ତଥାପି ଟଳିନି ଅଚଳାବସ୍ଥା: ୧୫ ଦିନର ଗୃହକାର୍ଯ୍ୟ ଧୋଇଗଲା, ମଙ୍ଗଳବାର ଯାଏ ସଂସଦ ମୁଲତବୀ

ନୂଆଦିଲ୍ଲୀ: ଶୁକ୍ରବାର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ମଙ୍ଗଳବାର ଯାଏ ମୁଲତବୀ ହେବା ପରେ ଲଗାତାର ୧୫ଦିନ ଧରି ଗୃହର ମୂଲ୍ୟବାନ ସମୟ ବରବାଦ ହୋଇଥିବା ଜଣାଯାଇଛି। କାବେରୀ ଜଳବଣ୍ଟନକୁ କେନ୍ଦ୍ର କରି ଏଆଇଏଡିଏମ୍‌କେ ଓ ଟିଆର୍‌ଏସ୍‌ର ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ଟିଡିପି ଏବଂ ଓ୍ଵାଏସ୍‌ଆର୍‌ ଆନ୍ଧ୍ରକୁ ସ୍ୱତନ୍ତ୍ର ପ୍ରଦେଶ ପାହ୍ୟା ପ୍ରଦାନ ପାଇଁ ଦାବି କରି ବିଫଳ ହେବା ପରେ କେନ୍ଦ୍ରର ଏନ୍‌ଡିଏ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। କିନ୍ତୁ ବିରୋଧୀଙ୍କ ନାରାବାଜି ଯୋଗୁଁ ଉଭୟ ଗୃହ ଅଚଳ ରହିଥିବାରୁ ଅନାସ୍ଥା ଉପରେ ଆଲୋଚନା ହୋଇପାରୁନାହିଁ।

ଆଜି ରାଜ୍ୟସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ଦଳ ଗୃହର ମଧ୍ୟଭାଗକୁ ଆସି ଚିରାଚରିତ ଢଙ୍ଗରେ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ। ସାଂସଦଙ୍କୁ ଶାନ୍ତ ରହି ଗୃହକାର୍ଯ୍ୟରେ ସହଯୋଗ କରିବାକୁ ଗୃହର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଅନୁରୋଧ କରିଥିଲେ ହେଁ କୌଣସି ସୁଫଳ ନମିଳିବାରୁ ଗୃହକୁ ମଙ୍ଗଳବାର ଯାଏ ମୁଲତବୀ ଘୋଷଣା କରାଯାଇଥିଲା। ସେପଟେ ଲୋକସଭାରେ ଗୃହକାର୍ଯ୍ୟ ଆରମ୍ଭ ମାତ୍ରେ କଂଗ୍ରେସ ଅନ୍ୟ ବିରୋଧୀ ସାଂସଦଙ୍କ ସମର୍ଥନ ଲୋଡ଼ିିଥିଲା। କିଛି ସାଂସଦ ଇରାକ୍‌ରେ ୩୯ ଜଣ ନିଖୋଜ ଭାରତୀୟଙ୍କ ହତ୍ୟା ପ୍ରସଙ୍ଗରେ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି। ସେପଟେ କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ ବିରୋଧୀଙ୍କୁ ହଟ୍ଟଗୋଳ ନକରିବା ପାଇଁ ବୁଝାଇ ବିଫଳ ହୋଇଥିଲେ। କଂଗ୍ରେସ ସାଂସଦମାନେ ସଂସଦଭବନ ପରିସର ସ୍ଥିତ ଗାନ୍ଧୀମୂର୍ତ୍ତି ତଳେ ସରକାରଙ୍କ ଦଳିତ ବିରୋଧୀ ଆଇନ୍‌କୁ ସମାଲୋଚନା କରି ସ୍ଳୋଗାନ୍‌ ଦେଇଥିଲେ। ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୁମିତ୍ରା ମହାଜନ ପ୍ରଥମେ ଗୃହକୁ ମଧ୍ୟାହ୍ଣ ୧୨ଟା ଯାଏ ଏବଂ ପରେ ମଙ୍ଗଳବାର ଯାଏ ମୁଲତବୀ ଘୋଷଣା କରିଥିଲେ। ଫଳରେ ଆଜି ବି ଟିଡିପି ଓ ଓ୍ଵାଇଏସ୍‌ଆର୍‌ ଆଣିଥିବା ଅନାସ୍ଥା ପ୍ରସ୍ତାବ ନୋଟିସ୍‌ ଉପରେ ଆଲୋଚନା ହୋଇପାରିନାହିଁ। ସେପଟେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଟେଲି କନ୍‌ଫରେନ୍ସ ମାଧ୍ୟମରେ ଦଳୀୟ ସାଂସଦଙ୍କୁ ସମ୍ବୋଧନ କରି କେନ୍ଦ୍ର ସରକାରଙ୍କ ବିରୋଧରେ ସଂଗ୍ରାମ ଜାରି ରଖିବାକୁ କହିଛନ୍ତି।

କଂଗ୍ରେସ ବି ଆଣିବ ଅନାସ୍ଥା ପ୍ରସ୍ତାବ
ନୂଆଦିଲ୍ଲୀ: ଚଳିତ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ କେନ୍ଦ୍ରର ଏନ୍‌ଡିଏ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଆନ୍ଧ୍ରପ୍ରଦେଶର ଟିଡିପି ଓ ଓ୍ଵାଇଏସ୍‌ଆର୍‌ ଦଳର ସଂଗ୍ରାମ ଜାରି ରହିଥିବା ବେଳେ ଆଜି ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ମଧ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ନୋଟିସ୍‌ ଆଣିବା ପାଇଁ ନିଷ୍ପତ୍ତି ନେଇଛି। ଆଜି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ଲୋକସଭା ମହାସଚିବଙ୍କୁ ଚିଠିଲେଖି ୨୭ ତାରିଖରେ ଏହି ନୋଟିସ୍‌ ଆଗତ କରିବାକୁ ଅନୁରୋଧ କରିଛନ୍ତି। କେନ୍ଦ୍ର ସରକାରଙ୍କ ଦଳିତ ବିରୋଧୀ ନୀତି ଓ ଭ୍ରଷ୍ଟାଚାର ପାଇଁ କଂଗ୍ରେସ ଏହି ପ୍ରସ୍ତାବ ଆଗତ କରିବାକୁ ଯାଉଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର