ପାକିସ୍ତାନରୁ ଜୈସ ରଚିଥିଲା ପୁଲୱାମା ଆକ୍ରମଣ

ନୂଆଦିଲ୍ଲୀ: ଆରବରୁ ଗିରଫ କରାଯାଇ ଭାରତ ଅଣାଯାଇଥିବା ଜୈସ କମାଣ୍ଡର ନିଶାର ଅହମଦ ତାନ୍ତ୍ରେୟ ଏକ ବଡ ଖୁଲାସା କରିଛି। ନିଶାର କହିଛି ଯେ ପୁଲୱାମା ଆକ୍ରମଣ ପାଇଁ ପାକିସ୍ତାନରେ ଥିବା ଜୈସ-ଇ-ମହମଦ ନେତା ମୁଦାସୀର ଖାନ ଆଦେଶ ଦେଇଥିଲା। ନିଶାରକୁ ରବିବାର ଭାରତ ଅଣାଯିବା ପରେ ଏନ୍‌ଆଇଏ ତାକୁ ଜେରା କରିବା ବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ନିଶାର କହିଛି ଯେ ସେ ଫେବୃଆରୀ ୧୪ ପୁଲୱାମା ଆକ୍ରମଣ ବିଷୟରେ ଆଗରୁ ଜାଣିଥିଲା। ନିଶାର ସ୍ପଷ୍ଟ କରିଛି ଯେ ପାକିସ୍ତାନରେ ଥିବା ଜୈସ ନେତା ଖାନ ତାକୁ ଏକ ସୋସିଆଲ ମିଡ଼ିଆ ଆପ୍‌ରେ ସୂଚନା ଦେଇ ଫେବୃଆରୀ ମଧ୍ୟ ବେଳକୁ ପୁଲୱାମାର କୌଣସି ଏକ ସ୍ଥାନରେ ଆତ୍ମଘାତୀ କାର ବୋମା ବିସ୍ଫୋରଣ ଘଟାଇବା ପାଇଁ ନିର୍ଦେଶ ଦେଇଥିଲା। ନିଶାର ହେଉଛି ମୃତ ଜୈସ ନେତା ନୁର୍‌ ଅହମଦ ତାନ୍ତ୍ରେୟର ଭାଇ। ଗୁଇନ୍ଦା ସୂଚନା ଅନୁଯାୟୀ ଜୈସର କାଶ୍ମୀର କ୍ୟାଡରଙ୍କ ମଧ୍ୟରେ ନିଶାରର ଅଧିକ ପ୍ରଭାବ ରହିଛି। ସେ ଫେବୃଆରୀ ