ଜଟିଳ ହେଲା ଦିଲ୍ଲୀ ସଙ୍କଟ

ସୁପ୍ରିମ୍‌କୋର୍ଟ ରାୟକୁ ମାନିଲେନାହିଁ, କେଜ୍ରିଓ୍ଵାଲ୍‌ଙ୍କ ଫାଇଲ୍‌କୁ ଫେରାଇଲେ ମୁଖ୍ୟ ସଚିବ

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟଙ୍କ ରାୟକୁ ଆପ୍‌ ସରକାର ନିଜର ବିଜୟ ବୋଲି ଦାବି କରୁଥିବା ବେଳେ ଇତିମଧ୍ୟରେ ପୁଣି ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଆପ୍‌ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ପ୍ରଥମ ନିର୍ଦ୍ଦେଶନାମାକୁ ମୁଖ୍ୟ ସଚିବ ଫେରାଇ ଦେଇଥିବାରୁ ଏହି ବିବାଦ ସୃଷ୍ଟି ହୋଇଛି। ଏହାକୁ ବିରୋଧ କରି ଆପ୍‌ ସରକାର ପୁଣି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ସୂଚନା ମିଳିଛି।

ଏ ନେଇ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, ଆପ୍‌ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାକୁ ଫେରାଇ ଦିଆଯାଇଛି। ଏମିତି କି ମୁଖ୍ୟ ସଚିବ ମୋ ନିକଟକୁ ପତ୍ର ଲେଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିପାରିବେ ନାହିଁ ବୋଲି ରୋକ୍‌ଠୋକ୍‌ କହିଛନ୍ତି। ସରକାରଙ୍କ ପକ୍ଷରୁ ପଠାଯାଇଥିବା ବଦଳି ଫାଇଲ୍‌କୁ ଯଦି ମୁଖ୍ୟ ସଚିବ ଗ୍ରହଣ ନ କରନ୍ତି, ତେବେ ଏହା ପୁଣି ଉପରାଜ୍ୟପାଳଙ୍କ ନିକଟକୁ ଯିବ। ଏହାଦ୍ୱାରା ସୁପ୍ରିମ୍‌କୋର୍ଟ ଦେଇଥିବା ନିର୍ଦ୍ଦେଶର ଉଲ୍ଲଂଘନ ହେବ। ତେବେ ପରବର୍ତ୍ତୀ ପଦକ୍ଷେପ କ’ଣ କରାଯାଇ ପାରିବ ସେ ନେଇ ଆମ ଓକିଲଙ୍କ ପରାମର୍ଶ ନେବୁ ବୋଲି ସିସୋଦିଆ କହିଛନ୍ତି। ସେପଟେ ରାଜ୍ୟ ସେବା ବିଭାଗ ପକ୍ଷରୁ କୁହାଯାଇଛି ଯେ ୨୦୧୫ ମେ ମାସରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିକୁ ଏ ଯାଏ ବାତିଲ କରାଯାଇ ନାହିଁ। ଏହି ବିଜ୍ଞପ୍ତିିରେ ଅଧିକାରୀମାନଙ୍କ ନିଯୁକ୍ତି ଓ ବଦଳି ସଂକ୍ରାନ୍ତରେ ଉପରାଜ୍ୟପାଳ ନିଷ୍ପତ୍ତି ନେବେ ବୋଲି କୁହାଯାଇଥିଲା। ଏହାର ଅର୍ଥ ହେଉଛି ସୁପି୍ରମ୍‌କୋର୍ଟଙ୍କ ରାୟ ପରେ ବି ଆପ୍‌ ସରକାର ବରିଷ୍ଠ ଅଧିକାରୀଙ୍କ ନିଯୁକ୍ତି କିମ୍ବା ବଦଳି ନେଇ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ। କେବଳ ଷ୍ଟେନୋ ଭଳି ତଳ ପାହ୍ୟାର କର୍ମଚାରୀଙ୍କ ନିଯୁକ୍ତି ଓ ବଦଳି ନେଇ ପଦକ୍ଷେପ ନେଇପାରିବେ। କିଛି ବରିଷ୍ଠ ଅଧିକାରୀ ଦର୍ଶାଇଛନ୍ତି ଯେ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଆଉ କିଛି ନିର୍ଦ୍ଦେଶ ବାକି ରହିଯାଇଛି। ତେଣୁ କେଜ୍ରିଓ୍ଵାଲ୍‌ ସରକାର ଏବେ ପୂର୍ଣ୍ଣ କ୍ଷମତା ଉପଭୋଗ କରିପାରିବେ ନାହିଁ। ଦିଲ୍ଲୀରେ ବିବାଦ ଏଭଳି ଭାବେ ଘନଉଥିବା ବେଳେ ଆପ୍‌ ପକ୍ଷରୁ ଆଜି ଏକାଧିକ ଟ୍ଵିଟ୍‌ ଜାରି କରାଯାଇଛି। ଏଥିରେ ଦଳ ଦର୍ଶାଇଛି ଯେ ସୁପ୍ରିମ୍‌କୋର୍ଟଙ୍କ ରାୟ ଅନୁସାରେ ଉପରାଜ୍ୟପାଳ ଅଧିକାରୀଙ୍କ ବଦଳି ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ। ଅନ୍ୟପକ୍ଷରେ ଯେଉଁ ଅଧିକାରୀମାନେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ କହିଛନ୍ତି।

ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍‌ ଆଜି ଉପରାଜ୍ୟପାଳ ଅନିଲ ବୈଜଲଙ୍କ ନିକଟକୁ ଚିଠି ଲେଖି ସୁପ୍ରିମ୍‌କୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ ନିମନ୍ତେ ସହଯୋଗ ଲୋଡ଼ିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ ରାଜ୍ୟ ସହ ଜଡ଼ିତ ପ୍ରତ୍ୟେକ ଅଧିକାରୀ ଓ ନେତା ସୁପ୍ରିମ୍‌କୋର୍ଟଙ୍କ ରାୟକୁ ଆଖିରେ ରଖି ଦାୟିତ୍ୱ ନିର୍ବାହ କରିବା ଆବଶ୍ୟକ। ତେଣୁ ଦିଲ୍ଲୀର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତେ ପରସ୍ପରକୁ ସହଯୋଗ କରି କାର୍ଯ୍ୟ କରିବା ଉଚିତ ବୋଲି କେଜ୍ରିଓ୍ଵାଲ୍‌ ନିଜ ଚିଠିରେ ଦର୍ଶାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ କ୍ଷମତା ପ୍ରସଙ୍ଗରେ ଗତକାଲି ସୁପି୍ରମ୍‌କୋର୍ଟ ନିଜର ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଥିଲେ, ଗଣତନ୍ତ୍ରରେ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିଙ୍କର ପ୍ରକୃତ କ୍ଷମତା ରହିଛି। ମନ୍ତ୍ରୀ ପରିଷଦ କୌଣସି ନିଷ୍ପତ୍ତି ନେବା ସମୟରେ ଏ ନେଇ ଉପରାଜ୍ୟପାଳଙ୍କ ପରାମର୍ଶ ଆଣିପାରିବେ ବା ଏ ନେଇ ଅନୁମୋଦନ ଲୋଡ଼ିପାରିବେ। ଉପରାଜ୍ୟପାଳ ସରକାରଙ୍କ ନିଷ୍ପତ୍ତିରେ ସହଯୋଗ କରିବେ। କିନ୍ତୁ ସବୁ କଥାରେ ଉପରାଜ୍ୟପାଳଙ୍କ ମଞ୍ଜୁରିର ଆବଶ୍ୟକତା ନାହିଁ। ଉପରାଜ୍ୟପାଳ କୌଣସି କ୍ଷେତ୍ରରେ ସ୍ୱାଧୀନ ଭାବେ ନିଷ୍ପତ୍ତି ନେଇପାରିବେ ନାହିଁ କି କୌଣସି କ୍ଷେତ୍ରରେ ‘ଅବରୋଧକ’ ସାଜିପାରିବେ ନାହିଁ। ତେବେ ଯଦି କିଛି ନିଷ୍ପତ୍ତି ନେବାକୁ ଚାହାନ୍ତି ଏଥିପାଇଁ ରାଜ୍ୟ କ୍ୟାବିନେଟ୍‌ର ପରାମର୍ଶ ଲୋଡ଼ିବେ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଥିଲେ।

ସମ୍ବନ୍ଧିତ ଖବର