ରାଜନୀତିକୁ ଓହ୍ଲାଇଲେ ପ୍ରିୟଙ୍କା

କଂଗ୍ରେସର ସାଧାରଣ ସମ୍ପାଦକ ନିଯୁକ୍ତ, ମିଳିଲା ଉତ୍ତର ପ୍ରଦେଶ ଦାୟିତ୍ବ, ବିଜେପି କହିଲା ପରିବାରବାଦ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବା ବେଳେ ପ୍ରିୟଙ୍କା ଗାନ୍ଧୀ ସକ୍ରିୟ ରାଜନୀତିରେ ପ୍ରବେଶ କରିଛନ୍ତି। ତାଙ୍କୁ ଆଜି କଂଗ୍ରେସର ସାଧାରଣ ସଂପାଦକ ନିଯୁକ୍ତ କରାଯାଇଛି। ଏହାସହିତ ତାଙ୍କୁ ଉତ୍ତର ପ୍ରଦେଶ (ପୂର୍ବାଞ୍ଚଳ) ଦାୟିତ୍ବ ଦିଆଯାଇଛି। ଉତ୍ତର ପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ େଯାଡ଼ିକୁ ଟକ୍କର ଦେବାଲାଗି ଏହାକୁ କଂଗ୍ରେସର ମାଷ୍ଟର‌େଷ୍ଟ୍ରାକ୍ ବୋଲି କୁହାଯାଉଛି। ଆଜିର ଘଟଣା ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିବା ବେଳେ ବିଜେପି ଏହାକୁ ପରିବାର ରାଜନୀତି କହି ତୀବ୍ର ସମାଲୋଚନା କରିଛି।

ପ୍ରିୟଙ୍କ‌ା ଏବେ ନ୍ୟୁୟର୍କ ଗସ୍ତରେ ଅଛନ୍ତି ଏବଂ ଆସନ୍ତା ଫେବୃଆରୀ ପ୍ରଥମ ସପ୍ତାହରେ ଫେରିବା ପରେ ନୂଆ ଦାୟିତ୍ବ ଗ୍ରହଣ କରିବେ ବୋଲି କଂଗ୍ରେସ ସୂତ୍ରରୁ ପ୍ରକାଶ। ଏହାସହିତ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟ ସାଧାରଣ ସଂପାଦକ ନିଯୁକ୍ତ କରାଯାଇ ଉତ୍ତର ପ୍ରଦେଶ (ପଶ୍ଚିମାଞ୍ଚଳ) ଦାୟିତ୍ବ ଦିଆଯାଇଛି। ଏହି ରାଜ୍ୟ ଦାୟିତ୍ବରେ ଥିବା ବରିଷ୍ଠ ନେତା ଗୁଲାମନବୀ ଆଜାଦଙ୍କୁ ହରିଆଣା ଦାୟିତ୍ବ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ମୋଦୀଙ୍କ ବାରଣାସୀ ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ଯୋଗୀଙ୍କ ଗୋରଖପୁର ୟୁପିର ପୂର୍ବାଞ୍ଚଳରେ ଆସୁଛି। ପୂର୍ବାଞ୍ଚଳରେ ୪୦ଟି େଲାକସଭା ଆସନ ରହିଛି। ଗତ ଉପନିର୍ବାଚନରେ ମାୟାବତୀ ଓ ଅଖିଳେଶ ମେଣ୍ଟ ଯୋଗୀଙ୍କ ପ୍ରାର୍ଥୀଙ୍କୁ ପରାସ୍ତ କରିଥିଲା। ଏବେ ଉତ୍ତର ପ୍ରଦେଶକୁ ପ୍ରିୟଙ୍କା ଏବଂ ସିନ୍ଧିଆଙ୍କ ହାତରେ କଂଗ୍ରେସ ଅର୍ପଣ କରିଛି। ରାହୁଲ ଆଜି ଆମେଥି ଗସ୍ତରେ ଯାଇଥିବା ବେଳେ ପ୍ରିୟଙ୍କାଙ୍କୁ ଏହି ନିଯୁକ୍ତି ମିଳିଛି।

ପ୍ରିୟଙ୍କାଙ୍କ ରାଜନୀତି ପ୍ରବେଶ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି କରିଛି। ସେମାନେ ଏଥିପାଇଁ ବହୁ ପୂର୍ବରୁ ଦାବି କରି ଆସୁଥିଲେ ମଧ୍ୟ ପ୍ରିୟଙ୍କା ଦଶନ୍ଧି ଧରି କେବଳ ଆମେଥି ଓ ରାୟବରେଲି ନିର୍ବାଚଣ୍ଡଳୀରେ ପ୍ରଚାର କାର୍ଯ୍ୟରେ ନିଜକୁ ସୀମିତ ରଖିଥିଲେ। ଆମେଥିରେ ଭାଇ ରାହୁଲ ଓ ରାୟବରେଲିରେ ମାଆ ସୋନିଆ ଗାନ୍ଧୀଙ୍କ ପାଇଁ ସେ ପ୍ରଚାର କରୁଥିଲେ। ତେବେ ଗତ କିଛି ଦିନ ହେବ ସେ କଂଗ୍ରେସ କାମରେ ନିଜକୁ ଅଧିକ ସକ୍ରିୟ କରିଥିଲେ। ରାଜସ୍ଥାନ ଓ ମଧ୍ୟପ୍ରଦେଶ
ମୁଖ୍ୟମନ୍ତ୍ରୀ ଚୟନରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ଉତ୍ତରପ୍ରଦେଶରେ ସର୍ବାଧିକ ୮୦ଟି ଲୋକସଭା ନିର୍ବାଚନମଣ୍ଡଳୀ ରହିଛି। ଦିଲ୍ଲୀରେ ଶାସନ କରିବାକୁ ହେଲେ ଏହି ରାଜ୍ୟରେ ସବୁଠୁ ଅଧିକ ଆସନ ଜିତିଥିବା ଦଳକୁ ଦିଲ୍ଲୀ ଅଧିକାର କରିବା ସହଜ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ପ୍ରିୟଙ୍କାକୁ ଉତ୍ତର ପ୍ରଦେଶ ଦାୟିତ୍ବ ଦେଇଥିବା କୁହାଯାଉଛି। ଏବେ ରାଜ୍ୟରୁ ବିଜେପିର ୭୦ ଜଣ ଲୋକସଭା ସାଂସଦ ଥିବା ବେଳେ କଂଗ୍ରେସ ହାତରେ ମାତ୍ର ଦୁଇଟି ଆସନ ରହିଛି। ରାଜ୍ୟରେ କଂଗ୍ରେସ ଅବସ୍ଥା ଶୋଚନୀୟ ରହିଥିବାରୁ ଏହାସହିତ ଏସପି ଏବଂ ବିଏସପି ମେଣ୍ଟ କରିବାକୁ ରାଜି ନଥିଲେ। ସେମାନେ କଂଗ୍ରେସକୁ ବାଦ ଦେଇ ମେଣ୍ଟ କରିଛନ୍ତି। ତେବେ ୟୁପି ରାଜନୀତିରେ ପ୍ରିୟଙ୍କାଙ୍କ ପ୍ରବେଶ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିବ। ଏହାକୁ କେହି ଅଣଦେଖା କରିପାରିବେ ନାହିଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ପ୍ରକାଶ କରିଛନ୍ତି। ସ୍ବର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭଳି ଦେଖାଯାଉଥିବା ପ୍ରିୟଙ୍କା କଂଗ୍ରେସ ପାଇଁଭୋଟ ଟାଣିପାରିବେ। ତାଙ୍କର ଏଭଳି ଦକ୍ଷତା ରହିଛି ବୋଲି ସେମାନଙ୍କର ମତ। ନିକଟରେ ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ ବିଜୟ ପରେ କଂଗ୍ରେସ କର୍ମୀ ଉତ୍ସାହିତ ଥିବ‌ା ବେ‌‌େଳ ପ୍ରିୟଙ୍କା ରାଜନୀତି ପ୍ରବେଶ ସେମାନଙ୍କୁ ଅଧିକ ଶକ୍ତି ଦେବ ଏବଂ ଏହା ନିର୍ବାଚନକୁ ନିଶ୍ଚିତ ରୂପେ ପ୍ରଭାବିତ କରିବ ବୋଲି କୁହାଯାଉଛି।

ତେବେ ପ୍ରିୟଙ୍କାଙ୍କ ରାଜନୀତି ପ୍ରବେଶକୁ ବିଜେପି ସହଜରେ ଗ୍ରହଣ କରିପାରି ନାହିଁ। ରାହୁଲ ବିଫଳ ହେ‌େଲ ବୋଲି ପ୍ରିୟଙ୍କାଙ୍କୁ କଂଗ୍ରେସ ଅସ୍ତ୍ର କଲା ବୋଲି ପାର୍ଟିର ମୁଖପାତ୍ର କହିଛନ୍ତି। ସେହିଭଳି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କଂଗ୍ରେସର ସମାଲୋଚନା କରି କହିଛନ୍ତି ଯେ ଏହି ଦଳ ଗୋଟିଏ ପରିବାର ଭିତ‌େର ସୀମିତ ରହିଛି। ପରିବାରବାଦକୁ ଆଗେଇ ନେବା ଲାଗି କଂଗ୍ରେସର ଏହା ଆଉ ଏକ ପଦକ୍ଷେପ ବୋଲି ବିଜେପି ନେତା ସୀତାରମଣ କହିଛନ୍ତି।

ସମ୍ବନ୍ଧିତ ଖବର