ଅଧ୍ୟାଦେଶ ପାଇଁ ଚାପ ବଢ଼ିଲା:ଆନ୍ଦୋଳନ ତୀବ୍ର କରିବ ଭିଏଚ୍‌ପି : ମହନ୍ତ ପରମହଂସଙ୍କ ଆତ୍ମଦାହ ଧମକ

ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ତାରିଖକୁ ସୁପ୍ରିମ୍‌ କୋର୍ଟ ୨୦୧୯ ଜାନୁଆରିକୁ ଘୁଞ୍ଚାଇଦେବା ପରେ ମୋଦୀ ସରକାରଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି। ଅଯୋଧ୍ୟା‌େର ରାମ ମନ୍ଦିର ନିର୍ମାଣ ଲାଗି ସରକାର ଅଧ୍ୟାଦେଶ ଆଣନ୍ତୁ ବୋଲି ହିନ୍ଦୁ ସଂଗଠନଗୁଡ଼ିକ ଦାବି କରିଛନ୍ତି। ଏହାକୁ ନେଇ ସରକାର ଅଡୁଆରେ ପଡ଼ିଛନ୍ତି। ବିଶ୍ବ ହିନ୍ଦୁ ପରିଷଦ (ଭିଏଚ୍‌ପି) ସୁପ୍ରିମ୍‌ କୋର୍ଟଙ୍କ ରାୟ ପରେ କେନ୍ଦ୍ର ସରକାରଙ୍କୁ ଅଧ୍ୟାଦେଶ ଆଣି ରାମ ମନ୍ଦିର ନିର୍ମାଣ ପାଇଁ ଦାବି କରିଛି। ବିଜେପି ସହଯୋଗୀ ଦଳ ଶିବସେନା ଏବଂ ଶିୟା ୱାକ୍‌ଫ ବୋର୍ଡ ମଧ୍ୟ କେନ୍ଦ୍ର ନିକଟରେ ସମାନ ଦାବି ଉପସ୍ଥାପନ କରିଛନ୍ତି।
ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, ଅଯୋଧ୍ୟା ମାମଲା ଉପରେ କୋର୍ଟ କିଭଳି ରାୟ ଦେଉଛନ୍ତି, ତାହା ଉପରେ ଆମର ଧ୍ୟାନ ନାହିଁ। କୋର୍ଟଙ୍କୁ ପଚାରି ଆମେ ବାବ୍ରୀ ମସ୍‌ଜିଦ୍‌ ଭାଙ୍ଗିନଥିଲୁ। କୋର୍ଟଙ୍କଠାରୁ ଅନୁମତି ନେଇ କର୍‌ସେବକଙ୍କୁ ହତ୍ୟା କରାଯାଇନଥିଲା। ଆମେ ଏବେ ଗୋଟିଏ କଥା କହିବାକୁ ଚାହୁ ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଉ। ଆମେ କରାଚୀ-ପାକିସ୍ତାନରେ ରାମ ମନ୍ଦିର ନିର୍ମାଣ ପାଇଁ ଦାବି କରୁନାହୁଁ ବୋଲି ସେ କହିଛନ୍ତି। ଏ ବାବଦରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଅଯୋଧ୍ୟାକୁ ‌ଯାଇ ନିଜ ମତ ରଖିବେ ବୋଲି ରାଉତ କହିଛନ୍ତି।
ଉତ୍ତର ପ୍ରଦେଶ ଶିୟା ୱାକ୍‌ଫ ବୋର୍ଡ ଅଧ୍ୟକ୍ଷ ୱାସିମ୍‌ ରିଜ୍‌ବି ମଧ୍ୟ ଅଧ୍ୟାଦେଶ ପାଇଁ ଯୁକ୍ତି ବାଢ଼ିଛନ୍ତି। ସେ କହିଛନ୍ତି, ଏ ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ। ରାମ ମନ୍ଦିର ନିର୍ମ‌ାଣ ପାଇଁ ସରକାର ଅଧ୍ୟାଦେଶ ରାସ୍ତା ଆପଣାଇବା ଅାବଶ୍ୟକ ବୋଲି ମୋଦୀଙ୍କୁ କହିବେ। ତେବେ ଅଯୋଧ୍ୟ ବିବାଦ ମାମଲାରେ ଯେବେ ବି ସୁପ୍ରିମ୍‌ କୋର୍ଟଙ୍କ ରାୟ ଆସିବ, ବାବ୍ରୀ ମସ୍‌ଜିଦ୍‌ ସମର୍ଥକମାନଙ୍କୁ ନିରାଶ ହେବାକୁ ପଡ଼ିବ ବୋଲି ସେ ଦର୍ଶାଇଛନ୍ତି।
ଭିଏଚ୍‌ପି ମଧ୍ୟ ରାମ ମନ୍ଦିର ନିର୍ମାଣ ନିମନ୍ତେ ଅଧ୍ୟାଦେଶ କଥା ଉଠାଇଛି। ଭିଏଚ୍‌ପି ମୁଖପାତ୍ର କହିଛନ୍ତି, ରାମ ମନ୍ଦିର ନିର୍ମାଣ ଲାଗି ସରକାର ଶୀତ ଅଧିବେଶନ ପୂର୍ବରୁ ଅଧ୍ୟାଦେଶ ଆଣିବା ଉଚିତ ହେବ। ସୁପ୍ରିମ୍‌ କୋର୍ଟଙ୍କ ସୋମବାର ରାୟରେ ଦୁଃଖପ୍ରକାଶ କରି ଭିଏଚ୍‌ପି ମୁଖପାତ୍ର କହିଛନ୍ତି, ଏହି ରାୟ ଦ୍ବାରା ଅଯୋଧ୍ୟା ମାମଲା ଶୁଣାଣି ବହୁ ବିଳମ୍ବ ଘଟିବ। ତେବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭିଏଚ୍‌ପି ଆନ୍ଦୋଳନ ତୀବ୍ରତର କରିବ ବୋଲି ସେ କହିଛନ୍ତି।
ମହନ୍ତ ପରମହଂସ ଦାସ କହିଛନ୍ତି, ରାମ ମନ୍ଦିର ନିର୍ମାଣ ପାଇଁ ଏକମାସ ମଧ୍ୟରେ ଆଇନ ଆସିବା ଦରକାର। ନଚେତ୍‌ ମୁଁ ପୁଣି ଅନଶନକୁ ଓହ୍ଲାଇବି ଏବଂ ଆବଶ୍ୟକ ପଡ଼ିଲେ ଆତ୍ମଦାହ କରିବାକୁ ପଛାଇବି ନାହିଁ। ଗତଥର ମୁଁ ଅନଶନ କରିଥିବା ବେଳେ ମୋତେ ମଝିରୁ ଉଠାଇ ନିଆଯାଇଥିଲା। କିନ୍ତୁ ଏଥର ମୁଁ କାହା କଥା ଶୁଣିବି ନାହିଁ ବୋଲି ମହନ୍ତ ପରମହଂସ ରୋକ୍‌ଠୋକ୍‌ କହିଛନ୍ତି।

ସମ୍ବନ୍ଧିତ ଖବର