୨୦୧୪ର ନିର୍ବାଚନୀ ପ୍ରତିଶ୍ରୁତିକୁ ପୂରଣ କରିବାରେ ବିଫଳ ହୋଇଛନ୍ତି ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର: ପ୍ରିୟଙ୍କା

ଗାନ୍ଧୀନଗର (ଗୁଜୁରାଟ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସଂପାଦିକା ଭାବେ ନିଯୁକ୍ତି ପାଇଥିବା ଏବଂ ଉତ୍ତରପ୍ରଦେଶ (ପୂର୍ବ)ର ଦଳୀୟ ଦାୟିତ୍ୱ ମୁଣ୍ଡାଇ ଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସକ୍ରିୟ ରାଜନୀତିକୁ ପ୍ରବେଶ କରିବା ପରେ ଆଜି ସର୍ବପ୍ରଥମ ଥର ପାଇଁ ଏକ ନିର୍ବାଚନୀ ର‍୍ୟାଲିକୁ ସମ୍ବୋଧିତ କରିଛନ୍ତି।

ବିଜେପିର ଗଡ଼ ଭାବେ ପରିଚିତ ଗୁଜୁରାଟର ଗାନ୍ଧୀନଗର ଠାରେ ଆୟୋଜିତ ଏହି ନିର୍ବାଚନ ର‍୍ୟାଲିକୁ ସମ୍ବୋଧିତ କରିବା ଅବସରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାରର ତୀବ୍ର ସମାଲୋଚନା କରିଛନ୍ତି ପ୍ରିୟଙ୍କା। ବେକାରଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବାକୁ ନିର୍ବାଚନୀ ପ୍ରତିଶ୍ରୁତି ଦେଇ ୨୦୧୪ରେ କ୍ଷମତା ଅକ୍ତିଆର କରିଥିବା ପ୍ରଧାନମନ୍ତ୍ରୀ ମୋଦି ଦେଶର ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ପ୍ରଦାନ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ପ୍ରିୟଙ୍କା।

ନିଜ ଭାଷଣରେ ପ୍ରିୟଙ୍କା ୨୦୧୯ ନିର୍ବାଚନ ପରିପ୍ରେକ୍ଷୀରେ ଦେଶ ସମ୍ମୁଖରେ ରହିଥିବା ଆହ୍ଵାନ ସବୁକୁ ଦର୍ଶାଇବା ସହ ଦେଶ ଏବେ ଏକ ଘଡ଼ିସନ୍ଧି ବେଳ ଦେଇ ଗତି କରୁଥିବା କହିଛନ୍ତି। ଏପରିସ୍ଥିତିରେ ସବୁ ଦିଗକୁ ବିଚାରକୁ ନେଇ ନିଜର ବହୁମୂଲ୍ୟ ଭୋଟ ଦେବାକୁ ଭୋଟରମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରିୟଙ୍କା। କାରଣ, ଭୋଟରମାନେ କେବଳ ଦଳ କିମ୍ବା ନେତାମାନଙ୍କୁ ନିର୍ବାଚିତ କରିବେ ନାହିଁ; ବରଂ ନିଜର ବହୁମୂଲ୍ୟ ଭୋଟ ଜରିଆରେ ସେମାନଙ୍କର ଆଗାମୀ ଭବିଷ୍ୟତକୁ ମଧ୍ୟ ନିର୍ଦ୍ଧାରଣ କରିବେ ବୋଲି ସତର୍କ କରାଇ ଦେଇଛନ୍ତି ପ୍ରିୟଙ୍କା। ଏକ ସମୟରେ ନିଜର ଶାନ୍ତି, ସୌହାର୍ଦ୍ଦ୍ୟ ଓ ଭାଇଚାରା ପାଇଁ ସମଗ୍ର ଦେଶରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଆମ ଦେଶ ଭାରତରେ ଆଜିର ପରିବର୍ତ୍ତିତ ପରିସ୍ଥିତିରେ ଯାହା ସବୁ ଘଟୁଛି, ତାହା ଅତ୍ୟନ୍ତ ବେଦନା ଦାୟକ ବୋଲି କହିଛନ୍ତି ପ୍ରିୟଙ୍କା।

ଗୁଜୁରାଟର ଗାନ୍ଧୀନଗର ଠାରେ ୨୦୧୯ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଦଳର ରଣନୀତି ପ୍ରସ୍ତୁତ ପାଇଁ ଆୟୋଜିତ ହୋଇଥିବା ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର କାର୍ଯ୍ୟକାରୀ କମିଟି ବୈଠକରେ ଯୋଗଦେବା ପରେ ଅପରାହ୍ଣରେ ପ୍ରିୟଙ୍କା ଏହି ନିର୍ବାଚନୀ ର‍୍ୟାଲିରେ ଯୋଗ ଦେଇଥିଲେ। ଏହି ର‍୍ୟାଲିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର