କର୍ଣ୍ଣାଟକ ସରକାର ପ୍ରତି ବିପଦ

ହ୍ବିପ୍ ସତ୍ତ୍ବେ କଂଗ୍ରେସର ୯ ବିଧାୟକ ଅନୁପସ୍ଥିତ, ରାଜ୍ୟପାଳଙ୍କ ଭାଷଣକୁ ବିଜେପି ବିଧାୟକଙ୍କ ବିରୋଧ

‌ବେଙ୍ଗାଲୁରୁ: କର୍ଣ୍ଣାଟକ‌ରେ କଂଗ୍ରେସ ଜେଡିଏସ୍ ମେଣ୍ଟ ସରକାର ପ୍ରତି ବିପଦ ଦେଖାଦେଇଛି। ବଜେଟ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। କଂଗ୍ରେସ ପକ୍ଷରୁ ସବୁ ବିଧାୟକଙ୍କୁ ବିଧାନସଭା ଆସିବା ଲାଗି ହ୍ବିପ୍ ଜାରି ହୋଇଥିଲେ ମଧ୍ୟ ଦଳର ୯ ଜଣ ବିଧାୟକ ଆଜି ଅନୁପସ୍ଥିତ ଅଛନ୍ତି। ଏହି ୯ ଜଣ ବିଧାୟକଙ୍କ ମଧ୍ୟରେ ଗତମାସ ୧୮ ତାରିଖରେ ଅନୁଷ୍ଠିତ କଂଗ୍ରେସର ବିଧାୟକ ଦଳ ବୈଠକରେ ଯୋଗ ଦେଇ ନଥିବା ୪ ବିଧାୟକ ଯଥା ରମେଶ ଜାରକିହୋଲି, ଉମେଶ ଜି ଯାଦବ, ବି ନାଗେନ୍ଦ୍ର, ମହେଶ କୁମାଥାଲି ଅଛନ୍ତି। ଏଥିସହିତ ଗତ କିଛିଦିନ ତଳେ ‌ବେଙ୍ଗାଲୁରୁର ଏକ ହୋଟେଲରେ ସାଥୀ ବିଧାୟକଙ୍କ ଆକ୍ରମଣ କରି ଫେରାର ହୋଇଯାଇଥିବା ବିଧାୟକ ଜେ. ଏନ. ଗଣେଶ ମଧ୍ୟ ଆସିନାହାନ୍ତି। କୁମାରସ୍ବାମୀ ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ବିଜେପି ଉଦ୍ୟମ କରୁଥିବା ନେଇ ଅଭିଯୋଗମାନ ଆସିବା ପରେ ମେଣ୍ଟର ସବୁ ବିଧାୟକମାନେ ବିଧାନସଭା ଅଧିବେଶନ ସମୟରେ ସବୁଦିନ ଗୃହରେ ଉପସ୍ଥିତ ରହିବା ପାଇଁ ହ୍ବିପ୍ ଜାରି ହୋଇଥିଲା। ଏହାସତ୍ତ୍ବେ ୯ ଜଣ ବିଧାୟକ ଆସିନାହାନ୍ତି।

ଅନ୍ୟପକ୍ଷରେ ବଜେଟ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ବାଜୁଭାଇ ବାଲା ଉଦବୋଧନ ଦେବାବେଳେ ଗୃହରେ ବିଜେପି ସଦସ୍ୟମାନେ ପ୍ରବଳ ପାଟିତୁଣ୍ଡ କରିଛନ୍ତି। ଫଳରେ ରାଜ୍ୟପାଳ ବାଧ୍ୟ ହୋଇ ତାଙ୍କ ଭାଷଣକୁ ସଂକ୍ଷିପ୍ତ କରିବା ସହିତ ଶେଷ ପରିଚ୍ଛେଦକୁ ପଢ଼ି ଭାଷଣ ଶେଷ କରିଛନ୍ତି। ବିଧାନସଭାରେ ପୁଳା ପୁଳା ମିଥ୍ୟା ପଢ଼ିବାକୁ ଦିଆଯିବ ନାହିଁ। ସରକାର ସଂଖ୍ୟା ଗରିଷ୍ଠତା ଏବଂ ଆସ୍ଥା ମଧ୍ୟ ହରାଇଛି ବୋଲି ବିରୋଧୀ ସଦସ୍ୟମାନେ କହିବା ସହିତ ଡାଉନ, ଡାଉନ୍ ସ୍ଳୋଗାନ ଦେଇଥିଲେ। ଗୃହରେ ଏମଏଲଏ ମାନେ ଅନୁପସ୍ଥିତ ଥିବା କାରଣରୁ କଂଗ୍ରେସର ବିଧାୟକ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବୁଧବାର ଆଉ ଏକ ହ୍ବିପ୍ ଜାରି କରିଛନ୍ତି। ଫେବ୍ରୁଆରି ୬ରୁ ୧୫ ତାରିଖ ମଧ୍ୟରେ ବିଧାନସଭା ଅଧିବେଶନରେ ବାଧ୍ୟତାମୂଳକ ଭାବେ ଯୋଗଦେବାକୁ ସିଦ୍ଧରମୈୟା ନିର୍ଦେଶ ଦେଇଛନ୍ତି। ସିଦ୍ଧ‌ରମୈୟାଙ୍କ ପକ୍ଷରୁ ଜାରି ହୋଇଥିବା ଦ୍ବିତୀୟ ନୋଟିସ ଉପରେ କଂଗ୍ରେସର ୪ ଜଣ ବିଧାୟକ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖି ନଥିବା ଏବଂ କଂଗ୍ରେସର ବିଧାୟକ ଦଳ ବୈଠକରେ ଯୋଗ ଦେଇ ନଥିବା ସମ୍ପର୍କିତ କାରଣ ଦର୍ଶାଅ ନୋଟିସର ଜବାବ ଦେଇ ନଥିବାରୁ ସେମାନେ ବିଜେପିକୁ ଡେଇଁପାରନ୍ତି ବୋଲି ଅନୁମାନ କରାଯାଉଛି। ଅଧିବେଶନର ପ୍ରଥମ ଦିନରେ କେବଳ ଯେ କଂଗ୍ରେସର ୯ ବିଧାୟକ ଅନୁପସ୍ଥିତ ଥିଲେ ତାହା ନୁହେଁ ବିଜେପିର ୪ ବିଧାୟକ ମଧ୍ୟ ଆସି ନଥିଲେ। ତେବେ ସେମାନେ ଅନୁପସ୍ଥିତ ରହିବା ନେଇ ଦଳଠାରୁ ପୂର୍ବରୁ ଅନୁମତି ନେଇଥିବା କୁହାଯାଉଛି। ସେହିଭଳି ଜେଡିଏସର ଜଣେ ବିଧାୟକଙ୍କୁ ମଧ୍ୟ ଆଜି ଗୃହରେ ଦେଖିବାକୁ ମିଳି ନଥିଲା। ବିରୋଧୀ ଦଳ ନେତା ବି ଏସ ୟେଦୁରପ୍ପା କହିଛନ୍ତି, ସରକାରରେ ରହିବା ଲାଗି ମେଣ୍ଟର ନୈତିକ ଅଧିକାର ନାହିଁ। ତାଙ୍କ ଦଳ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଆଗତ କରାଯିବ ନାହିଁ। କିନ୍ତୁ ସରକାରଙ୍କ ବାସ୍ତବ ଚିତ୍ର ବଜେଟ ଅଧିବେଶନବେଳେ ପଦାକୁ ଆସିବ ବୋଲି ସେ କହିଛନ୍ତି। ରାଜ୍ୟପାଳଙ୍କ ମୁହଁରେ ସରକାର ମିଛ କୁହାଉଥିବାରୁ ତାଙ୍କ ଦଳ ପକ୍ଷରୁ ଆଜି ଏଭଳି ବିରୋଧ କରାଯାଇଛି ବୋଲି ୟେଦୁରପ୍ପା କହିଛନ୍ତି। ବିଧାନସଭାରେ ବିଜେପିର ରଣନୀତି କଣ ରହିବ ତାହା ବିଧାୟକ ଦଳ ବୈଠକରେ ସ୍ଥିର ହେବ। ଗୁରୁବାର ପୂର୍ବାହ୍ନରେ ଏହା ଜଣାଇ ଦିଆଯିବ ବୋଲି ସେ କହିଛନ୍ତି। ତେବେ ବିଜେପି ଦଳ ପକ୍ଷରୁ ବିଧାନସଭାରେ ଆସନ୍ତାକାଲି ବିରୋଧ ପ୍ରଦର୍ଶନ ଜାରି ରହିବ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଏଚ. ଡି. କୁମାରସ୍ବାମୀ ବଜେଟ ଆଗତ କରିବେ।

ସମ୍ବନ୍ଧିତ ଖବର