ସାବିରମାଳା ମନ୍ଦିର ଖୋଲିବା ପୂର୍ବରୁ ମନ୍ଦିର ପାଖରେ ମହିଳା, ପ୍ରବଳ ବିରୋଧ, କ୍ୟାମେରାମ୍ୟାନ ଆହତ

ତିରୁଅନନ୍ତପୁରମ: କେରଳର ପବିତ୍ର ସାବିରମାଳା ଆୟାପ୍ପା ମନ୍ଦିର ଭିତରକୁ ମହିଳାଙ୍କ ପ୍ରବେଶ ନେଇ ଆଜି ବି ଉତ୍ତେଜନା ଦେଖାଦେଇଛି। ବିଶେଷ କରି ଜଣେ ମହିଳା ମନ୍ଦିରର ପବିତ୍ର ୧୮ ପାହାଚ ପାଖରେ ପହଞ୍ଚିଯିବା ପରେ ତାଙ୍କୁ ଭୟଙ୍କର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଯଦିଓ ମହିଳା ନିଜକୁ ୫୦ ବର୍ଷରୁ ଊର୍ଧ୍ୱ ବୋଲି ଦାବି କରୁଥିଲେ, ମାତ୍ର ପ୍ରଦର୍ଶନକାରୀମାନେ ଏହା ମାନିବାକୁ ରାଜି ନ ଥିଲେ । ଏପରିକି ମହିଳାଙ୍କୁ ତାଙ୍କ ଆଧାରକାର୍ଡ ଦେଖାଇବାକୁ ପଡ଼ିଥିଲା। ଏହି ସମୟରେ ଦଳାଚକଟା ଆରମ୍ଭ ହୋଇଯିବାରୁ ଜଣେ ଗଣମାଧ୍ୟମର କ୍ୟାମେରାମ୍ୟାନ ଗୁରୁତର ଭାବେ ଆହତ ହୋଇଛନ୍ତି।

ସୂଚନା ଯୋଗ୍ୟ ଯେ ଟ୍ରାଭେନକୋରର ଶେଷ ରାଜା ଚିତିରା ତିରୁନାଲ ବଳରାମ ବର୍ମାଙ୍କ ଜୟନ୍ତୀ ଅବସରରେ ଆଜି (ମଙ୍ଗଳବାର) ‘ଶ୍ରୀ ଚିତିରା ଅଟ୍ଟା ତିରୁନାଲ’ ଉତ୍ସବ ପାଇଁ ସାବିରମାଳା ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚର୍ନା ଲାଗି ମନ୍ଦିର ଖୋଲାଯିବ। ଏଥିପାଇଁ ମନ୍ଦିରକୁ ଭକ୍ତଙ୍କ ଭିଡ଼ ଲାଗିଛି। ତେବେ ମନ୍ଦିରରେ ୧୦ରୁ ୫୦ ବର୍ଷ ମହିଳାଙ୍କ ପ୍ରବେଶ ଉପରେ ପୂର୍ବରୁ କଟକଣା ଥିଲା। ମାତ୍ର ଏଥିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରି ଏହି କଟକଣାକୁ ହଟାଇ ଦେବା ସତ୍ତ୍ୱେ ମନ୍ଦିରର ପରମ୍ପରା ସପକ୍ଷବାଦୀମାନେ ମହିଳାମାନଙ୍କ ପ୍ରବେଶକୁ ବିରୋଧ କରୁଛନ୍ତି। ଆଜି ଏଥିପାଇଁ ମନ୍ଦିରର ପବିତ୍ର ୧୮ ପାହାଚ ପାଖରେ ପହଞ୍ଚିିଥିବା ମହିଳାଙ୍କୁ ବିରୋଧ କରିବାକୁ ପଡ଼ିଥିଲା। ତାଙ୍କୁ ଆଧାରକାର୍ଡ ଦେଖାଇବାକୁ କୁହାଯାଇଥିଲା। ସେଥିରେ ତାଙ୍କ ବୟସ ୫୨ ବର୍ଷ ଥିବା ଜଣାପଡ଼ିଥିଲା। ତଥାପି ବିରୋଧ ଉଗ୍ର ରୂପ ନେବାରୁ ମହିଳାଙ୍କୁ ପୁଲସ କ୍ୟାମ୍ପକୁ ନିଆଯାଇଛି। ତେବେ ମହିଳାଙ୍କ ବୟସ ୫୨ ବର୍ଷ ଜଣାପଡ଼ିବା ପରେ କେତେକ ପ୍ରଦର୍ଶନକାରୀ ମହିଳାଙ୍କୁ କ୍ଷମା ମାଗିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର