ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ କଂଗ୍ରେସର ସ୍ଥିତି ସୁଦୃଢ଼ ପାଇଁ ପ୍ରୟାସ ଆରମ୍ଭ କରିଥିବା କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ କିଛି ବି ଚମତ୍କାର ଘଟାଇ ପାରନ୍ତି। ପ୍ରିୟଙ୍କାଙ୍କ ପ୍ରଭାବରେ ଏବେ କଂଗ୍ରେସର ସଦସ୍ୟତା ସଂଖ୍ୟା ବୃଦ୍ଧି ପାଇଛି। ତୃଣମୂଳ ସ୍ତରରୁ ପ୍ରିୟଙ୍କା କଂଗ୍ରେସର ସ୍ଥିତିକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସୂଚନାନୁଯାୟୀ ପ୍ରିୟଙ୍କା ଗତ ଜାନୁଆରିରୁ ସକ୍ରୀୟ ରାଜନୀତିରେ ପ୍ରବେଶ କରିବାପରେ କଂଗ୍ରେସର‘ ଶକ୍ତି ନେଟୱର୍କ’ ସୁଦୃଢ଼ ହୋଇଛି। ଏହି ଶକ୍ତି ନେଟୱର୍କ ତୃଣମୂଳସ୍ତରରୁ କର୍ମୀମାନଙ୍କୁ ଦଳୀୟ ନେତୃତ୍ବଙ୍କ ସହ ସଂଯୋଗ କରିବା ଲକ୍ଷ୍ୟରେ ପ୍ରସ୍ତୁତ କରାଯାଇଛି । ଗତ ଜୁନ୍ ମାସରୁ ଆରମ୍ଭ ହୋଇଥିବା ଏହି ଶକ୍ତି ନେଟୱର୍କରେ ସଦସ୍ୟ ସଂଖ୍ୟା ୨୨ ପ୍ରତିଶତ ବୃଦ୍ଧି ପାଇଛି। ପ୍ରାରମ୍ଭରେ ଏହାର ସଦସ୍ୟ ସଂଖ୍ୟା ଥିଲା ୫.୪ ନିୟୁତ। କିନ୍ତୁ ପ୍ରିୟଙ୍କା ରାଜନୀତିରେ ପ୍ରବେଶ କରିବାପରେ ଏହି ଶକ୍ତି ନେଟୱର୍କ ସଦସ୍ୟ ସଂଖ୍ୟା ମାତ୍ର ୨ ମାସ ମଧ୍ୟରେ ୨୨ ପ୍ରତିଶତ ବୃଦ୍ଧି ପାଇଛି। ତେବେ ସବୁଠୁ ଗୁରୁତ୍ବପୁର୍ଣ୍ଣ ହେଉଛି ପ୍ରିୟଙ୍କା ଆସିବାପରେ କଂଗ୍ରେସର ମହିଳା ଶକ୍ତି ସୁଦୃଢ଼ ହୋଇଛି। ଶକ୍ତି ସଦସ୍ୟତାରେ ୪୦ ପ୍ରତିଶତ ମହିଳା ସଦସ୍ୟ ବୃଦ୍ଧି ପାଇଛନ୍ତି। ପ୍ରିୟଙ୍କାଙ୍କ ପ୍ରଭାବରେ ଅଧିକାଂଶ ମହିଳା ସ୍ବେଚ୍ଛାକୃତ ଭାବେ କଂଗ୍ରେସ ପାଇଁ କାମ କରୁଛନ୍ତି। ତେବେ ମହିଳା ସ୍ବେଚ୍ଛାସେବୀଙ୍କୁ ଆକର୍ଷିତ କରିବା ନେଇ ପ୍ରିୟଙ୍କାଙ୍କ ପାଖରେ ଥିବା ସ୍ବତନ୍ତ୍ର କଳା କଂଗ୍ରେସକୁ ଖୁବ୍ ସୁହାଇବ ବୋଲି କୁହାଯାଉଛି।