ନୂଆଦିଲ୍ଲୀ: ଡାସଲ୍ଟ ଏଭିଏସନ୍ ସିଇଓ ଏରିକ୍ ଟ୍ରେପିୟର୍ ଆଜି ଯାହା ବି କହିଛନ୍ତି, ତାହା ସବୁ ମନଗଢ଼ା ମିଛ। ଜାଣିଶୁଣି ଏରିକ୍ ଏଭଳି ସାକ୍ଷାତକାର ଦେଇ ଅନ୍ୟମାନଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି। ମୋଦୀ ସରକାର ଓ ଡାସଲ୍ଟ କମ୍ପାନି ମଧ୍ୟରେ ସଲାସୁତୁରା ହୋଇଛି। କିନ୍ତୁ ଠିକ୍ ସମୟରେ ପ୍ରକୃତ ଘଟଣାର ପର୍ଦ୍ଦାଫାସ ହେବ ବୋଲି କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁର୍ଯେୱାଲା କହିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି, ସୁପ୍ରିମ୍ କୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଚୋରି ସ୍ବୀକାର କରିଛନ୍ତି। ସତ୍ୟପାଠରେ ମୋଦୀ ଦର୍ଶାଇଛନ୍ତି ଯେ ବାୟୁସେନା ଅଗୋଚରରେ ସେ ରାଫେଲ୍ ଚୁକ୍ତିକୁ ବଦଳାଇଥିଲେ। ଚୁକ୍ତିକୁ ବଦଳାଇବା ପରେ ସେ ଶିଳ୍ପପତି ଅନୀଲ ଅମ୍ବାନିଙ୍କ ପକେଟ୍ରେ ୩୦,୦୦୦ କୋଟି ଟଙ୍କା ଭର୍ତ୍ତି କରିଛନ୍ତି। ‘ପିକ୍ଚର୍ ଅଭି ବାକି ହୈ ମେରେ ଦୋସ୍ତ’ ବୋଲି ସେ ଟ୍ବିଟରରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଡାସଲ୍ଟ ସିଇଓଙ୍କ ବିବୃତିରୁ ରାହୁଲ ଓ କଂଗ୍ରେସର ମିଛ ଲୋକଙ୍କ ଆଗରେ ଧରାପଡ଼ିଯାଇଛି।