ସ୍କୁଲ୍‌ ଚଳାଇବାକୁ କ୍ରାଉଡ୍‌ଫଣ୍ଡିଙ୍ଗ୍‌ ଜରିଆରେ ଅର୍ଥ ଯୋଗାଡ଼ କରୁଛନ୍ତି ପି ଟି ଉଷା

ଚେନ୍ନାଇ: ନିଜ ସ୍କୁଲ୍‌ରେ ଉଦୀୟମାନ ଧାବିକାମାନଙ୍କୁ ତାଲିମ ଦେବା ପାଇଁ କିଂବଦନ୍ତୀ ଧାବିକା ପି ଟି ଉଷା କ୍ରାଉଡ୍‌ଫଣ୍ଡିଙ୍ଗ୍‌ ଜରିଆରେ (ବିଶେଷକରି ଇଣ୍ଟର୍‌ନେଟ୍‌ ମାଧ୍ୟମରେ ଜନସାଧାରଣଙ୍କ ଠାରୁ ଅନୁଦାନ ଗ୍ରହଣ) ଅନୁଦାନ ଗ୍ରହଣ କରୁଛନ୍ତି। ଏ ପର୍ଯ୍ୟନ୍ତ ସେ ୨୦ ଲକ୍ଷ ଟଙ୍କା ପାଇଲେଣି। ଏସିଆଡ୍‌ ଏବଂ ଅଲିମ୍ପିକ୍‌ କ୍ରୀଡ଼ାରେ ଅଂଶଗ୍ରହଣ କରିବାକୁ ପ୍ରତିଭାବାନ ଧାବିକାମାନଙ୍କୁ ସେ ନିଜ ସ୍କୁଲରେ ପ୍ରଶିକ୍ଷଣ ଦେବାକୁ ସ୍ଥିର କରିଛନ୍ତି।

୧୬ ଜଣ କ୍ରୀଡ଼ାବିତ୍‌ଙ୍କ ସକାଶ ପି ଟି ଉଷା ସମୁଦାୟ ୨୭ ଲକ୍ଷ ଟଙ୍କା ଆଦାୟ କରିଛନ୍ତି। କ୍ରାଉଡ୍‌ ଫଣ୍ଡିଙ୍ଗ୍‌ ସାଇଟ୍‌ ‘ମିଲାପ୍‌’ ଅଭିଯାନ ଶେଷ ହୋଇଥିଲେ ମଧ୍ୟ ଉଷା ଏବେ ମଧ୍ୟ ଜନସାଧାରଣଙ୍କ ଠାରୁ ଅନୁଦାନ ଗ୍ରହଣ କରୁଛନ୍ତି।

Image Courtesy of Dreamwallet

୨୦୦୨ରେ ତରୁଣୀମାନଙ୍କୁ ଦୌଡ଼ ତାଲିମ ଦେବା ପାଇଁ କୋଝିକୋଡ଼ ଠାରେ ସ୍କୁଲ୍‌ ବସାଇ ଥିଲେ। ଏହି ସ୍କୁଲ୍‌ରେ କ୍ରୀଡ଼ିକାମାନଙ୍କୁ ମାଗଣାରେ ତାଲିମ ଦିଆ ଯିବା ସହ ସେମାନଙ୍କ ଖାଇବା ପିଇବା ଓ ରହିଣି ବାବଦରେ କୌଣସି ଫି’ ନିଆଯାଏ ନାହିଁ। ଏ ବର୍ଷ ଯାଏଁ ତାଙ୍କ ସ୍କୁଲ୍‌ ସରକାରୀ ଅନୁଦାନ, ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତିଗତ ଅନୁଦାନରେ ଚାଲିଆସୁଥିଲା।

ଉଷା କହନ୍ତି: ଅତୀତରେ ମୋହନ ଦାସ ପାଇ ଏବଂ କୁମାରୀ ଶିବୁଲାଲ୍‌ଙ୍କ ଭଳି ସେଲିବ୍ରିଟି ପ୍ରତ୍ୟେକ ୫/୬ ଜଣ କ୍ରୀଡ଼ାବିତ୍‌ଙ୍କ ତାଲିମ ଖର୍ଚ ବହନ କରିବାକୁ ଆଗେଇ ଆସିଥିଲେ। ଥରେ ସୁଧା ମୁର୍ତ୍ତି ଆମକୁ ୨୦ ଲକ୍ଷ ଟଙ୍କା ଦେଇଥିଲେ। ମଡ୍‌ ଟ୍ରାକ୍‌ ତିଆରି ପାଇଁ ଖର୍ଚ ଦେଇଥିଲେ ରାଜ୍ୟ ସରକାର ଏବଂ ସିନ୍ଥେଟିକ୍‌ ଟ୍ରାକ୍‌ ପାଇଁ ଅର୍ଥ ଦେଇଥିଲେ କେନ୍ଦ୍ର ସରକାର। ଶୋଭା ଡେଭଲପର୍‌ ଆମ ଛାତ୍ରୀନିବାସ ନିର୍ମାଣ କରାଇ ଦେଇଥିଲା।

Image Courtesy of Milaap

କିନ୍ତୁ ସେ ଅନୁଦାନ ନିୟମିତ ମିଳୁ ନ ଥିଲା। ତେଣୁ ଉଷା ନିୟମିତ ଅନୁଦାନ ପାଇବା ନିମନ୍ତେ ଉଷା କ୍ରାଉଡ୍‌ ଫଣ୍ଡିଙ୍ଗ୍‌ ଆରମ୍ଭ କରିଛନ୍ତି। ଏବେ ସେ ୧୬ ଛାତ୍ରୀଙ୍କୁ ତାଲିମ ଦେଉଛନ୍ତି। ଜଣକ ତାଲିମ ପିଛା ବର୍ଷକୁ ଖର୍ଚ ହେଉଛି ୩ ରୁ ୬ ଲକ୍ଷ ଟଙ୍କା।

ଉଷା କହନ୍ତି: କ୍ରୀଡ଼ା ହିଁ ଆମର ମୂଳ ଲକ୍ଷ, କିନ୍ତୁ ତା’ ସହ ଆମ ପିଲାଏ ନିକଟବର୍ତ୍ତୀ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରୁଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ୯୦% ନମ୍ବର ରଖୁଛନ୍ତି।

ଉଷାଙ୍କ ସ୍କୁଲ୍‌ରେ ଭୋର୍‌ ସାଢ଼େ ପାଞ୍ଚଟାରେ ତାଲିମ ଆରମ୍ଭ ହୁଏ। ସକାଳ ଅଧିବେଶନ ଚାଲେ ସକାଳ ସାଢ଼େ ନଅଟା ଯାଏଁ। ପୁଣି ଅପରାହ୍ଣ ସାଢ଼େ ଚାରିଟା ପରେ ସେମାନ ପଡ଼ିଆକୁ ଆସନ୍ତି ଅଭ୍ୟାସ କରିବାକୁ।

Image Courtesy of Milaap

‘ମିଲାପ’ର ସିଇଓ ମୟୂଖ ଚୌଧୁରୀ କହନ୍ତି: ଉଷାଙ୍କ ଦକ୍ଷ ତତ୍ତ୍ୱାବଧାନରେ ଉପଯୁକ୍ତ ସମ୍ବଳ ସହ ଏହି ତରୁଣୀ କ୍ରୀଡ଼ାବିତ୍‌ମାନେ ବହୁ କୃତ୍ୱିତ୍ୱର ଅଧିକାରୀ ହେବ।

ସମ୍ବନ୍ଧିତ ଖବର