ବିଚାରପତିଙ୍କ ବହିଷ୍କାର ନେଇ ସାଧାରଣରେ ବିବୃତି ‘ଅତ୍ୟନ୍ତ ଦୁର୍ଭାଗ୍ୟଜନକ’: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ବିଚାରପତିଙ୍କ ବହିଷ୍କାର ନେଇ ସାଧାରଣରେ ବିବୃତି ଓ ମନ୍ତବ୍ୟ ଦେବା ‘ଅତ୍ୟନ୍ତ ଦୁର୍ଭାଗ୍ୟଜନକ’ ବୋଲି କହିଛନ୍ତି ସୁପ୍ରିମ୍‌ କୋର୍ଟ। ଏଥିସହ, ‘ଏହି ଘଟଣାରେ ଆମେ ସମସ୍ତେ ବିଚଳିତ’ ବୋଲି କହିଛନ୍ତି ସୁପ୍ରିମ୍‌ କୋର୍ଟର ଏକ ଖଣ୍ଡପୀଠ।

ସଂପ୍ରତି ବିଚାରପତିଙ୍କ ବହିଷ୍କାର ନେଇ ଗଣମାଧ୍ୟମରେ ଆରମ୍ଭ ହୋଇଥିବା ଆଲୋଚନା ଉପରେ ରୋକ୍‌ ଲଗାଇବା ପାଇଁ ଆଗତ ଏକ ଯାଚିକାର ଶୁଣାଣି କରି ସୁପ୍ରିମ୍‌ କୋର୍ଟର ଏକ ଖଣ୍ଡପୀଠ ଆଜି (ଶୁକ୍ରବାର) ଏହି ମନ୍ତବ୍ୟ ଦେଇଛନ୍ତି। ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଏ.କେ ସିକ୍ରି ଓ ଜଷ୍ଟିସ୍‌ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ ବିଚାରପତିଙ୍କ ବହିଷ୍କାର ନେଇ ଆଇନ୍‌ ପ୍ରଣୟନକାରୀ (ଲମେକର୍ସ)ମାନେ ସାଧାରଣରେ ବିବୃତି ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆଇନ୍‌ ପ୍ରଣୟନକାରୀମାନଙ୍କ ଏତାଦୃଶ ଆଚରଣକୁ ନେଇ ଆମେ ଗଭୀର ଭାବେ ବିଚଳିତ ଓ ମର୍ମାହତ ମଧ୍ୟ ବୋଲି କହିବା ସହ ଏପ୍ରକାରର ଆଲୋଚନା ଯେପରି ସାଧାରଣରେ ବିଶେଷ କରି ଗଣମାଧ୍ୟମରେ ନହୁଏ, ସେଥିପ୍ରତି ଯତ୍ନବାନ ହେବାକୁ ଆଟର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

CJ Deepak Mishra (indiatoday)

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତକାଲି ସୁପ୍ରିମ୍‌ କୋର୍ଟ ସିବିଆଇ ବିଚାରପତି ବିଏଚ୍‌ ଲୋୟାଙ୍କ ମୁତ୍ୟୁ ଘଟଣାର ତଦନ୍ତ ଦାବିକୁ ଅଗ୍ରାହ୍ୟ କରିଦେବା ପରେ ଦେଶର ବିରୋଧୀ ଦଳମାନେ ସୁପ୍ରିମ୍‌ କୋର୍ଟ ମୁଖ୍ୟ ବଚିରପତିଙ୍କ ବହିଷ୍କାର ପାଇଁ ସଂସଦରେ ବହିଷ୍କାର ନୋଟିସ୍‌ ଆଗତ କରିବେ ବୋଲି ଗଣମାଧ୍ୟମକୁ କହିଥିଲେ। ଏଥିସହ, ମୁଖ୍ୟ ବିଚାରପତି ପକ୍ଷପାତିତା କରୁଛନ୍ତି ବୋଲି ସିଧାସଳଖଅଭିଯୋଗ କରିଥିଲେ।

ପରେ, ରାଜନେତାମାନଙ୍କୁ ଏପରି ବିବୃତି ପ୍ରଦାନରୁ ବିରତ ରହିବା ଓ ଗଣମାଧ୍ୟମମାନେ ଏଧରଣର ଖବର ପ୍ରସାରଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ସୁପ୍ରିମ୍‌ କୋର୍ଟରେ ଏହି ଯାଚିକା ଆଗତ ହୋଇଥିଲା। ଏହି ଯାଚିକାର ଶୁଣାଣି କରି ସୁପ୍ରମ୍‌ କୋର୍ଟର ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ସହ ମାମଲାର ପରବର୍ତ୍ତୀ ଶୁଣାଣିକୁ ମେ ୮ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ଅନ୍ୟ ପକ୍ଷରେ ଆଜି ଦେଶର ୭ଟି ରାଜନୈତିକ ଦଳର ୬୦ରୁ ଊର୍ଦ୍ଧ୍ୱ ସାଂସଦ ଭାରତର ପ୍ରଧାନ ବିଚାରପତିଙ୍କୁ ବହିଷ୍କାର କରାଇବା ପାଇଁ ଆଗତ ନୋଟିସ୍‌ରେ ସ୍ୱାକ୍ଷର କରିବା ସହ ବହିଷ୍କାର ନୋଟିସ୍‌କୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍ଗିଆ ନାଇଡ଼ୁଙ୍କ ନିକଟରେ ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର