କୋଝିକୋଡେ(କେରଳ) : କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ୍ ସିଂହ ସିଦ୍ଧୁ ପୁଲଓ୍ଵାମା ଆକ୍ରମଣ ପରଠାରୁ ହିଁ ଅଧିକ ବିବାଦରେ ରହି ଆସିଛନ୍ତି । ଲୋକେ ତାଙ୍କୁ ନେଇ ବିରୋଧ ପ୍ରଦର୍ଶନ କରୁଥିଲେ ମଧ୍ୟ ସେ ଖୁଲମଖୁଲା ଭାବରେ ନିଜର ବୟାନ ରଖିବାକୁ ପଛାଉ ନାହାନ୍ତି । ଗତ କିଛି ଦିନ ମଧ୍ୟରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି ସମାଲୋଚନାର ଶିକାର ହୋଇଥିବା ବେଳେ ଏବେ ପୁଣି ସେ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । କେରଳର କୋଝିକୋଡେରେ ଏକ ନିର୍ବାଚନୀ ପ୍ରଚାର ସଭାରେ ଯୋଗ ଦେଇ ମୋଦୀଙ୍କ ପ୍ରତିଶ୍ରୁତିକୁ ବାଉଁଶ ଭଳି ଫମ୍ପା ଏବଂ ରାହୁଲଙ୍କ ପ୍ରତିଶ୍ରୁତିକୁ ଆଖୁ ରସ ଭଳି ମିଠା ବୋଲି କହିଛନ୍ତି ସିଦ୍ଧୁ । ତାଙ୍କର ଏଭଳି ବୟାନ ଆସିବା ପରେ ତାଙ୍କୁ ନେଇ ଜୋର ସୋରରେ ଆଲୋଚନା ଆରମ୍ଭ ହୋଇ ଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
କୋଝିକୋଡେରେ ଜନସଭାକୁ ସମ୍ବୋଧନ କରି, ୫ବର୍ଷ ମଧ୍ୟରେ ମୋଦୀ କେବଳ ୦.୧ପ୍ରତିଶତ ଉଦ୍ୟୋଗପତିଙ୍କ ପାଇଁ ପ୍ରଧାନମନ୍ତ୍ରୀର ଦାୟିତ୍ୱ ପରିଚାଳନା କରିଛନ୍ତି । ଦେଶରେ ଥିବା ୯୯ପ୍ରତିଶତ କୃଷକ, ଦିନ ମଜୁରିଆ ଏବଂ ଗରିବଙ୍କର କୌଣସି ଅସ୍ତିତ୍ୱ ନଥିବା କଥା ସେ ପ୍ରମାଣ କରିଛନ୍ତି । ମୋଦୀଙ୍କୁ ଲାଗୁଛି ପ୍ରତିଶ୍ରୁତି ଏବଂ ଅଣ୍ଡା କେବଳ ଭାଙ୍ଗିବା ପାଇଁ ହୋଇଥାଏ । ତାଙ୍କର ପ୍ରତିଶ୍ରୁତି ବାଉଁଶ ଭଳି । ଯାହା ଲମ୍ବା ଏବଂ ଫମ୍ପା ହୋଇଥାଏ । କିନ୍ତୁ ରାହୁଲଙ୍କ ପ୍ରତିଶ୍ରୁତି ଆଖୁର ରସ ଭଳି । ଯାହା ଭିତରୁ ଏବଂ ବାହାରୁ ମିଠା । ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ରାହୁଲ ଗାନ୍ଧୀ ୫୦ଲକ୍ଷ କୃଷକଙ୍କ ଋଣ କ୍ଷମା କରିବାର ପ୍ରତିଶ୍ରୁତି ଦେଇ ପୁରା କରିଥିଲେ । କେବଳ ଦୁଇ ଘଣ୍ଟାରେ ନିଜର ପ୍ରତିଶ୍ରୁତି ପୁରା କରି ସେ କୃଷକଙ୍କୁ ଋଣ ଏବଂ ଚିନ୍ତା ମୁକ୍ତ କରାଇଥିଲେ । କିନ୍ତୁ ମୋଦୀଙ୍କ ପ୍ରତିଶ୍ରୁତି ୫ବର୍ଷ ମଧ୍ୟରେ ପୁରା ହୋଇ ପାରି ନାହିଁ ବୋଲି କହିଥିଲେ ସିଦ୍ଧୁ ।