ଅଡ଼ୁଆରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଅସହାୟ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ ଓ ଗିରଫ ନିର୍ଦେଶ

ଡେରାଡୁନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ରାଓ୍ଵତ ଜଣେ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରି ଏବଂ ତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଏବେ ଅଡ଼ୁଆରେ ପଡ଼ି ଯାଇଛନ୍ତି। ତେବେ ଶିକ୍ଷୟିତ୍ରୀଙ୍କର ଭୁଲ୍‌ ଏତିକି ଥିଲା ଯେ ସେ କେବଳ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବଦଳି ପାଇଁ ଅନୁରୋଧ କରିଥିଲେ। ପ୍ରାଥମିକ ସ୍କୁଲ୍‌ ଶିକ୍ଷୟିତ୍ରୀ ଉତ୍ତରା ବହୁଗୁଣା ରାଜଧାନୀ ଡେରାଡୁନ୍‌ ଠାରୁ ୧୪୪ କିମି ଦୂର ଉତ୍ତରକାଶୀରେ ଗତ ୨୫ ବର୍ଷ ହେବ କାମ କରି ଆସୁଛନ୍ତି। ତେବେ ୩ ବର୍ଷ ତଳେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯିବା ପରେ ସେ ଡେରାଡୁନ୍‌କୁ ବଦଳି ହେବାପାଇଁ ଚେଷ୍ଟା ଚଳାଇଛନ୍ତି। ଡେରାଡୁନ୍‌ରେ ତାଙ୍କ ପିଲାମାନେ ରହୁଛନ୍ତି। ଗତ ଗୁରୁବାର ଦିନ ସେ ମୁଖ୍ୟମନ୍ତ୍ରୀଙ୍କ ଜନତା ଦରବାର କାର୍ଯ୍ୟକ୍ରମକୁ ଯାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବଦଳି ନେଇ ସେ ଅନୁରୋଧ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ତାଙ୍କ କଥା ଶୁଣିବେ ବୋଲି ସେ ଆଶା ରଖିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ସିଧାସଳଖ ମନା କରିଦେବାରୁ ଉତ୍ତରା ତାଙ୍କ ବଦଳି କାହିଁକି ହୋଇପାରିବ ନାହିଁ ବୋଲି ପ୍ରଶ୍ନ କରିଥିଲେ। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଚକ୍ରାନ୍ତର ସେ ଶିକାର ହୋଇଛନ୍ତି ବୋଲି ଅଭିଯୋଗ କରିଥିଲେ। ଶିକ୍ଷୟିତ୍ରୀଙ୍କ ଏତିକି କଥାରେ ତ୍ରିବେନ୍ଦ୍ରଙ୍କ ରାଗ ଚଢ଼ିଗଲା। ଶିକ୍ଷୟିତ୍ରୀଙ୍କୁ ତତ୍କାଳ ନିଲମ୍ବନ କରିବା ସହ ତାଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ବିରୋଧୀ ଦଳ କଂଗ୍ରେସ ସମେତ ବିଭିନ୍ନ ମହଲ ସମାଲୋଚନା କରିଛନ୍ତି। ପୂର୍ବ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ଵତ ତ୍ରିବେନ୍ଦ୍ର ରାଓ୍ଵତଙ୍କୁ ସମ୍ବେଦନଶୂନ୍ୟ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଜଣେ ବିଧବା ଶିକ୍ଷୟିତ୍ରୀ ୨୫ ବର୍ଷ ହେବ ଦୁର୍ଗମ ଅଞ୍ଚଳରେ ଚାକିରି କରୁଥିଲେ ମଧ୍ୟ ତାଙ୍କ ସମସ୍ୟା ପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି।

ସମ୍ବନ୍ଧିତ ଖବର