ ତତ୍ପର ହୋଇଉଠିଛନ୍ତି। ଆତଙ୍କବାଦୀମାନେ ପୁଲିସ କର୍ମୀଙ୍କ ପରିବାରକୁ ଟାର୍ଗେଟ୍‌ କରି ୩ ପୁଲିସ କର୍ମୀ ଓ ସେମାନଙ୍କ ୮ ସଂପର୍କୀୟଙ୍କୁ ଗତକାଲି ଅପହରଣ କରିଥିବା ବେଳେ ଆଜି ସନ୍ଧ୍ୟାରେ ସମସ୍ତଙ୍କୁ ଖଲାସ କରିଛନ୍ତି। ସୟଦ ସଲାଉଦ୍ଦିନ୍‌ର ଦ୍ୱିତୀୟ ପୁଅ ସୟଦ ସକିଲ ୟୁସଫ୍‌ ୨୦୧୧ ମସିହା ଟେରର୍‌ ଫଣ୍ଡିଂ ମାମଲାର ଜଣେ ଅଭିଯୁକ୍ତ। ତାକୁ ପୁଲିସ କବଳରୁ ମୁକୁଳାଇବା ପାଇଁ ଆତଙ୍କବାଦୀମାନେ ଅପହରଣ କାଣ୍ଡ ଦ୍ୱାରା ଚାପ ସୃଷ୍ଟି କରିବାକୁ ଚାହିଥିଲେ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଜମ୍ମୁ କଶ୍ମୀରରେ ସୁରକ୍ଷାବାହିନୀ ଦ୍ୱାରା ଆରମ୍ଭ ହୋଇଥିବା ଆତଙ୍କବାଦୀ ବିରୋଧୀ କାର୍ଯ୍ୟାନୁଷ୍ଠାନ ଏବେ ଜୋରଦାର ହୋଇଥିବାବେଳେ ଏହାର ଫଳ ସ୍ୱରୂପ ଆତଙ୍କବାଦୀମାନେ ଏବେ ଯବାନଙ୍କ ପରିବାର ସଦସ୍ୟଙ୍କୁ ଟାର୍ଗେଟ୍‌ କରିଛନ୍ତି। ଦକ୍ଷିଣ କଶ୍ମୀର୧୧ ଜଣଙ୍କୁ ଅପହରଣ ପରେ ସେଠାରେ ସୁରକ୍ଷା ବାହିନୀ ପାଇଁ ବଡ଼ ଚ୍ୟାଲେଂଜ ସୃଷ୍ଟି ହୋଇଥିଲା। ପ୍ରାୟ ୪୦ଟି ସ୍ଥାନରେ ସୁରକ୍ଷା ବାହିନୀର ସ୍ୱତନ୍ତ୍ର ଅପରେସନ ଆରମ୍ଭ କରିଥିଲେ। ଅନ୍ୟପକ୍ଷରେ ଆଜି ଘାଟିରେ ସକ୍ରିୟ ଆତଙ୍କବାଦୀଙ୍କୁ ନିପାତ ପାଇଁ ଭାରତୀୟ ସେନାର ନୂଆ ହିଟ୍‌ଲିଷ୍ଟ ଜାରି ହୋଇଛି। ଏଥିରେ ୧୭ ଜଣ କୁଖ୍ୟତ ଆତଙ୍କବାଦୀ ରହିଛନ୍ତି। ଆଜି ପୁଲ୍‌ଓ୍ଵାମା, ଅନନ୍ତନାଗ ଏବଂ କୁଲ୍‌ଗାମ ଜିଲ୍ଲାେରେ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ହିଜବୁଲର ୫୦ରୁ ଅଧିକ ଆତଙ୍କବାଦୀ ଏହି ଅଂଚଳରେ ସକ୍ରିୟ ଅଛନ୍ତି। ହିଜବୁଲ ଆତଙ୍କବାଦୀମାନେ ଆଜି ଅପରହ୍ନରେ ପର୍ଯ୍ୟାୟକ୍ରମେ ସମସ୍ତ ଅପହୃତଙ୍କୁ ଛାଡ଼ିଥିବା ବେଳେ ଯବାନଙ୍କ ପରିବାର ସଦସ୍ୟମାନେ ଭିଡିଓ ବାର୍ତ୍ତା ଜାରି କରି ନିରୀହ ପରିବାର ସଦସ୍ୟଙ୍କ ଉପରେ କୌଣସି ଜୁଲମ ନକରିବାକୁ ମଧ୍ୟ ଅନୁରୋଧ କରିଥିଲେ।

ଗିରଫ ଆତଙ୍କବାଦୀଙ୍କ ସମ୍ପର୍କୀୟ ମୁକ୍ତ ହେଲେ
ଶ୍ରୀନଗର: ଜମ୍ମୁ କଶ୍ମୀରରେ ୩ ଜଣ ଯବାନ ଓ ସେମାନଙ୍କ ୮ ସଂପର୍କୀୟଙ୍କୁ ହିଜ୍‌ବୁଲ ଆତଙ୍କବାଦୀଙ୍କ ଦ୍ୱାରା ଅପହରଣ ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ସେମାନେ ସୁରକ୍ଷିତ ମୁକ୍ତ ହେବାପରେ ଏବେ ଆଶ୍ୱସ୍ତି ପ୍ରକାଶ ପାଇଛି। ଆଜି ଜମ୍ମୁ କଶ୍ମୀର ପୁଲିସ ନିକଟରେ ଗିରଫ ହୋଇଥିବା କିଛି ଆତଙ୍କବାଦୀଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ମୁକ୍ତ କରିଛି। ଉଲ୍ଲେଖଯୋଗ୍ୟ ଜମ୍ମୁ କଶ୍ମୀର ପୁଲିସ ନିକଟରେ ହିଜବୁଲ୍‌ ମୁଜାହିଦ୍ଦିନ୍‌ର ଜଣେ ଆତ୍ମଘୋଷିତ କମାଣ୍ଡର ରିୟାଜ୍‌ ନାଇକୋର ପିତା ଆସ୍‌ଦୁଲ୍ଲା ନାଇକୋକୁ ଗିରଫ କରିଥିଲା। ଆଜି ପୁଲିସ ଆସ୍‌ଦୁଲ୍ଲା ନାଇକୋକୁ ମୁକ୍ତ କରିଥିବା ଜଣାପଡ଼ିଛି। ତେବେ ହିଜ୍‌୍‌ବୁଲ ମୁଖ୍ୟ ସଲାଉଦ୍ଦିନର ପୁଅକୁ ମୁକ୍ତ କରିବା ପାଇଁ ଆତଙ୍କବାଦୀମାନେ ଅଧିକ ହିଂସା ଭିଆଇବା ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର