ପୁଲଓ୍ଵାମାରେ ପୁଣି ଏନ୍‌କାଉଣ୍ଟର:୨ ହିଜବୁଲ ଆତଙ୍କବାଦୀ ସମେତ ୩ ମୃତ

ବାରମୁଳାରେ ୩ ଯୁବକଙ୍କୁ ଗୁଳିକରି ହତ୍ୟା

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲଓ୍ଵାମା ଜିଲ୍ଲା ଦ୍ରୁବଗାମ୍‌ରେ  ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୁରକ୍ଷାକର୍ମର୍ୀଙ୍କ ଏନକାଉଣ୍ଟରରେ ହିଜବୁଲ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ସଂଗଠନର ୨ ଜଣ କମାଣ୍ଡରଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁଇ ଜଣ କୁଖ୍ୟାତ ଆତଙ୍କବାଦୀ ହେଲେ ରାଜପୋରା ସେକ୍ଟରର ସମୀର ଭଟ୍ଟ ଓରଫ ଟାଇଗର ଏବଂ ଆକିବ୍‌ ଖାନ। ତେବେ ଏହି ଘଟଣାରେ ୩ଜଣ ଯବାନ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଏନକାଉଣ୍ଟର ଚାଲିଥିବା ବେଳେ ମଝିକୁ ଚାଲି ଆସିବାରୁ ଜଣେ ସ୍ଥାନୀୟ ଯୁବକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସ୍ଥାନୀୟ ଯୁବକର ମୃତ୍ୟୁକୁ କେନ୍ଦ୍ରକରି ଉତ୍ତ୍ୟକ୍ତ ଲୋକେ ପୁଲିସ ଉପରକୁ ପଥରମାଡ଼ କରିଥିଲେ। ସେମାନେ ଯବାନଙ୍କ ଏକ ଗାଡ଼ିକୁ ମଧ୍ୟ ପୋଡି ଦେଇଥିବା ଜଣାପଡ଼ିଛି। ତେବେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। କିନ୍ତୁ ତଥାପି ପଥରମାଡ଼ ନଥମିବାରୁ ପୁଲିସ ଗୁଳି ଚାଳନା କରିଥିଲା। ଏଥିରେ ୧୫ ଜଣ ସ୍ଥାନୀୟ ବିରୋଧ ପ୍ରଦର୍ଶନକାରୀ ଗୁରୁତର ଆହତ ମଧ୍ୟ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ଜମ୍ମୁ-କଶ୍ମୀରର ଅର୍ଦ୍ଧାଧିକ ଅଂଚଳରେ ଅଶାନ୍ତି ସୃଷ୍ଟି ହେବାରୁ କୁଲଗାମ,ସୋପିଆନ ଭଳି ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକରେ ଇଣ୍ଟରନେଟ ସେବା ବନ୍ଦ ପରିଦିଆଯାଇଛି।
ମିଳିଥିବା ଖବର ମୁତାବକ, ଦ୍ରୁବଗାମ ଅଞ୍ଚଳରେ ୨-୩ ଜଣ ଆତଙ୍କବାଦୀ ଲୁୁଚି ରହିଥିବା ଖବର ପାଇ ଆଜି ସିଆରପିଏଫ୍‌, ଏସ୍‌ଓଜି ଓ ଜମ୍ମୁ-କଶ୍ମୀର ପୁଲିସ ପକ୍ଷରୁ ମିଳିତଭାବେ ଚଢଉ କରାଯାଇଥିଲା।

ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀମାନେ ଅତର୍କିତ ଗୁଳିମାଡ଼ କରିଥିଲେ। ତେବେ ଯବାନ ମଧ୍ୟ ପାଲଟା ଗୁଳିମାଡ଼ କରିଥିଲେ। ଯବାନଙ୍କ ଗୁଳିମାଡ଼ରେ ଦୁଇ କୁଖ୍ୟାତ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର କମାଣ୍ଡରଙ୍କ ମୃତ୍ୟୁ ହୋଇଥିଲା। ତେବେ ଆତଙ୍କବାଦୀଙ୍କୁ ଉକ୍ତ ସ୍ଥାନରୁ ଖସାଇବା ପାଇଁ କିଛି ସ୍ଥାନୀୟ ଯୁବକ ଏନକାଉଣ୍ଟର ମଧ୍ୟକୁ ପଶି ଆସିଥିଲେ। ଫଳରେ ଜଣେ ସ୍ଥାନୀୟ ଯୁବକର ମୃତ୍ୟୁ ହୋଇଥିଲା। ମୃତ ଆତଙ୍କବାଦୀ ସମିର ଟାଇଗର ରାଜପୋରା ସେକ୍ଟରର ହୋଇଥିବା ବେଳେ ୨୦୧୬ ମାର୍ଚ୍ଚ ୨୪ ତାରିଖରେ ପୁଲିସକୁ ପଥରମାଡ଼ ଅଭିଯୋଗରେ ଗିରଫ ମଧ୍ୟ ହୋଇଥିଲା। ମାତ୍ର ୫ଦିନ ପରେ ପୁଲିସ ହାଜତରୁ ମୁକୁଳିବା ପରେ ସେ ହିଜବୁଲ ମୁଜାହିନ୍ଦିନ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ଜଣାପଡ଼ିଛି।

ଶ୍ରୀନଗର :  ଜମ୍ମୁ-କଶ୍ମୀର ବାରମୁଳା ଜିଲ୍ଲାର ଖାନପୋରା ସେକ୍ଟରରେ ୩ଜଣ ଯୁବକଙ୍କୁ ଆତଙ୍କବାଦୀ ଗୁଳିକରି ହତ୍ୟା କରିଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଖାନପୋରାର ଓଲଡ ଟାଉନ ଆଡକୁ ଏହି ଯୁବକମାନେ ଯାଉଥିବା ବେଳେ ସେମାନଙ୍କୁ ଅତର୍କିତ ଭାବେ ଗୁଳିମାଡ଼ କରାଯାଇଥିଲା। ଏହି ୩ ଯୁବକଙ୍କର କୌଣସି ରାଜନୈତିକ ସମ୍ପର୍କ ନଥିବା ପୁଲିସ ଡିଜି ଏସ୍‌ପି ବୈଦ ସ୍ପଷ୍ଟ କରିଛନ୍ତି।
ଅନ୍ୟ ଏକ ଘଟଣାରେ ଜୈନପୁରାରେ ଥିବା ୩୪ ରାଷ୍ଟ୍ରୀୟ ରାଇଫଲ୍ଦ କ୍ୟାମ୍ପ ନିକଟରେ ଆଜି ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯିବା ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଥିଲେ। ତେବେ ସେମାନଙ୍କୁ ଧରିବା ପାଇଁ ଉକ୍ତ ଅଞ୍ଚଳକୁ ସିଲ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର