ପ୍ରଫେସରଙ୍କ ଅଶ୍ଳୀଳ ଟିପ୍ପଣୀକୁ ବିରୋଧ : ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ନୂଆଦିଲ୍ଲୀ: ଉତ୍ତର କେରଳର କୋଝିକୋଡ଼ ସ୍ଥିତ ଏକ ପ୍ରଶିକ୍ଷଣ ମହାବିଦ୍ୟାଳୟର ଜଣେ ପ୍ରାଧ୍ୟାପକଙ୍କ ବିବାଦୀୟ ବୟାନ ଯୋଗୁଁ ତାଙ୍କୁ ତୀବ୍ର ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି। ଛାତ୍ରୀମାନଙ୍କୁ କାମୋଦ୍ଦୀପକ ବେଶଭୁଷାରୁ ନିବୃତ୍ତ କରିବା ଲାଗି ପରାମର୍ଶ ଆଳରେ ସେ ଦେଇଥିବା ଅରୁଚିକର ଟିପ୍ପଣୀ ଛାତ୍ରଛାତ୍ରୀମାନଙ୍କୁ ତାଙ୍କ ବିରୋଧରେ ସ୍ୱର ଉଠାଇବାକୁ ବାଧ୍ୟ କରିଛି। ଏପରିକି ପ୍ରାଧ୍ୟାପକଙ୍କ ବକ୍ତବ୍ୟରେ ଭୀଷଣ ଅସନ୍ତୋଷ ପ୍ରକାଶ କରି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ କେହି କେହି ସୋସିଆଲ୍‌ ମିଡିଆରେ କଟୁ ସମାଲୋଚନା କରିଛନ୍ତି।
ସୂଚନାନୁଯାୟୀ, କିଛି ସପ୍ତାହ ତଳେ କୋଝିକୋଡ଼ ସ୍ଥିତ ଫାରୁକ ପ୍ରଶିକ୍ଷଣ ମହାବିଦ୍ୟାଳୟର ପରାମର୍ଶ ଶିିବିର ଚାଲିଥିବା ବେଳେ ସାମାଜିକ ବିଜ୍ଞାନ ବିଭାଗ ପ୍ରଫେସର ଜୌହର ମୁନାଭିର ମୁସଲିମ୍‌ ଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଏଭଳି ଅରୁଚିକର ଟିପ୍ପଣୀ କରିଥିଲେ। ଛାତ୍ରୀମାନେ କିଭଳି ବେଶଭୁଷାରେ ମହାବିଦ୍ୟାଳୟକୁ ଆସିବା ଉଚିତ୍‌ ବୋଲି ବର୍ଣ୍ଣନା କରିବାକୁ ଯାଇ ପ୍ରଫେସର ଆପତ୍ତିଜନକ ବିବୃତି ରଖି ବିବାଦୀୟ ହୋଇପଡ଼ିଛନ୍ତି। ଆଜିକାଲି ଅଧିକାଂଶ ଛାତ୍ରୀ ଆଧୁନିକତା ନାଁରେ କାମୋଦ୍ଦୀପକ ପରିଧାନ ପିନ୍ଧି ଅନ୍ୟକୁ ଆକର୍ଷିତ କରୁଛନ୍ତି ବୋଲି ସେ ଆକ୍ଷେପ କରିଥିଲେ। ଏପରିକି କଥା ଛଳରେ ସେ ଛାତ୍ରୀମାନଙ୍କ ଅଙ୍ଗ ସୌଷ୍ଠବକୁ ‘କଟା ତରଭୁଜ’ ସହ ତୁଳନା କରିବା ସହ ଛାତ୍ରୀମାନେ ଜାଣିଶୁଣି ଏଭଳି ଚିପା ପୋଷାକ ପିନ୍ଧୁଥିବା ଜୌହର କହିଥିଲେ।

ସମ୍ବନ୍ଧିତ ଖବର