ବିଷ ବଳୟରେ ଦିଲ୍ଲୀ

ନୂଆଦିଲ୍ଲୀ: ବିଗତ ୩ ମାସ ଧରି ରାଜଧାନୀ ଦିଲ୍ଲୀ ସାଂଘାତିକ ପ୍ରଦୂଷଣରୁ କିଛି ମାତ୍ରାରେ ମୁକ୍ତି ପାଇଥିବା ବେଳେ ଏବେ ପୁଣି ବାୟୁର ମାନ ଖରାପ ହେବାରେ ଲଗିଛି। ବିଗତ ୧୦ ଦିନ ଭିତରେ ବାୟୁ ପ୍ରଦୂଷଣ ସ୍ଥିତି ବଢ଼ି ଚାଲିଥିବାରୁ ଆଗକୁ ଏହା ଜଟିଳ ରୂପ ନେବ ବୋଲି ଆଶଙ୍କା କରାଯାଉଛି। ଜୁନ୍‌ ପରେ ବାୟୁ ପ୍ରଦୂଷଣସ୍ତରରେ ସୁଧାର ଆସିଥିବା ବେଳେ ଅକ୍ଟୋବର ୨ରୁ ଏଥିରେ ପୁଣି ଅବନତି ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ଆବର୍ଜନା ଗଦାରେ ନିଆଁ, ନିର୍ମାଣ ଏବଂ ଉଚ୍ଛେଦ କାର୍ଯ୍ୟ ସାଂଗକୁ ବଢ଼ି ଚାଲିିଥିବା ଯାନବାହନ ପ୍ରଦୂଷଣ ଘୋର ଚିନ୍ତାର କାରଣ ହୋଇଛି। ଏହି ପ୍ରସଙ୍ଗରେ ଦିଲ୍ଲୀ ସରକାରଙ୍କ ଏକ ମିଳିତ ଜରୁରୀ ବୈଠକ ଖୁବ୍‌ଶୀଘ୍ର ହେବ ବୋଲି ଜଣାପଡ଼ିଛି । ଦିଲ୍ଲୀର ସମସ୍ତ ରାସ୍ତାରେ ପାଣି ସିଂଚନ କରାଯିବା ସହ ଭାକ୍ୟୁମ କ୍ଲିନର୍‌ ଦ୍ୱାରା ଧୂଳି ଉଠାଯିବାକୁ ଯୋଜନା ହେଉଛି ।
ଦିଲ୍ଲୀରେ ୭୦ ପ୍ରତିଶତ ପ୍ରଦୂଷଣ ଦିଲ୍ଲୀର ଆବର୍ଜନା ଯୋଗୁଁ ହେଉଛି ଏବଂ ପଂଜାବ, ହରିୟାଣାର ପ୍ରଦୂଷଣ ମଧ୍ୟ ଦିଲ୍ଲୀକୁ ବ୍ୟାପୁଛି। ପ୍ରଦୂଷଣର ସୁରକ୍ଷିତ ସୀମା ନେଇ ଯେଉଁ ପରିମାଣ ଧାର୍ଯ୍ୟ ହୋଇଛି ତାହାଠାରୁ ଅନେକ ଗୁଣ ଅଧିକ ଥିବାରୁ ଦିଲ୍ଲୀବାସୀ ଗୁରୁତର ସ୍ୱାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେବା ଆଶଙ୍କା ରହିଛି। ଦିଲ୍ଲୀବାସୀ ଏବେ ଶ୍ୱାସପ୍ରଶ୍ୱାସରେ ଯେଉଁ ବାୟୁ ଗ୍ରହଣ କରୁଛନ୍ତି ତାହା ବିପଜ୍ଜନକ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ପ୍ରଦୂଷଣ ରୋକିବା ନେଇ ସରକାରଙ୍କ ନିଷ୍କ୍ରିୟତା ପ୍ରତିବାଦରେ ଅନେକ ସଂଗଠନ ଅସନ୍ତୋଷ ଜାହିର କରିଛନ୍ତି। ବାୟୁ ପ୍ରଦୂଷଣ ବିପଜ୍ଜନକ ସ୍ତରରେ ପହଞ୍ଚିଥିବାରୁ ଏହାର ମୁକାବିଲା ପାଇଁ କେନ୍ଦ୍ର ଓ ଦିଲ୍ଲୀ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ଦିଲ୍ଲୀବାସିନ୍ଦା ଦାବି କରିଛନ୍ତି। ଦିଲ୍ଲୀର ଆବର୍ଜନା ଗଦାରେ ଲାଗୁଥିବା ନିଆଁ ଯୋଗୁଁ ସ୍ଥିତି ଆହୁରି ଜଟିଳ ହୋଇଛି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି।
ଦୀପାବଳି ପରେ ପ୍ରଦୂଷଣ ସ୍ଥିତି ଅହୁରି ବିଗିଡ଼ିବା ଆଶଙ୍କା ଥିବା ବେଳେ ସୁପ୍ରିମ୍‌ କୋର୍ଟ ଦିଲ୍ଲୀରେ ବାଣ ବିକ୍ରି ନିଷିଦ୍ଧ କରିଛନ୍ତି। ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀ ଏବଂ ଏନସିଆରରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବାଣ ବିକ୍ରି ବନ୍ଦ ରହିବ। ତେବେ ବାଣ ବ୍ୟବସାୟୀମାନେ ଏହାକୁ ବିରୋଧ କରି ଆଦେଶ କୋହଳ କରିବାକୁ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଛନ୍ତି।

ସମ୍ବନ୍ଧିତ ଖବର