ଜେରୁଜେଲମ, ଓ୍ଵଷ୍ଟ ବ୍ୟାଙ୍କରେ ସଂଘର୍ଷ

ଟ୍ରମ୍ପ୍‌ଙ୍କ ପଦକ୍ଷେପକୁ ବିରୋଧ

ଜେରୁଜେଲମ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଜେରୁଜେଲମକୁ ଇସ୍ରାଏଲର ରାଜଧାନୀ ମାନ୍ୟତା ଦେବାପରେ ଏହାକୁ ନେଇ ତୀବ୍ର ଉତ୍ତେଜନା ଲାଗି ରହିଛି। ଆଜି ଜେରୁଜେଲମ ଏବଂ ଅଧିକୃତ ଓ୍ଵଷ୍ଟ ବ୍ୟାଙ୍କରେ ପାଲେଷ୍ଟାଇନ ନାଗରିକମାନେ ହିଂସାତ୍ମକ ବିକ୍ଷୋଭ କରିଛନ୍ତି। ଇସ୍ରାଏଲ ସୁରକ୍ଷା ବାହିନୀ ସହ ସଂଘର୍ଷରେ ଅନେକ ଆହତ ହୋଇଥିବା ମଧ୍ୟ ଜଣାପଡ଼ଛି। ଏହି ଘଟଣା ପରେ ଇସ୍ରାଏଲ ସରକାର ସୁରକ୍ଷା କଡ଼ାକଡ଼ି କରିଛନ୍ତି। ମଧ୍ୟପ୍ରାଚ୍ୟର ବିଭିନ୍ନ ରାଷ୍ଟ୍ରରେ ଆମେରିକା ବିରୋଧୀ ବିକ୍ଷୋଭ ଜାରି ରହିଛି। ଟ୍ରମ୍ପ୍‌ଙ୍କ ଏ ବାବଦ ଘୋଷଣାକୁ ଏହାର ମିତ୍ର ରାଷ୍ଟ୍ରମାନେ ପ୍ରତ୍ୟାଖ୍ୟାନ କରିଥିବା ବେଳେ ଜାତିସଂଘ ମଧ୍ୟ ଏହାକୁ ଅଗ୍ରାହ୍ୟ କରିଦେଇଥିବାରୁ ଆମେରିକାର ଅଡ଼ୁଆ ବଢ଼ିଛି। ଟ୍ରମ୍ପ୍‌ ଏଭଳି ଘୋଷଣା କରି କେବଳ ଏକ ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିଥିବା ବେଳେ ପାଲେଷ୍ଟାଇନର ଅଧିକାର ଏବଂ ବିବାଦର ସ୍ଥିତିକୁ ଅଣଦେଖା କରିଛନ୍ତି ବୋଲି ଆରବ ଓ ୟୁରୋପୀୟ ରାଷ୍ଟ୍ରମାନେ ମତ ଦେଇଛନ୍ତି। ଆମେରିକାର ନିଷ୍ପତ୍ତିକୁ ବିରୋଧ କରି ଇଜିପ୍ଟ, ଲେବାନନ, କତାର ଏବଂ ଜୋର୍ଡାନରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଆମେରିକୀୟ ଦୂତାବାସଗୁଡ଼ିକ ସମ୍ମୁଖରେ ବିକ୍ଷୋଭ ଜାରି ରହିଥିବାରୁ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଟ୍ରମ୍ପ୍‌ଙ୍କ ପଦକ୍ଷେପକୁ ଇରାନ୍‌ ଦୃଢ଼ ନିନ୍ଦା କରିବା ସହ ଏହା ବିରୋଧରେ ସମସ୍ତ ମୁସ୍‌୍‌ଲିମ ରାଷ୍ଟ୍ର ଏକଜୁଟ ହେବାକୁ ଆହ୍ଵାନ ଦେଇଛି। ଜେରୁଜେଲମର ସାର୍ବଭୌମତ୍ୱ ନେଇ ସ୍ଥିର ନୀତି ଆପଣାଇଥିବା ଆମେରିକାର ହଠାତ ଏଭଳି ନିଷ୍ପତ୍ତି ପରିବର୍ତ୍ତନ ଘୋର ଅସ୍ଥିରତା ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର