ଏନ୍‌ଡିଏରେ ବଢ଼ୁଛି ଅଡ଼ୁଆ, ଜେଡିୟୁ-ବିଜେପି ମେଣ୍ଟରେ ଫାଟ!

ଆସନ ଭାଗବଣ୍ଟା ନେଇ ମତଭେଦ, ବିହାର ବସ୍‌ ନୀତୀଶ: ଜେଡିୟୁ

ପାଟନା: ଗୁଜରାଟରେ ଅଳ୍ପକେ ବର୍ତିଗଲା। କର୍ଣ୍ଣାଟକରେ ଝଟକା। ପୁଣି ଉପନିର୍ବାଚନ ଗୁଡ଼ିକରେ ପରାଜୟ ପରେ ପରାଜୟକୁ ନେଇ ଅଡ଼ୁଆରେ ପଡ଼ିଯାଇଛି ବିଜେପି। ୨୦୧୪ ଭଳି ମୋଦି ଯାଦୁ ଆଉ କାମ କରୁନି। ୨୦୧୯ରେ କଣ ହେବ? ଏହାକୁ ନେଇ ବିଜେପି ଚିନ୍ତାରେ ଥିବା ବେଳେ କେତେକ ସହଯୋଗୀ ଦଳ ଏବେ ବିଜେପିକୁ ଘେରିବା ଆରମ୍ଭ କଲେଣି। ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି ନେଇ ପ୍ରଥମେ ବୃହତ୍ତମ ସହଯୋଗୀ ତେଲୁଗୁ ଦେଶମ ପାର୍ଟି ଏନ୍‌ଡିଏ ଛାଡ଼ିଲା। ଅନ୍ୟତମ ବଡ଼ ସହଯୋଗୀ ଶିବ ସେନା ମଧ୍ୟ ବିଜେପି ହାତ ପ୍ରାୟ ଛାଡ଼ି ସାରିଲାଣି। ମହାରାଷ୍ଟ୍ରରେ ଅନୁଷ୍ଠିତ ଗତ ଉପନିର୍ବାଚନରେ ବିଜେପି ବିରୋଧରେ ଏହା ପ୍ରାର୍ଥୀ ଦେଇଥିଲା। ଏବେ ନୀତୀଶ କୁମାରଙ୍କ ଜେଡିୟୁ ମଧ୍ୟ ବିଜେପିକୁ ଘେରିବା ଆରମ୍ଭ କଲାଣି। ଆଗାମୀ ଲୋକସଭା ନିର୍ବାଚନରେ ବିହାରରେ କାହାକୁ କେତେ ଆସନ ମିଳିବ ତାହା ନୀତୀଶ ହିଁ ସ୍ଥିର କରିବେ। ଏନ୍‌ଡିଏର ଚେହେରା ମଧ୍ୟ ନୀତୀଶ ହେବେ। ଜେଡିୟୁ ପକ୍ଷରୁ ଏହି ଘୋଷଣା କରାଯିବା ପରେ ବିଜେପି ବିଚଳିତ ହୋଇପଡ଼ିଛି।

ଆସାମରେ ୯୦% ବଜରଙ୍ଗ ଦଳ ଓ ଭିଏଚ୍‌ପି କର୍ମୀଙ୍କ ଇସ୍ତଫା
ଗୌହାଟୀ: ସାଧାରଣ ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ଆସାମର ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ୯୦ ପ୍ରତିଶତ କର୍ମୀ ଆଜି ଇସ୍ତଫା ଦେବା ପରେ ବିଜେପିର ଚିନ୍ତା ବଢିଯାଇଛି। କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୁଷ୍ଟ କାରଣରୁ ରାଜ୍ୟର ୧୪ ହଜାର ବଜରଙ୍ଗ ଦଳ କର୍ମୀଙ୍କ ମଧ୍ୟରୁ ୧୩ ହଜାର ୬ଶହ ଜଣ କର୍ମୀ ଇସ୍ତଫା ଦେଇଥିବା ବେଳେ ୨୦୧୯ରେ ମୋଦି ବିରୋଧୀ ଦଳଙ୍କୁ ସମର୍ଥନ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି। ଆସାମ ଭିଏଚ୍‌ପି ରାଜ୍ୟ ଉପଦେଷ୍ଟା ଡ଼.ଟିକେ ଶର୍ମା ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେଇ ସାରିଛନ୍ତି।

ଗତକାଲି ପାଟନାରେ ହୋଇଥିବା ବୈଠକରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଲଢିବା ନେଇ ଏକ ପ୍ରକାର ସ୍ଥିର ହେବା ପରେ ବିଜେପି ଏଥିରେ କ୍ଷୋଭ ପ୍ରକାଶ କରିଛି। ଜେଡିୟୁ ସାଧାରଣ ସମ୍ପାଦକ ପଓ୍ଵନ କୁମାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବିହାରର ବସ୍‌ ବୋଲି କହିବା ପରେ ରାଜ୍ୟ ରାଜନୀତିରେ ହଟଚମମଟ ସୃଷ୍ଟି ହୋଇଛି। ସେପଟେ, ବିଜେପି ନେତା ତଥା ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ବିଜେପି-ଜେଡିୟୁ ମଧ୍ୟରେ ସୃଷ୍ଟି ହୋଇଥିବା ଫାଟ ଚର୍ଚ୍ଚାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ, ବିହାରରେ ଲୋକେ ମୋଦିଙ୍କ ନାମ ଓ ନୀତୀଶଙ୍କ କାମକୁ ଦେଖି ଭୋଟ ଦେବେ। ଯେତେବେଳେ ହୃଦୟ ମିଶି ଯାଇଛି ସେତେବେଳେ ଆସନ ଭାଗବଣ୍ଟା କୌଣସି ବଡ଼ କଥା ନୁହେଁ। କେଉଁ ଦଳ କେତୋଟି ଆସନରେ ନିର୍ବାଚନ ଲଢିବ ତାହା ଆପୋସ ଆଲୋଚନା ପରେ ଯାଇ ସ୍ଥିର ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅପରପକ୍ଷେ, ଏନ୍‌ଡିଏ ମେଣ୍ଟର ସବୁଠୁ ବଡ଼ ଦଳ ହୋଇଥିବାରୁ ସହଯୋଗୀ ଦଳଙ୍କ ସହ ଆଲୋଚନା ଓ ସମ୍ମାନର ସହ ବିଚାରବିମର୍ଶ କଲେ ସବୁ ବିବାଦର ସମାଧାନ ହୋଇପାରନ୍ତା ବୋଲି ଜେଡିୟୁ ନେତା ପଓ୍ଵନ କୁମାର କହିଛନ୍ତି। ଲୋକସଭାରେ ଜେଡିୟୁର ମାତ୍ର ୨ ଜଣ ସାଂସଦ ଥିବାରୁ ଆସନ୍ତା ନିର୍ବାଚନରେ ଅଧିକ ଆସନ ସହ ଜେଡିୟୁ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛି। ସେପଟେ, ମୋଟ ୪୦ ଆସନରୁ ୨୦୧୪ ନିର୍ବାଚନରେ ବିଜେପି ୨୨ ଆସନ ହାସଲ କରିବାରେ ସଫଳ ହୋଇଥିବାରୁ ସହଯୋଗୀ ଦଳ ଜେଡିୟୁକୁ ଅଧାଭାଗ ଦେବାକୁ ପ୍ରସ୍ତୁତ ହେଉନଥିବା ଜଣାପଡ଼ିଛି। ଯାହାକୁ ନେଇ ଜେଡିୟୁ-ବିଜେପି ମେଣ୍ଟରେ ପେଞ୍ଚ ଲାଗିଛି।

ଉଲ୍ଳେଖଯୋଗ୍ୟ, ବିଗତ କିଛି ଦିନ ହେବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କେନ୍ଦ୍ର ସରକାରଙ୍କ ଉପରେ କ୍ଷୁବ୍ଧ ଥିବା ଜଣାପଡ଼ିଛି। ବିମୁଦ୍ରାକରଣର ସଫଳ ରୂପାୟନ ନେଇ ପ୍ରଥମେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନବାଚୀ ଲଗାଇବା ପରେ ପୁଣିଥରେ ସ୍ୱତନ୍ତ୍ର ପ୍ରଦେଶ ପାହ୍ୟାକୁ ନେଇ ମଧ୍ୟ କେନ୍ଦ୍ର ଅବହେଳା କରୁଥିବା ସେ ଜାହିର କରି ସାରିଛନ୍ତି। ନିକଟରେ ହୋଇଥିବା ବିହାରର ଉଭୟ ଲୋକସଭା ଓ ବିଧାନସଭା ଉପ ନିର୍ବାଚନରେ ଜେଡିୟୁ ପରାସ୍ତ ହେବା ପରେ ଏଥିପାଇଁ ବିଜେପି ହିଁ ଦାୟୀ ବୋଲି ମୁଖ୍ୟମନ୍ତ୍ରୀ କହିସାରିଛନ୍ତି। କର୍ଣ୍ଣାଟକ ନିର୍ବାଚନ ପରେ ଉପ ନିର୍ବାଚନରେ ପରାସ୍ତ ହେବା ପରେ ୨୦୧୯ରେ ବିଜେପି କ୍ଷମତାକୁ ଆସିବା ନେଇ ଆଶଙ୍କା ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ଗୋଟିଏ ପରେ ଗୋଟିଏ ସହଯୋଗୀ ଦେଳ ଏନଡିଏ ମେଣ୍ଟକୁ ବିରୋଧ କରିବାକୁ ବସିଲେଣି।

