କଲମ୍ବୋ: ମୃତ୍ୟୁ ସଂଖ୍ୟା ୨୦୭ ଛୁଇଁଲା, ବିସ୍ଫୋରଣ ଘଟାଇଥିବା ଅଭିଯୋଗରେ ୭ ଗିରଫ, ଶ୍ରୀଲଙ୍କା ରାଷ୍ଟ୍ର ମୁଖ୍ୟଙ୍କ ସହ ଫୋନ୍‌ ଯୋଗେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ୮ ଥର ସିରୟଲ୍‌ ବିସ୍ଫୋରଣ ଘଟି ମୃତ୍ୟୁ ସଂଖ୍ୟା ୨୦୭କୁ ଛୁଇଁଲାଣି। ଏହି ବିସ୍ଫୋରଣ ଘଟଣାରେ ଶ୍ରୀଲଙ୍କା ପୁଲିସ୍‌ ଇତିମଧ୍ୟରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବିସ୍ଫୋରଣ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଶ୍ରୀଲଙ୍କା ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଫୋନ୍‌ କରି ନିଜର ସମବେଦନା ଜଣାଇବା ସହ ଭାରତ ପକ୍ଷରୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଭାରତ ପକ୍ଷରୁ କି ପ୍ରକାର ସହାୟତା ସେମାନେ ଚାହାନ୍ତି ବୋଲି ମୋଦୀ ପଚାରିଛନ୍ତି।

ଉଲ୍ଲେଖଯୋଗ୍ୟ, ରବିବାର ଅପରାହ୍ନ ସୁଦ୍ଧା ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ୩ଟି ଚର୍ଚ୍ଚ ଓ ୩ଟି ହୋଟେଲରେ ଓ ୮ ଥର ବିସ୍ଫୋରଣ ଘଟିବା ଫଳରେ ପ୍ରାୟ ୨୦୭ ଲୋକଙ୍କ ଜୀବନ ଯିବା ସହ ୪୫୦ ଲୋକ ଆହତ ହୋଇଛନ୍ତି। ଏହି ସିରିଏଲ୍‌ ବିସ୍ଫୋରଣ ପରେ ଶ୍ରୀଲଙ୍କା ସରକାର ସଂପୃକ୍ତ ଅଞ୍ଚଳରେ କର୍ଫ୍ୟୁ ଜାରି କରିଛନ୍ତି। ସଂପୃକ୍ତ ଅଞ୍ଚଳରେ ବିସ୍ଫୋରଣ ପରେ ସୋସିଆଲ୍‌ ମିଡିଆ ଓ ମେସେଜିଂ ସେବାକୁ ମଧ୍ୟ ବ୍ୟାନ୍‌ କରାଯାଇଛି।

www.latestly.com

ଉଲ୍ଲେଖଯୋଗ୍ୟ, ଉତ୍ତର କଲମ୍ବୋର କାଟୁଆପିଟିୟାର ସେଣ୍ଟ୍‌ ସେବାସ୍ତିଆନ୍‌ ଗୀର୍ଜାରେ ପ୍ରଥମେ ସକାଳ ୮.୩୦ ସମୟରେ ଏହି ବିସ୍ଫୋରଣ ହୋଇଥିଲା। ବାଟ୍ଟିକାଲୋଆର ଗୋଟାଏ ଗୀର୍ଜାରେ ବିସ୍ଫୋରଣ ଘଟିଥିଲା । ସହରର ୩ଟି ପଞ୍ଚତାରକା ହୋଟେଲ୍‌ରେ ମଧ୍ୟ ବିସ୍ଫୋରଣ ଘଟିଛି।
ଅନ୍‌ଲଙ୍କା ଡଟ୍‌ କମ୍‌ ରିପୋଟ୍‌ ଅନୁସାରେ, ଗୋଟିଏ ବିସ୍ଫୋରଣ କୋଚ୍ଚିକାଡ଼େର ସେଣ୍ଟ୍‌ ଆନ୍ଥୋନି ଗୀର୍ଜା ଏବଂ ଅନ୍ୟ ଗୋଟିଏ ବିସ୍ଫୋରଣ କାଟୁଆପିଟିୟାର ସେଣ୍ଟ୍‌ ସେବାସ୍ତିଆନ୍‌ ଗୀର୍ଜାରେ ହୋଇଥିଲା।

ସମ୍ବନ୍ଧିତ ଖବର