ଶ୍ରୀଲଙ୍କା ସଂକଟ, ରାଜପକ୍ଷେଙ୍କ ବିରୋଧରେ ସଂସଦର ଭୋଟ୍‌

କଲମ୍ବୋ: ଶ୍ରୀଲଙ୍କା ରାଜନୀତିରେ ଦେଖାଦେଇଥିବା ସଂକଟ ଥମିବାର ନାଁ ନେଉନାହିଁ। ନବନିଯୁକ୍ତ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ବିରୋଧରେ ଆଜି ଦେଶର ସଂସଦ ମତଦାନ କରିଛି। ରାଜପକ୍ଷେଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ସଂସଦ ସମର୍ଥନ କରିବା ଫଳରେ ରାଷ୍ଟ୍ରପତି ମୈତ୍ରୀପାଲ୍‌ ସିରିସେନାଙ୍କୁ ପୁଣି ଏକ ବଡ଼ ଝଟ୍‌କା ଲାଗିଛି। ତେବେ ଏହାଦ୍ବାରା ଦେଶର ଗଣତନ୍ତ୍ରର ବିଜୟ ହୋଇଛି ବୋଲି କୁହାଯାଉଛି। ପୂର୍ବରୁ ସୁପ୍ରିମ୍ କୋର୍ଟ ରାଷ୍ଟ୍ରପତିଙ୍କ ସଂସଦ ଭଙ୍ଗ ନିଷ୍ପତ୍ତିକୁ ରଦ୍ଦ କରିଦେଇଥିଲେ। ଉଲ୍ଲେଖଯୋଗ୍ୟ, ଶ୍ରୀଲଙ୍କା ନାଗରିକଙ୍କୁ ବିସ୍ମିତ କରି ରାଷ୍ଟ୍ରପତି ସିରିସେନା ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମସିଂହେଙ୍କୁ ବହିଷ୍କାର କରି ପୂର୍ବତନ ରାଷ୍ଟ୍ରପତି ରାଜପକ୍ଷେଙ୍କୁ ଅକ୍ଟୋବର ୨୬ରେ ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ। ଏହାପରେ ବିବାଦ ଉପୁଜିଥିଲା। ଏଭଳି ଗଣତନ୍ତ୍ରବିରୋଧୀ ପଦକ୍ଷେପକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ଏମିତି କି ଅନ୍ୟ ରାଷ୍ଟ୍ରଗୁଡ଼ିକ ଏହାର ନିନ୍ଦା କରିଥିଲେ। ବାଚସ୍ପତି କାରୁ ଜୟସୁରିୟା ମଧ୍ୟ ଏହାର ତୀବ୍ର ବିରୋଧ କରିବା ସହିତ ବହୁମତ ହାସଲ ପରେ ହିଁ ରାଜପକ୍ଷେଙ୍କୁ ସେ ପ୍ରଧାନମନ୍ତ୍ରୀ ଭାବେ ସ୍ବୀକାର କରିବେ ବୋଲି ରୋକ୍‌ଠୋକ୍‌ କହିଥିଲେ। ଆଜି ଜୟସୁରିୟା କହିଛନ୍ତି ଯେ ରାଜପକ୍ଷେଙ୍କ ବି‌ରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ସଂସଦର ମଞ୍ଜୁରି ମିଳିଛି। ୨୨୫ ସଦସ୍ୟବିଶିଷ୍ଟ ସଂସଦ ପ୍ରସ୍ତାବକୁ ସମର୍ଥନ ଜଣାଇଛି।

ସମ୍ବନ୍ଧିତ ଖବର