କଶ୍ମୀର ସ୍ଥିତି ସାଂଘାତିକ, ଆଉ ଜଣେ ଯବାନଙ୍କ ମୃତ୍ୟୁ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ପ୍ରବଳ ବରଫପାତ ଯୋଗୁଁ ସ୍ଥିତି ସାଂଘାତିକ ହୋଇପଡ଼ିଛି। କୁଲଗାମ୍‌ରେ ବରଫ ଅତଡ଼ା ଧସି ପୋତି ହୋଇ ପଡ଼ିଥିବା ଏକ ପୁଲିସ ପୋଷ୍ଟ୍‌ରୁ ଆଜି ଆଉ ଜଣେ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି। କୁଲଗାମ୍‌ର ପାର୍ବତ୍ୟାଞ୍ଚଳରେ ସ୍ଥିତି ଅଣାୟତ ହୋଇପଡ଼ିଛି। ଅନେକ ଆଦିବାସୀ ଗ୍ରାମରୁ ଲୋକେ ଭୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହୋଇଛନ୍ତି। ଶ୍ରୀନଗରରେ ଏବେ ତାପମାତ୍ରା ୫.୭ ଡିଗ୍ରି ସେଲସିୟସ ରହିଛି। ରାସ୍ତାଘାଟରେ ବରଫ ଗଦା ହୋଇଥିବାରୁ ଯାନବାହନ ଚଳାଚଳରେ ବାଧା ଉପୁଜିଛି। ଉତ୍ତର କଶ୍ମୀରରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହେଉଛି। କିଛି ସ୍ଥାନରେ ତାପମାତ୍ରା ମାଇନସ୍‌ ୧୪.୨ ଡିଗ୍ରି ସେଲସିୟସ୍‌ ରହିଛି। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଲଗାତାର ଚତୁର୍ଥ ଦିନ ଧରି ବନ୍ଦ ରହିଛି। ୪୦ରୁ ଅଧିକ ସ୍ଥାନରେ ବରଫ ଅତଡ଼ା ଧସିବା ଫଳରେ ବିପଜ୍ଜନକ ସ୍ଥିତି ଉପୁଜିଛି। ଅନ୍ୟପ‌କ୍ଷରେ ଶ୍ରୀନଗର ବିମାନ ବନ୍ଦରକୁ ଏବେ ବିମାନ ଚଳାଚଳ ସ୍ବାଭାବିକ ହୋଇଥିବାରୁ ଲୋକେ ଆଶ୍ବସ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର