ନୂଆଦିଲ୍ଲୀ : ନ୍ୟୁୟର୍କରେ କ୍ବାରାଣ୍ଟିନ୍ରେ ଥିବା ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ନିର୍ଦ୍ଦେଶକ ଡ. ଟେଡ୍ରସ୍ ଆଧାନମ୍ ଘେବ୍ରେସସ୍ ଏବଂ ଡ. ମାରିଆ ଭାନ୍ କେର୍ଖୋଭଙ୍କୁ କରୋନା ଭାଇରସ ସମ୍ପର୍କିତ କେତେକ ପ୍ରଶ୍ନ କରିଛନ୍ତି ଏବଂ ସେମାନଙ୍କଠାରୁ ଏହାର ଉତ୍ତର ମଧ୍ୟ ପାଇଛନ୍ତି। ପ୍ରିୟଙ୍କା ନିଜର ପ୍ରଶଂସକଙ୍କଠାରୁ ପାଇଥିବା କରୋନା ସମ୍ପର୍କିତ ପ୍ରଶ୍ନଗୁଡ଼ିକୁ ସିଧା ଡବ୍ଲୁଏଚ୍ଓର ନିର୍ଦ୍ଦେଶକ ଟେଡ୍ରସ ଆଧାନମ୍ ଘେବ୍ରେସସଙ୍କ ନିକଟକୁ ପଠାଇଥିଲେ। ଡବ୍ଲୁଏଚ୍ଓ ନିର୍ଦ୍ଦେଶକ ପ୍ରିୟଙ୍କା ଏସବୁ ପ୍ରଶ୍ନର ଉତ୍ତର ଦେବାପରେ ପ୍ରିୟଙ୍କା ଏହାକୁ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ନିକ୍ ଜୋନ୍ସ ଏକ ପ୍ରଶ୍ନ କରିଥିଲେ ଯେ, ତାଙ୍କୁ ଟାଇପ୍-୧ ଡାଇବେଟିସ୍ ଏବଂ ପତ୍ନୀ ପ୍ରିୟଙ୍କା ଶ୍ବାସରୋଗୀ। କରୋନା ଭାଇରସ୍ରୁ ବଞ୍ଚିବା ପାଇଁ କ’ଣ ଉପାୟ ବୋଲି ନିକ୍ ଜୋନ୍ସ ପ୍ରଶ୍ନ କରିଥିଲେ। ଟେଡ୍ରସ୍ ଆଧାନମ୍ ଏହାର ଉତ୍ତରରେ ସେମାନଙ୍କୁ ବାହାରକୁ ବାହାରିବାକୁ ମନା କରିଛନ୍ତି। ଡାଇବେଟିସ୍, କ୍ୟାନ୍ସର, ହୃଦ୍ରୋଗ, ଶ୍ବାସରୋଗ ଭଳି ରୋଗ ପାଇଁ ରୋଗୀଙ୍କୁ ଯଥାସମ୍ଭବ ଆକ୍ରାନ୍ତଙ୍କଠାରୁ ଦୂରରେ ରହିବାକୁ ଡ. ଟେଡ୍ରସ୍ ପରାମର୍ଶ ଦେଇଛନ୍ତି। କରୋନା ଭାଇରସ ବାୟୁ ଦ୍ବାରା ସଂକ୍ରମିତ ହୋଇଥାଏ କି ବୋଲି ପ୍ରିୟଙ୍କା ପ୍ରଶ୍ନ କରିଥିଲେ। ଏହା ବାୟୁବାହିତ ରୋଗ ନୁହେଁ ବୋଲି ଡ. ମାରିଆ ଉତ୍ତର ଦେଇଥିଲେ।
୨୧ ଦିନିଆ ଲକ୍ଡାଉନ୍ ଅଧିକ ହୋଇଗଲା: ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ : କରୋନା ଭାଇରସ ମୁକାବିଲା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ୨୧ ଦିନିଆ ଲକ୍ଡାଉନ୍କୁ ରାଜନେତା ପ୍ରଶାନ୍ତ କିଶୋର ସମାଲୋଚନା କରିଛନ୍ତି। ସମଗ୍ର ଦେଶକୁ ୨୧ ଦିନ ପାଇଁ ସମ୍ପୂର୍ଣ୍ଣ ଲକ୍ଡାଉନ୍ କରିବା ଅଧିକ ହୋଇଗଲା। ଆଗକୁ ଆହୁରି ଦୁର୍ଦ୍ଦିନ ଆସୁଛି ବୋଲି ପ୍ରଶାନ୍ତ କିଶୋର ଟ୍ବିଟ୍ ମାଧ୍ୟମରେ ଚେତାବନୀ ଦେଇଛନ୍ତି। କରୋନା ମୁକାବିଲା ପାଇଁ ଲକ୍ଡାଉନ୍ ହୁଏତ ଉଚିତ୍ ପଦକ୍ଷେପ ହୋଇପାରେ। ମାତ୍ର ୨୧ ଦିନ ସମୟସୀମା ଅଧିକ ଦୀର୍ଘ ହୋଇଗଲା। ଦେଶର ଗରିବ ଜନସାଧାରଣଙ୍କ ପାଇଁ ଏହି ଲକ୍ଡାଉନ୍ ବଡ଼ ଆହ୍ବାନ ବୋଲି ପ୍ରଶାନ୍ତ କିଶୋର ଟ୍ବିଟ୍ କରିଛନ୍ତି। ସୂଚନାଯୋଗ୍ୟ, ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶରେ ୨୧ ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ସାମାଜିକ ଦୂରତ୍ବ ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ସର୍ବାଧିକ ଗୁରୁତ୍ବାରୋପ କରିଛନ୍ତି।