ବିଜେତାଙ୍କ ଘରକୁ ପଠାଯିବ ଚଳଚ୍ଚିତ୍ର ପୁରସ୍କାର

ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି

0 163

ନୂଆଦିଲ୍ଲୀ: ଦୁଇ ଦିନ ତଳେ ରାଜଧାନୀ ଦିଲ୍ଲୀରେ ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବ ଶେଷ ହୋଇଥିବା ବେଳେ, ଏଥିରେ ଯୋଗଦେଇ ନଥିବା ୬୫ ଜଣ ବିଜେତାଙ୍କ ଘରକୁ ସେମାନଙ୍କ ପୁରସ୍କାର ପଠାଇ ଦିଆଯିବ ବୋଲି ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ରାଷ୍ଟ୍ରପତିଙ୍କ ହାତରୁ ପୁରସ୍କାର ଗ୍ରହଣ କରିବାରୁ ବଞ୍ଚିତ ହୋଇଥିବାରୁ ୬୫ ବିଜେତା ପୁରସ୍କାର ସମାରୋହକୁ ବର୍ଜନ କରିଥିଲେ। ପୁରସ୍କାର ଗ୍ରହଣ କରିନଥିବା ବିଜେତାଙ୍କ ଘରକୁ ଡାକ ଯୋଗେ ସେମାନଙ୍କର ମେଡାଲ ଓ ମାନପତ୍ର ପଠାଇ ଦିଆଯିବ। ଅତୀତରେ ମଧ୍ୟ ଯେତେବେଳେ କୌଣସି ବିଜେତା ପୁରସ୍କାର ଗ୍ରହଣ କରିପାରିନଥାନ୍ତି, ସେହି ସମୟରେ ଡାକ ଯୋଗେ ତାଙ୍କ ଘରକୁ ପୁରସ୍କାର ପଠାଯାଇଛି। ରାଷ୍ଟ୍ରପତିଙ୍କ ବଦଳରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ରାଜ୍ୟବର୍ଦ୍ଧନ ସିଂହ ରାଥୋଡ଼ ଏହି ପୁରସ୍କାର ଦେଉଥିବା ଘୋଷଣା ହେବା ପରେ ଏହାକୁ ବିରୋଧ କରି ପ୍ରାୟ ୭୦ ଜଣ ବିଜେତା ଚିଠି ଲେଖି ଉତ୍ସବରେ ଯୋଗ ଦେବେନାହିଁ ବୋଲି କହିଥିଲେ। ଏହାସତ୍ତ୍ୱେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବାରୁ ସେମାନେ ବାଧ୍ୟହୋଇ ଉତ୍ସବ ବର୍ଜନ କରିଥିଲେ। ତେବେ ଏହି ଘଟଣାକୁ ନେଇ ଅସନ୍ତୋଷ ତୀବ୍ର ହେବାପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଃଖ ପ୍ରକାଶ କରିଛନ୍ତି। ବାରମ୍ବାର ଏହି ପ୍ରସଙ୍ଗକୁ ନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସହ କେନ୍ଦ୍ର ସରକାର ସମ୍ପର୍କରେ ଥିଲେ। ରାଷ୍ଟ୍ରପତି ୧ ଘଣ୍ଟାରୁ ଅଧିକ ସମୟ ଦେବେ ନାହିଁ ବୋଲି କେନ୍ଦ୍ର ସରକାର ଜାଣିଥିବା ସତ୍ତ୍ୱେ ନିମନ୍ତ୍ରଣରେ ରାଷ୍ଟ୍ରପତି ପୁରସ୍କାର ଦେବେ ବୋଲି ଲେଖାଯିବାରୁ ବିବାଦ ସୃଷ୍ଟି ହୋଇଛି ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.