ବିଦେଶରେ ୩ ଘଣ୍ଟା ଅଟକିଲା ରାଷ୍ଟ୍ରପତିଙ୍କ ବିମାନ

ନୂଆଦିଲ୍ଲୀ: ୩ ରାଷ୍ଟ୍ର ଗସ୍ତରେ ଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ସ୍ବିଜରଲାଣ୍ଡ୍‌ର ଜୁରିକ୍‌ରୁ ସ୍ଲୋଭେନିଆ ଅଭିମୁଖେ ଗସ୍ତ କରିଛନ୍ତି। କିନ୍ତୁ କୋବିନ୍ଦଙ୍କ ବିମାନ ଗତକାଲି ଜୁରିକ୍ ବିମାନବନ୍ଦରରେରେ ପ୍ରାୟ ୩ ଘଣ୍ଟା ବିଳମ୍ବ ହୋଇଯାଇଥିଲା। ବୋଇଙ୍ଗ୍‌ ୭୪୭ ବିମାନ ରାଷ୍ଟ୍ରପତିଙ୍କୁ ଜୁରିକରୁ ସ୍ଲୋଭେନିଆ ଅଭିମୁଖେ ନେବାର ଥିଲା , ହେଲେ ବିମାନ‌ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଶେଷ ମୁହୁର୍ତ୍ତରେ ବିମାନ ଉଡ଼ାଣ ବାତିଲ କରାଯାଇଥିଲା। ଏଥିପାଇଁ ରାଷ୍ଟ୍ରପତିଙ୍କୁ ପ୍ରାୟ ୩ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ଏୟାର ଇଣ୍ଡିଆ ଉକ୍ତ ଘଟଣାରେ ଏବେ ତଦନ୍ତ ନିର୍ଦ୍ଦେଶ ଦେଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ବିମାନବନ୍ଦରରେ ପହଞ୍ଚି ସାରିଥିଲେ କିନ୍ତୁ ବିମାନରେ ତ୍ରୁଟି ଦେଖାଦେବାପରେ ତାଙ୍କୁ ହୋଟେଲ୍‌କୁ ଫେରିଯିବାକୁ କୁହାଯାଇଥିଲା। ପରେ ଯୁଦ୍ଧକାଳୀନ ଭିତ୍ତିରେ ଏୟାର ଇଣ୍ଡିଆ ଇଞ୍ଜିନିୟରମାନେ ବିମାନରେ ଥିବା ଯାନ୍ତ୍ରିକ ତ୍ରୁଟି ସଜାଡ଼ିବା ପରେ କୋବିନ୍ଦ ସ୍ଲୋଭେନିଆ ଗସ୍ତ କରିଥିଲେ। ଉଲ୍ଲେଖଯୋଗ୍ୟ ଗତ ୯ ତାରିଖରୁ କୋବିନ୍ଦ ଆଇସଲାଣ୍ଡ୍‌, ସ୍ବିଜରଲାଣ୍ଡ୍‌ ଏବଂ ସ୍ଲୋଭେନିଆ ଗସ୍ତରେ ଅଛନ୍ତି।

ସମ୍ବନ୍ଧିତ ଖବର