କେବଳ ସରକାର ନୁହେଁ, ନ୍ୟାୟାଳୟ, ରିଜର୍ଭ ବ୍ୟାଙ୍କ ଉପରେ ମଧ୍ୟ ବିରୋଧୀ ଦଳଙ୍କ ଆସ୍ଥା ନାହିଁ : ମୋଦି

ନୂଆଦିଲ୍ଲୀ: ଲୋକସଭାରେ ଚାଲିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ବକ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି ଯେ ଏହା ଏକ ଅନାସ୍ଥା ପ୍ରସ୍ତାବ ନୁହେଁ, କାରଣ କଂଗ୍ରେସ ଜାଣିଛି ଯେ ସରକାର ନିକଟରେ ବହୁମତ ରହିଛି । କଂଗ୍ରେସ କେବଳ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ନିଜ ସାଥୀମାନଙ୍କ ପରୀକ୍ଷା ନେବାକୁ ଚାହୁଁଛି । ସେଥିପାଇଁ ଅନାସ୍ଥା ପ୍ରସ୍ତାବର ନାଟକ କରାଯାଇଛି । ସେ କହିଛନ୍ତି ଯେ ଆମେ ଲୋକଙ୍କ ସମର୍ଥନରେ ସରକାର ଗଢିଛୁ । ଆମେ ଏହି ସରକାର ବିନା ତୁଷ୍ଟୀକରଣ ରାଜନୀତି, ବିନା ଭୋଟବ୍ୟାଙ୍କ ରାଜନୀତି, ସମସ୍ତଙ୍କୁ ସଙ୍ଗରେ ନେଇ ଗତ ୪ ବର୍ଷ ହେଲା ଶାସନ କରୁଛୁ । ଗତ ୪ ବର୍ଷରେ ଜନଧନ ଖାତା ଖୋଲି ଆର୍ଥିକ ଅନ୍ତର୍ଭୁକ୍ତି କରଣ କରାଯାଇଛି । ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣ କରିବାକୁ ଲକ୍ଷ୍ୟ ରଖିଛୁ । ଉଜାଲା ଯୋଜନାରେ ସବୁ ଘରକୁ ଗ୍ୟାସ ସଂଯୋଗ ଦିଆଯାଇଛି । ଏସବୁ ଯୋଜନା ଉପରେ ଏମାନଙ୍କ ବିଶ୍ୱାସ ନାହିଁ । ମୁଦ୍ରାଯୋଜନାରେ ୧୩ କୋଟି ଯୁବକଯୁବତୀଙ୍କ ମୁଦ୍ରାଋଣ ଦିଆଯାଇଛି ଓ ସେମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଦେଶରେ ଏବେ ମୋବାଇଲ ତିଆରି କମ୍ପାନି ସଂଖ୍ୟା ୧୨୦ ସଂଖ୍ୟାରେ ପହଞ୍ଚିଛି । ଇଜ ଅଫ ଡୁଇଙ୍ଗ ବିଜନେସରେ ଭାରତର ସ୍ଥାନରେ ଉଲ୍ଲେଖନୀୟ ଉନ୍ନତି ହୋଇଛି । ଜିଏସଟି ମାଧ୍ୟମରେ ଆର୍ଥିକ ସଂସ୍କାର ଅଣାଯାଇଛି । ଭାରତ ଏବେ ବିଶ୍ୱର ୬ଷ୍ଠ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି । ଏହା ଆମ ଦେଶର ଲୋକମାନଙ୍କ କ୍ରେଡିଟ । କିନ୍ତୁ ବିରୋଧୀ ଦଳେ ଲୋକମାନଙ୍କୁ ବି ବିଶ୍ୱାସ କରୁନାହାନ୍ତି । ଏବେ ଭାରତର ବିକାଶ ଉପରେ ଦେଶବାସୀଙ୍କ ଭରଷା ଅଛି, ବିଶ୍ୱର ଭରଷା ଅଛି, କିନ୍ତୁ ବିରୋଧୀ ଦଳର ଭରଷା ନାହିଁ । ଏମାନଙ୍କର ସରକାର, ରିଜର୍ଭ ବ୍ୟାଙ୍କ, ପ୍ରଧାନ ବିଚାରପତି, ବିଭିନ୍ନ ସମ୍ବିଧାନିକ ସଂସ୍ଥା ଉପରେ ମଧ୍ୟ ଏମାନେ ସଂଦେହ କରୁଛନ୍ତି ।

ସମ୍ବନ୍ଧିତ ଖବର