ନିର୍ବାଚନ କମିଶନରେ ବିବାଦ : ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ସଂପର୍କିତ ନିର୍ଣ୍ଣୟରେ ମତ ଉଲ୍ଲେଖ କରା ନ ଯିବାରୁ ବୈଠକ ବର୍ଜନ କଲେ ନିର୍ବାଚନ କମିଶନର ଅଶୋକ ଲଭାସା

ନୂଆଦିଲ୍ଲୀ: ପୁଣି ଏକ ଗୁରୁତ୍ବପୂର୍ଣ୍ଣ ସାମ୍ବିଧାନିକ ସଂସ୍ଥା ବିବାଦ ଘେରକୁ ଆସିଛି। ଭାରତୀୟ  ନିର୍ବାଚନ କମିଶନରେ ଦେଖିବାକୁ ମିଳିଛି ବିରୋଧାଭାସର ସ୍ବର । ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କ ବିରେଧରେ ସ୍ବର ଉଠାଇଛନ୍ତି ନିର୍ବାଚନ କମିଶନର ଅଶୋକ ଲଭାସା।  ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ସଂପର୍କିତ ନିଷ୍ପତ୍ତି ନିଆଯାଉଥିବା ବୈଠକରୁ ନିଜକୁ ଦୂରେଇ ନେଇଛନ୍ତି  କମିଶନର ଲଭାସା । ଆଚରଣବିଧି ଉଲ୍ଲଂଘନ ସଂପର୍କିତ ବୈଠକରେ ସେ ଦେଉଥିବା ମତ ଚୂଡ଼ାନ୍ତ ନିଷ୍ପତ୍ତିନାମାରେ ଉଲ୍ଲେଖ କରାଯାଉ ନଥିବା ଦର୍ଶାଇ ସେ ଏ ଭଳି ପଦକ୍ଷେପ ନେଇଛନ୍ତି।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତିନି ଜଣିଆ ନିର୍ବାଚନ କମିଶନ ବୈଠକରେ ତାଙ୍କ ମତ ଶୁଣାଯାଉନଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ଅଶୋକ ଲଭାସା । ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ସଂପର୍କିତ ନିର୍ଣ୍ଣୟ ସମୟରେ ତାଙ୍କର ମତ ‘ଅଳ୍ପମତ’ ହୋଇଥିଲେ ହେଁ ତାହା ରେକର୍ଡ  କରାଯାଉନଥିବାରୁ ସେ ବୈଠକରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି।  ସେ ମେ’ ୪ ତାରିଖରେ ଏ ନେଇ ମୁଖ୍ୟ  ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କୁ ପତ୍ର ଲେଖି ଜଣାଇଥିଲେ। ଏହାପରେ ମେ’ ୧୦ ଓ ୧୪ରେ ପୁନଶ୍ଚ ପତ୍ର ଲେଖି ନିଜର ମତ ରଖିଥିଲେ। ମାତ୍ର  ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ସଂପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ନଥିରେ ତାଙ୍କର ମତ ଉଲ୍ଲେଖ କରା ନ ଯିବାରୁ ସେ ବୈଠକରୁ ନିଜକୁ ଦୂରେଇ ରଖିବାକୁ ସ୍ଥିର କରିଛନ୍ତି।

ଏହାଛଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆସିଥିବା ଆଚରଣବିଧି ଉଲ୍ଲଂଘନ ମାମଲାରେ ତାଙ୍କ ମତକୁ ରେକର୍ଡ କରାଯାଇନଥିଲ । ତାଙ୍କ ମତକୁ ଅଣଦେଖା କରି ପ୍ରାୟ ୬ଟି ଆଦର୍ଶ ଆଚରଣବିଧି ଉଲ୍ଲଂଘନ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନଚିଟ୍ ଦେଇଥିଲେ ଭାରତୀୟ ନିର୍ବାଚନ କମିଶନ୍ । ଏପରିକି ଏପ୍ରିଲ ୨୧ରେ ମୋଦି ଦେଇଥିବା ଭାଷଣରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ହୋଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଏଥିରେ ମୋଦିଙ୍କୁ କ୍ଲିନଚିଟ୍ ଦିଆଯାଇଥିଲା । ସେତେବେଳେ ମଧ୍ୟ ତାଙ୍କ ମତକୁ ଅଣଦେଖା କରାଯାଇଥିଲା ।  କମିଶନରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କ ସହ  ଅଶୋକ ଲଭାସା ଓ ସୁଶୀଲ ଚନ୍ଦ୍ରା ଦୁଇ ସଦସ୍ୟ  କମିଶନର ଅଛନ୍ତି ।

ସମ୍ବନ୍ଧିତ ଖବର