ଜମି ଜାଲିଆତି ନେଇ ଭଦ୍ରାଙ୍କ ଉପରେ ଯାଞ୍ଚ୍‌ ହେଉ, ରାଫେଲ ନେଇ ମୋଦିଙ୍କ ଉପରେ ବି ତଦନ୍ତ ହେଉ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆଇନ୍‌ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ ବୋଲି ମତ ରଖି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଫେଲ୍‌ ଚୁକ୍ତିରେ ସଂପୃକ୍ତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି। ସମ୍ପତ୍ତି ଜାଲିୟାତି ମାମଲାରେ ଫସିଥିବା ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ତଥା ତାଙ୍କ ଭିଣୋଇ ରୋବର୍ଟ ଭଦ୍ରାଙ୍କ ଉପରେ ଯାଞ୍ଚ୍‌ କରାଯାଉଥିବା ପ୍ରସଂଗ ନେଇ ସେ ଏପରି କହିଛନ୍ତି। ରାହୁଲ ଚେନ୍ନାଇଠାରେ ଥିବା ଷ୍ଟିଲା ମରିସ୍‌ କଲେଜରେ ଛାତ୍ରାଛାତ୍ରୀମାନଙ୍କୁ ସମ୍ବୋଧନ କରି କହିଛନ୍ତି କି ‘ତଦନ୍ତ ପାଇଁ ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ ବଛା ନଯାଉ। ସମସ୍ତଙ୍କ ଉପରେ ତଦନ୍ତ କରାଯାଉ। ସେ ମିଷ୍ଟର ଭଦ୍ରା ହୁଅନ୍ତୁ କି ପ୍ରଧାନମନ୍ତ୍ରୀ ମୋଦି ହୁଅନ୍ତୁ। ରାଫେଲ୍‌ ମାମଲାରେ ସଂପୃକ୍ତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବି ତଦନ୍ତ କରାଯାଉ।’

କଲେଜର ଜଣେ ଛାତ୍ର ରାହୁଲଙ୍କୁ ଭଦ୍ରାଙ୍କ ସଂପର୍କରେ ପ୍ରଶ୍ନ ପଚାରିବା ପରେ ସେ ଏପରି କହିଛନ୍ତି। ଉଲ୍ଲେଖଯୋଗ୍ୟ, ରାହୁଲଙ୍କ ଭିଣୋଇ ରୋବର୍ଟ ଭଦ୍ରା ସମ୍ପତ୍ତି ଜାଲିଆତି ମାମଲାରେ ଫସିବା ପରେ ଏବେ ପ୍ରବର୍ତ୍ତନ ନର୍ଦ୍ଦେଶାଳୟ(ଇଡ) ତାଙ୍କ ଉପରେ ତଦନ୍ତ ଚଳାଇଛି। ଇତି ମଧ୍ୟରେ ଭଦ୍ରା ଅନେକ ଥର ଇଡି ପଚାରୁଥିବା ପ୍ରଶ୍ନର ସାମ୍ନା କରି ସାରିଲେଣି। ତାଙ୍କ ମାମଲା ସମାଧାନ ହେବା ପରେ ସେ ରାଜନୀତିରେ ଯୋଗ ଦେବେ ବୋଲି ମଧ୍ୟ ଗଣମାଧ୍ୟମରେ କହି ସାରିଛନ୍ତି।

ସମ୍ବନ୍ଧିତ ଖବର