ନୂଆ ସହଯୋଗୀ ଖୋଜୁଛି ବିଜେପି
ନୂଆଦିଲ୍ଲୀ: ବାରମ୍ବାର ନିର୍ବାଚନରେ ପରାସ୍ତ ହେବା ସହ ମୋଦି ଯାଦୁ ଆଉ ଆଗଭଳି ଲୋକଙ୍କ ଅନ୍ତର ଭେଦିପାରୁ ନଥିବାରୁ ବିଜେପି ଏଥର ବିକଳ୍ପ ସନ୍ଧାନ କରୁଛି। ଗୋଟିଏ ପରେ ଗୋଟିଏ ସହଯୋଗୀ ଦଳ ଏନଡିଏ ପ୍ରତି ବିମୁଖତା ପ୍ରଦର୍ଶନ କରୁଥିବା ବେଳେ ନୂଆ ସହଯୋଗୀଙ୍କୁ ଆଣି ୨୦୧୯ ନିର୍ବାଚନ ବୈତରଣୀ ପାର ହେବାକୁ ବିଜେପି ଯୋଜନା କରୁଥିବା ଜଣାପଡ଼ିଛି। ଆଜି କେନ୍ଦ୍ରମନ୍ତ୍ରୀ ମୁକ୍ତାର ଅବ୍ଦାସ ନକଭୀ ବିେଜେପିର ଏଭଳି ପରାଜୟକୁ ସ୍ୱୀକାର କରିଥିବା ବେଳେ ସାଧାରଣ ନିର୍ବାଚନ ପୂର୍ବରୁ ଏକ ବଡ଼ ଧରଣର ପରିବର୍ତ୍ତନ ହେବ ବୋଲି ମଧ୍ୟ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି ଯେ, ଆଞ୍ଚଳିକ ଦଳଙ୍କ ସହାୟତା ନେଇ ଏନଡିଏ ସରକାର ପୁଣିଥରେ କେନ୍ଦ୍ରରେ କ୍ଷମତାକୁ ଆସିବ। ଏହା ସହ ଏନଡିଏରେ ସାମିଲ ହେବାକୁ ଥିବା ଦଳ ଗୁଡ଼ିକୁ ମଧ୍ୟ ସେ ଖୋଲାଖୋଲି ଆମନ୍ତ୍ରଣ କରିଛନ୍ତି। ବିଗତ ଉପ ନିର୍ବାଚନ ଗୁଡ଼ିକରେ ବିଜେପି ଯେଉଁ ପରିସ୍ଥିତିରେ ପରାଜିତ ହୋଇଛି, ତାକୁ ଆଖି ଆଗରେ ରଖି ଭବିଷ୍ୟତ ରଣନୀତି ପ୍ରସ୍ତୁତ କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

୭୫ ବର୍ଷ ବୟସସୀମା ଉଠାଇଲା ବିଜେପି
ନୂଆଦିଲ୍ଲୀ: ୨୦୧୯ ନିର୍ବାଚନରେ କଳେବଳେ କୌଶଳେ କ୍ଷମତାକୁ ଆସିବା ପାଇଁ ବିଜେପି ନିଜେ ପ୍ରଣୟନ କରିଥିବା ନିୟମ ଏବେ ଉଠାଇଦେଇଛି। ପୂର୍ବରୁ ୭୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ନେତା ନିର୍ବାଚନ ଲଢିପାରିବେ ନାହିଁ ବୋଲି କରିଥିବା ନିୟମକୁ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପ୍ରତ୍ୟାହାର କରିଛନ୍ତି। ଯାହା ଫଳରେ ୨୦୧୯ରେ ଦଳ ଗୁଡ଼ିକ ବୟସ୍କ ନେତାଙ୍କୁ ଟିକେଟ ଦେବାରେ କୌଣସି ବୟସସୀମା ରହିବ ନାହିଁ। ଉଲ୍ଳେଖଯୋଗ୍ୟ, ବିଜେପି ଓ ଆରଏସ୍‌ଏସ୍‌ର ବହୁ ବରିଷ୍ଠ ନେତା ଏହି ନିୟମ କାରଣରୁ ଦଳ ଉପରେ ଅସନ୍ତୁଷ୍ଟ ଥିଲେ।

ସମ୍ବନ୍ଧିତ ଖବର