ବିବାଦରେ ବିଜେପି ନେତା ଦଙ୍ଗା ଅଭିଯୁକ୍ତଙ୍କୁ ଭେଟିଲେ ଗିରିରାଜ

ପାଟନା: ଗୋରକ୍ଷା ନାମରେ ଜଣେ ବେପାରୀଙ୍କୁ ପିଟିପିଟି ମାରିଥିବା ୮ ଜଣଙ୍କୁ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ସମ୍ବର୍ଦ୍ଧନା ଦେଇ ବିବାଦକୁ ଆସିବା ପରେ ଆଜି ଆଉଜଣେ ଦଳୀୟ ନେତା ନୂଆ ବିବାଦ ସୃଷ୍ଟି କରିଛନ୍ତି। କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ରାଷ୍ଟ୍ରମନ୍ତ୍ରୀ ଗିରିରାଜ ସିଂହ କିଛି ଦଙ୍ଗା ଅଭିଯୁକ୍ତଙ୍କୁ ଜେଲରେ ଭେଟି ସମବେଦନା ଜଣାଇବା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଭେଟି କାନ୍ଦିବା ଘଟଣା ଆଜି ଚର୍ଚ୍ଚାର ପରିସରକୁ ଆସିଛି। ଗିରିରାଜଙ୍କ ଏଭଳି କାର୍ଯ୍ୟକୁ ସମାଲୋଚନା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବିହାର ପାଇଁ ଗିରିରାଜଙ୍କ କାର୍ଯ୍ୟ ବିପଦ ବୋଲି ନୀତୀଶ କହିଛନ୍ତି। ବିଜେପି ୨୦୧୪ରେ ଶାସନ ଦାୟିତ୍ୱ ନେବା ପରଠାରୁ ଦେଶରେ ଏଭଳି ଘଟଣା ବୃଦ୍ଧି ପାଉଥିବା ବେଳେ ଦଳର ବରିଷ୍ଠ ନେତା ମଧ୍ୟ ଏଭଳି କାର୍ଯ୍ୟକଳାପରେ ଜଡ଼ିତ ହେବା ଅଶୋଭନୀୟ ବୋଲି ବିରୋଧୀ ଦଳ ନେତାମାନେ କହିଛନ୍ତି। ଉଲ୍ଲେଖଥାଉ କି ଚଳିତବର୍ଷ ମାର୍ଚ୍ଚରେ ବିହାରର ନଓ୍ଵାଡ଼ାରେ ଏକ ହନୁମାନ ମୂର୍ତ୍ତି ଭଙ୍ଗାରୁଜାକୁ ନେଇ କିଛି ଲୋକ ଉକ୍ତ ଅଞ୍ଚଳରେ ତୁମୂଳ କାଣ୍ଡ ଘଟାଇଥିଲେ। ଦୋକାନ ବଜାରକୁ ପଥର ଫିଙ୍ଗିବା ଠାରୁ ଆରମ୍ଭ କରି ଗଣମାଧ୍ୟମ ପ୍ରତିନିଧିଙ୍କୁ ପିଟିବା, ବ୍ୟବସାୟିକ ପ୍ରତିଷ୍ଠାନ ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଆକ୍ରମଣ ହୋଇଥିଲା। ଏହାଦ୍ୱାରା ଅନେକ କ୍ଷୟକ୍ଷତି ହୋଇଥିଲା। ଶେଷରେ ପୁଲିସ ପହଞ୍ଚି ଫାଙ୍କା ଗୁଳିଚାଳନା କରିବା ସହିତ କିଛି ଦଙ୍ଗା ସୃଷ୍ଟିକାରୀଙ୍କୁ ଗିରଫ କରିଥିଲା। ତେବେ ଘଟଣାର କିଛିଦିନ ପରେ ମନ୍ତ୍ରୀ ସିଂହ ଉକ୍ତ ଦଙ୍ଗାକାରୀଙ୍କୁ ଜେଲରେ ଭେଟିଥିଲେ। ସେମାନଙ୍କର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ତାଙ୍କ କହିବାନୁଯାୟୀ ଏମାନେ ହେଉଛନ୍ତି ଶାନ୍ତିର ଦୂତ। ଏମାନେ ସବୁବେଳେ ଶାନ୍ତି ପ୍ରତିଷ୍ଠା କରିବାକୁ ପ୍ରୟାସ କରୁଛନ୍ତି। ସେମାନଙ୍କୁ ଦଙ୍ଗାକାରୀ ବୋଲି କହିବା ଅନୁଚିତ। ଏମିତି କି ସେମାନେ କୌଣସି ହିଂସା ଘଟାଇଛନ୍ତି କି ନାହିଁ ସେ ନେଇ ପ୍ରଶାସନ ଯାଞ୍ଚ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର