ବୟାନକୁ ନେଇ ଝଡ଼, ମୋଦୀ ଶିବଲିଙ୍ଗରେ ବସିଥିବା ବିଛା ଭଳି: ଥରୁର

ରାହୁଲ କ୍ଷମା ମାଗନ୍ତୁ: ବିଜେପି

ନୂଆଦିଲ୍ଲୀ: ନିଜ ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି। ଏହାକୁ ନେଇ ଦେଶର ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ଥରୁରଙ୍କ ବୟାନ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି। ପ୍ରସାଦ କହିଛନ୍ତି, ରାହୁଲ ପ୍ରକୃତରେ ଯଦି ନିଜକୁ ଶିବଭକ୍ତ ଭାବୁଛନ୍ତି, ତା’ହେଲେ ସେ ତାହାର ପ୍ରମାଣ ଦେଇ କ୍ଷମା ମାଗିନେବା ଉଚିତ। ନିଜର ନୂଆ ପୁସ୍ତକ ‘ଦ ପାରାଡକ୍ସିକାଲ୍‌ ପ୍ରାଇମ୍‌ମିନିଷ୍ଟର’କୁ ନେଇ ପୁଣି ଚର୍ଚ୍ଚ‌ାର ପରିସରକୁ ଆସିଥିବା ଥରୁର ବେଙ୍ଗାଲୁରୁରେ ଅନୁଷ୍ଠିତ ଏକ ସାହିତ୍ୟ ସମା‌େବଶରେ ଯୋଗଦେଇ ପୁସ୍ତକ ବାବଦରେ ବକ୍ତବ୍ୟ ରଖିଥିଲେ। ପୁସ୍ତକରେ ଲେଖିଥିବା କିଛି ବିବାଦୀୟ ବାକ୍ୟ ସେ ପଠନ କରିଥିଲେ। ସେ କହିଥିଲେ, ‘‘ଦିନେ ଆର୍ଏସ୍‌ଏସ୍‌ର ଜଣେ ସଦସ୍ୟ ଜଣେ ସାମ୍ବାଦିକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କରେ ଏକ ଭିନ୍ନ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ, ମୋଦୀ ଏବେ ଶିବଲିଙ୍ଗରେ ବସିଥିବା ବିଛା ଭଳି ହୋଇଛନ୍ତି, ଯାହାଙ୍କୁ ହାତ ଲଗାଇ ହେଉଛି ନା ଚପଲରେ ପିଟି ବାହାର କରାଯାଇ ପାରୁଛି।’’ ଥରୁରଙ୍କ ଏଭଳି ଉକ୍ତିକୁ କଠୋର ନିନ୍ଦା କରି ବିଜେପି ନେତା ପ୍ରସାଦ କହିଛନ୍ତି, ଗୋଟିଏ ପଟେ ରାହୁଲ ଗାନ୍ଧୀ ନିଜକୁ ଶିବଭକ୍ତ ବୋଲି ଦାବି କରୁଛନ୍ତି। ଅନ୍ୟପଟେ ତାଙ୍କର ଜଣେ ଛୋଟ ନେତା ଶିବଲିଙ୍ଗକୁ ଚପଲରେ ପିଟିବା କଥା କହୁଛନ୍ତି। ଏଭଳି କହି ଥରୁର ଶିବଲିଙ୍ଗର ପବିତ୍ରତା ଏବଂ ଭଗବାନ ଶିବଙ୍କର ଅପମାନ କରିଛନ୍ତି। ରାହୁଲ ନିଜକୁ ଯଦି ଶିବଭକ୍ତ ବୋଲି ମାନନ୍ତି, ତେବେ ଏଥିପାଇଁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ନିକଟରେ ଥରୁରଙ୍କ ‘ହିନ୍ଦୁ ପାକିସ୍ତାନ’ ବୟାନକୁ ନେଇ ଝଡ଼ ସୃଷ୍ଟି ‌େହାଇଥିଲା। ସେ କହିଥିଲେ, ୨୦୧୯ରେ ବିଜେପି ଜିତି‌େଲ, ଭାରତ ହିନ୍ଦୁ ପାକିସ୍ତାନ ହୋଇଯିବ। ନିର୍ବାଚନ ଜିତିଲେ, ବିଜେପି ନୂଆ ସମ୍ବିଧାନ ଲେଖିବ, ଯାହା ଭାରତକୁ ପାକିସ୍ତାନ ଭଳି ରାଷ୍ଟ୍ରରେ ପରିଣତ କରିଦେବ। ଫଳରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକମାନଙ୍କୁ ଶାନ୍ତିରେ ବଞ୍ଚିବାକୁ ଦିଆଯିବ ନାହିଁ।

ସମ୍ବନ୍ଧିତ ଖବର