ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ରାଜ୍ୟସଭା ରେକର୍ଡରୁ ହଟିଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ରାଜ୍ୟସଭାରେ ଉପାଧ୍ୟକ୍ଷ ନିର୍ବାଚନ ପରେ ଉଭୟ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇ ଦେଇଥିବା ମନ୍ତବ୍ୟର ଏକ ବିବାଦୀୟ ଅଂଶକୁ ରାଜ୍ୟସଭା ରେକର୍ଡରୁ ହଟାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ବିରୋଧୀ ଦଳ ସାଂସଦମାନେ ଆପତ୍ତି ଉଠାଇବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ଆର୍‌ଜେଡି ସାଂସଦ ମନୋଜ ଝା ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ବିରୋଧ କରିବା ସହ ଏହାକୁ  ରେକର୍ଡରୁ ହଟାଇବାକୁ ଦାବି କରିଥିଲେ। ସେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ବିରୋଧରେ ପଏଣ୍ଟ୍‌ ଅଫ୍‌ ଅର୍ଡର ମଧ୍ୟ ଉଠାଇଥିଲେ। ଏ ବାବଦରେ ସଭାପତି ଅନୁଧ୍ୟାନ କରିବା ପରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟର ବିବାଦୀୟ ଅଂଶକୁ ହଟାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଗତକାଲି କହିଥିଲେ ଯେ ଉପାଧ୍ୟକ୍ଷ ନିର୍ବାଚନରେ ଉଭୟ ପଟେ ‘ହରି’ ଥିଲେ। ତେବେ ବିରୋଧୀ ପ୍ରାର୍ଥୀଙ୍କ ହରି ଆଗରେ ‘ବିକେ’ ଥିଲା, କିନ୍ତୁ ଏନ୍‌୍‌ଡିଏ ପ୍ରାର୍ଥୀଙ୍କ ଆଗରେ ‘ବିକେ’ ନଥିଲା। ଏବେ ସବୁ କିଛି ହରି ଭରସାରେ ଚାଲିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ତିନି ତଲାକ୍‌ ବିଲ୍‌ରେ ତିନି ଥର ସଂଶୋଧନ

ତିନି ତଲାକର ମୂଳ ବିଲ୍‌ ଲୋକସଭାରେ  ପ୍ରଥମରୁ ହିଁ ପାରିତ ହୋଇସାରିଥିବା ବେଳେ ଏହା ରାଜ୍ୟସଭାରେ ପଡ଼ିରହିଛି। ରାଜ୍ୟସଭାରେ ଏନ୍‌୍‌ଡିଏର ସଂଖ୍ୟାଗରିଷ୍ଠତା ନଥିବାରୁ ବିଲ୍‌ ଗୃହୀତ ହେବାରେ ବଡ଼ ସମସ୍ୟା ଉପୁଜିଛି। ଇତିମଧ୍ୟରେ କେନ୍ଦ୍ର କ୍ୟାବିନେଟ୍‌ ‘ମୁସ୍‌୍‌ଲିମ ମହିଳା ବିବାହ ଅଧିକାର ସଂରକ୍ଷଣ ବିଲ୍‌ ୨୦୧୭’ରେ ତିନି ଥର ସଂଶୋଧନକୁ ମଂଜୁରି ଦେଇଛନ୍ତି। ତିଲି ତଲାକ ମାମଲାରେ ଅଭିଯୁକ୍ତଙ୍କୁ ଶୁଣାଣି ପୂର୍ବରୁ ଜାମିନ ଦେବା ସଂକ୍ରାନ୍ତ କେତେକ ବ୍ୟବସ୍ଥାକୁ ମଂଜୁରି ମିଳିଛି। ତିନି ତଲାକ  ମାମଲାରେ ସ୍ୱାମୀକୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଦିଆଯିବା ସଂକ୍ରାନ୍ତ ଆଇନର ଦୁରୁପଯୋଗ ଆଶଙ୍କା କରାଯାଉଥିବା ବେଳେ ଏହି ସଂଶୋଧନ ଏ ବାବଦ ଆଶଙ୍କାକୁ ଦୂର କରିବ ବୋଲି କୁହାଯାଇଛି।

ଭଗବାନ ରାମଙ୍କୁ ନେଇ କଂଗ୍ରେସ ସାଂସଦଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ରାଜ୍ୟସଭାରେ ତିନି ତଲାକ ବିଲ୍‌କୁ ନେଇ ଗତିରୋଧ ଜାରି ରହିଥିବା ବେଳେ ମାମଲାକୁ ସାଂପ୍ରଦାୟିକ ରୂପ ଦେବା ପାଇଁ ଏବେ ଉଦ୍ୟମ ହେଉଛି। କଂଗ୍ରେସର ଜଣେ ରାଜ୍ୟସଭା ସାଂସଦ ଆଜି ଭଗବାନ ଶ୍ରୀରାମଙ୍କ ନାମକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। କଂଗ୍ରେସ ସାଂସଦ ହୁସେନ ଦଲବୟୀ କହିଛନ୍ତି ଯେ ଆମ ସମାଜରେ ପୁରୁଷମାନଙ୍କର ହିଁ ଆଧିପତ୍ୟ ରହିଛି। ଶ୍ରୀରାମଚନ୍ଦ୍ର ମଧ୍ୟ ପତ୍ନୀ ସୀତାଙ୍କ ଚରିତ୍ରକୁ ସନ୍ଦେହ କରି ତାଙ୍ଗୁ ପରିତ୍ୟାଗ କରିଥିଲେ। ସବୁ ଧର୍ମରେ ମହିଳାଙ୍କ ପ୍ରତି ଅନ୍ୟାୟ ହେଉଥିବା ବେଳେ କେବଳ ମୁସ୍‌୍‌ଲିମ ପୁରୁଷଙ୍କୁ କାହିଁକି ଟାର୍ଗେଟ୍‌ କରାଯାଉଛି ବୋଲି ସେ ପ୍ରଶ୍ନ କହିଛନ୍ତି। କଂଗ୍ରେସ ସାଂସଦଙ୍କ ଏହି ବୟାନକୁ ବିଜେପି ଜୋର୍‌ଦାର ବିରୋଧ କରିଛି।

ସମ୍ବନ୍ଧିତ ଖବର