ଐତିହାସିକ ଅନ୍ୟାୟକୁ ଦୂର କରିବ ସିଏଏ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପାକିସ୍ତାନକୁ ହରାଇବାକୁ ୧୦ ଦିନ ମଧ୍ୟ ଲାଗିବ ନାହିଁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନାଗରିକତା ସଂଶୋଧନ ଆଇନ (ସିଏଏ) ସପକ୍ଷରେ ନିଜର ମତ ରଖି ପୂର୍ବ କଂଗ୍ରେସ ସରକାରକୁ ଟା‌ର୍ଗେଟ୍‌ କରିଛନ୍ତି। ଦିଲ୍ଲୀରେ ଆୟୋଜିତ ବାର୍ଷିକ ଏନ୍‌ସିସି (ନ୍ୟାସନାଲ କାଡେଟ୍‌ କର୍ପ‌୍‌ସ) ରୢାଲି-୨୦୨୦ରେ ମୋଦୀ କହିଛନ୍ତି, ‘ଐତିହାସିକ ଅନ୍ୟାୟ’କୁ ସୁଧାରିବା ପାଇଁ ସରକାର ସିଏଏ ଆଣିଛନ୍ତି। ଏଥିସହ ପଡ଼ୋଶୀ ରାଷ୍ଟ୍ରରେ ବାସ କରୁଥିବା ଧାର୍ମିକ ସଂଖ୍ୟାଲଘୁଙ୍କୁ ଦିଆଯାଇଥିବା ପୁରୁଣା ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ସରକାର ଏହି ଆଇନ କାର୍ଯ୍ୟକାରୀ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ସ୍ବାଧୀନ ହେବା ଦିନରୁ ଜମ୍ମୁ କାଶ୍ମୀରରେ ସମସ୍ୟା‌ ରହି ଆସିଛି। କିଛି ପରିବାର ଏବଂ ରାଜନୈତିକ ଦଳ ଏହି ସବୁ ସମସ୍ୟା ଏବଂ ପ୍ରସଙ୍ଗକୁ ବଞ୍ଚାଇ ରଖିଛନ୍ତି, ଯାହା ଦ୍ବାରା ଜମ୍ମୁ କାଶ୍ମୀରରେ ଆତଙ୍କବାଦ କାୟା ବିସ୍ତାର କରିଛି। ଏନ୍‌ଡିଏ ସରକାର ଏହି ସବୁ ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପାକିସ୍ତାନ ସେନା ଓ ସରକାର ଦ୍ବାରା ଆତଙ୍କବାଦକୁ ପ୍ରେତ୍ସାହନ ଦିଆଯାଉଥିବାରୁ ଏହାର କଡ଼ା ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପଡ଼ୋଶୀ ରାଷ୍ଟ୍ର ୩ ଥର ଯୁଦ୍ଧ ହାରିଛି, କିନ୍ତୁ ଏହା ଭାରତ ବିରୋଧରେ ଛାୟା ଯୁଦ୍ଧ ଚଳାଇଛି। ପାକିସ୍ତାନକୁ ହରାଇବା ପାଇଁ ଆମକୁ ୧୦ ଦିନ ସମୟ ମଧ୍ୟ ଲାଗିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସିଏଏକୁ ବିରୋଧ କରୁଥିବା ଦଳଗୁଡ଼ିକୁ କଡ଼ା ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‌ସେମାନେ ଭୋଟ୍‌ ବ୍ୟାଙ୍କ୍‌ ରାଜନୀତି କରୁଛନ୍ତି। କିଛି ଲୋକ ଦଳିତଙ୍କ ସ୍ବର ହେବାକୁ ଚେଷ୍ଟା କରୁଛନ୍ତି ,କିନ୍ତୁ ପାକିସ୍ତାନରେ ଦଳିତଙ୍କ ବିରୋଧରେ ଯେଉଁ ଅତ୍ୟାଚାର ହେଉଛି ତାହା ସେମାନଙ୍କୁ ଦେଖାଯାଉ ନାହିଁ ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର