ଧର୍ମ ସଂସଦରେ ସାଧୁ-ସନ୍ଥଙ୍କ ହଟ୍ଟଗୋଳ, ମନ୍ଦିର ନିର୍ମାଣ ତାରିଖକୁ ନେଇ ବିଭ୍ରାନ୍ତି

ପ୍ରୟାଗରାଜ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବିଧି ବ୍ୟବସ୍ଥା ମୁତାବକ ଆଗାମୀ ୨୧ ତାରିଖ ଦିନ ଶିଳାନ୍ୟାସ ଉତ୍ସବ କରାଯିବାକୁ ସାଧୁସନ୍ଥଙ୍କ ପ୍ରସ୍ତାବକୁ ନେଇ ଏବେ ବଡ଼ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ପ୍ରୟାଗରାଜରେ ଗତକାଲିଠାରୁ ଚାଲିଥିବା ଧର୍ମ ସଂସଦରେ ଏ ବାବଦ ପ୍ରସ୍ତାବକୁ ବିଶ୍ବ ହିନ୍ଦୁ ପରିଷଦ ଏବଂ ଆର୍‌ଏସ୍‌ଏସ୍‌ ନେତା ମୋହନ ଭାଗବତ ସମର୍ଥନ ଘୋଷଣା କରିନଥିବାରୁ ଆଜି ଦ୍ବିତୀୟ ଦିବସରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ରାମ ମନ୍ଦିର ନିର୍ମାଣ ପାଇଁ ଆହୁରି କିଛି ଦିନ ଅପେକ୍ଷା କରିବାକୁ ହେବ ଏବଂ ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିବା ଉଚିତ ନୁହେଁ ବୋଲି ଆଜି ଭାଗବତ ଧର୍ମ ସଂସଦରେ କହିଥିଲେ। ତେବେ ସାଧୁସନ୍ଥମାନେ ଏହାକୁ ଗ୍ରହଣ ନକରି ନିର୍ଦ୍ଧାରିତ ତିଥି ଅନୁଯାୟୀ ୨୧ରୁ ହିଁ କାମ ଆରମ୍ଭ କରିବାକୁ ଦାବି କରିଥିଲେ। ଭାଗବତ କହିଥିଲେ ଯେ ୬ ଏପ୍ରିଲରେ ୧ କୋଟି ଲୋକ ମନ୍ଦିର ପାଇଁ ମନ୍ତ୍ର ଉଚ୍ଚାରଣ କରିବେ। ଆଗକୁ ନିର୍ବାଚନ ଥିବାରୁ ‌ଯିଏ ମନ୍ଦିର ତିଆରି କରିପାରିବ ସେଭଳି ଦଳକୁ ନିର୍ବାଚିତ କରିବାକୁ ହେବ ବୋଲି ସେ କହିଥିଲେ। ତେବେ ଭାଗବତଙ୍କ ପରାମର୍ଶକୁ ପ୍ରତ୍ୟାଖ୍ୟାନ କରି ଅନେକ ସାଧୁସନ୍ଥ ନିର୍ଦ୍ଧାରିତ ୨୧ ତାରିଖରେ ହିଁ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ହେବ ବୋଲି ଘୋଷଣା କରିଥିଲେ। ସାଧୁ ସନ୍ଥ ମହଲରେ ଉତ୍ତେଜନା ଏବଂ ମନ୍ଦିର ନିର୍ମାଣ ପାଇଁ ତାରିଖ ଘୋଷଣା ପରିପ୍ରେକ୍ଷୀରେ ଉତ୍ତର ପ୍ରଦେଶ ରାଜନୀତି ଉଷ୍ମ ହୋଇଉଠିଛି। ସରକାର ଅଯୋଧ୍ୟା ଏବଂ ପ୍ରୟାଗରାଜରେ ସୁରକ୍ଷା ସ୍ଥିତି ସୁଦୃଢ଼ କରିଛନ୍ତି। ଅଯୋଧ୍ୟାର ବିବାଦୀୟ ଜମିକୁ ଛାଡ଼ି ଅନ୍ୟ ସମସ୍ତ ଜମି ମୂଳ ମାଲିକଙ୍କୁ ଫେରାଇ ଦେବାପାଇଁ କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିବାରୁ ବିଶ୍ବ ହିନ୍ଦୁ ପରିଷଦ ମନ୍ଦିର ନିର୍ମାଣ ଦିଗରେ ଅଧିକ ତତ୍ପର ହେବ ବୋଲି ସାଧୁସନ୍ଥଙ୍କ ବିଭିନ୍ନ ଗୋଷ୍ଠୀ ଆଶା ବାନ୍ଧିଥିଲେ। ତେବେ ବିଶ୍ବ ହିନ୍ଦୁ ପରିଷଦ ତାରିଖ ଘୋଷଣାକୁ ସମର୍ଥନ କରିନଥିବାରୁ ଏବେ ବିଭ୍ରାନ୍ତି ଉପୁଜିଛି। ଅନ୍ୟପକ୍ଷରେ ବିଶ୍ବହିନ୍ଦୁ ପରିଷଦ ରାମ ଜନ୍ମଭୂମି ନ୍ୟାସ ମାଧ୍ୟମରେ ନେଉଥିବା ପଦକ୍ଷେପକୁ ନିର୍ମୋହୀ ଆଖଡ଼ା ଜୋର୍‌ଦାର ବିରୋଧ କରିବ ବୋଲି ଆଜି ଘୋଷଣା କରିଛି।

ସମ୍ବନ୍ଧିତ ଖବର