ରାମ ମନ୍ଦିର ପାଇଁ ଦିଲ୍ଲୀରେ ଶୋଭାଯାତ୍ରା

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସରକାରଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି। ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାର ଦିନକ ପୂର୍ବରୁ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଦିଲ୍ଲୀର ରାମଲୀଳା ‌ମଇଦାନରେ ଆଜି ଏକ ବଡ଼ ଧରଣର ଶକ୍ତି ପ୍ରଦର୍ଶନ କରାଯାଇଛି। ଆଇନ ପ୍ରଣୟନ କରି ରାମ ମନ୍ଦିର ନିର୍ମାଣ ପାଇଁ ଦାବି କରାଯାଇଛି। ମନ୍ଦିର ନିର୍ମାଣ ଲାଗି ନିର୍ବାଚନ ବେଳେ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରା ଯାଉ ନଥିବାରୁ ଆର୍‌ଏସ୍‌ଏସ୍‌ର ସାଧାରଣ ସମ୍ପାଦକ ସୁରେଶ ଭାୟାଜି ଯୋଶୀ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି। ଦେଶର ବିଭିନ୍ନ ଭାଗରୁ ଆସିଥିବା ଲୋକମାନେ ଗେରୁଆ ରଙ୍ଗର ଟୋପି ପିନ୍ଧିବା ସହିତ ବିଭିନ୍ନ ସ୍ଳୋଗାନ ମାନ ଦେଇଥିଲେ। ଏହି ଅବସରରେ ରାମଲୀଳ ମଇଦାନରେ ଅନେକ ସାଧୁସନ୍ଥ, ଆର୍‌ଏସ୍‌ଏସ୍‌ ଓ ବିଏଚ୍‌ପିର ବରିଷ୍ଠ ନେତୃବୃନ୍ଦ ଉଦବୋଧନ ଦେଇଥିଲେ। ଦେଶର ବିଚାରବ୍ୟବସ୍ଥା ଲୋକଙ୍କ ଭାବାବେଗକୁ ଧ୍ୟାନଦେବା ଆବଶ୍ୟକ ବୋଲି ସେମାନେ କହିଥିଲେ। ‌ଶ୍ରୀ ଯୋଶୀ କହିଥିଲେ ଆଜି ଯେଉଁମାନେ କ୍ଷମତାରେ ଅଛନ୍ତି ସେମାନେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେମାନେ ଲୋକଙ୍କ କଥା ଶୁଣିବା ସହିତ ଦାବି ପୂରଣ କରିବା ଉଚିତ। ବିଜେପିର ନାମ ନନେଇ ସେ କହିଥିଲେ, ଆମେ ଏଥିପାଇଁ ଭିକ ମାଗୁନାହୁଁ, ଆମେ ଆମର ଭାବାବେଗର ପରିପ୍ରକାଶ କରୁଛୁ। ଦେଶ ରାମ ରାଜ୍ୟ ଚାହେଁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର