ଗଙ୍ଗା ନୌଯାତ୍ରାରେ ପ୍ରିୟଙ୍କାଙ୍କ ପ୍ରଚାର ଆରମ୍ଭ

ଲ‌କ୍ଷ୍ନୌ : ଲୋକସଭାକୁ ସବୁଠୁ ଅଧିକ ଆସନ ଦେଉଥିବା ଉତ୍ତରପ୍ରଦେଶରେ ଆଜି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ପ୍ରିୟଙ୍କାଙ୍କ ଅଣଜେଜେ ତଥା ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହରୁଙ୍କ ଜନ୍ମସ୍ଥାନ ପ୍ରୟାଗରାଜ(ଆହ୍ଲାବାଦ୍‌)ରୁ ପ୍ରିୟଙ୍କା ୩ ଦିନିଆ ପ୍ରଚାର ଆରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀ ବାରଣାସୀରେ ସାରିବେ। ପବିତ୍ର ସଙ୍ଗମ ଘାଟସ୍ଥିତ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରି ମନେୟା ଘାଟରୁ ସେ ଆରମ୍ଭ କରିଥିବା ‘ଗଙ୍ଗା ଯାତ୍ରା’ ନାମକ ପ୍ରଚାର ନୌଯାତ୍ରାରେ ୧୪୦ କିମି ବାଟ ଅତିକ୍ରମ କରିବେ। ଏହି ସମୟରେ ନଦୀକୂଳିଆ ଗ୍ରାମଗୁଡ଼ିକର ଲୋକମାନଙ୍କ ସହ କଥାବାର୍ତ୍ତା କରି ‌କଂଗ୍ରେସ ପାଇଁ ଭୋଟ୍‌ ଭିକ୍ଷା କରିବେ। ଆସନ୍ତା‌ ବୁଧବାର ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମସ୍ଥାନ ଯିବା ସହ ବାରଣାସୀ ଘାଟରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଉଲ୍ଲେଖଯୋଗ୍ୟ, ପ୍ରିୟଙ୍କା ଗତକାଲି ଲକ୍ଷ୍ନୌରେ ଦଳୀୟ କର୍ମୀମାନଙ୍କୁ ଭେଟିଥିଲେ ଏବଂ ପରେ ତାଙ୍କ ଜେଜେମା’ ଇନ୍ଦିରା ଗାନ୍ଧୀଙ୍କ ଜନ୍ମସ୍ଥାନ ସ୍ବରାଜ ଭବନରେ ରାତି କଟାଇଥିଲେ।

ସମ୍ବନ୍ଧିତ ଖବର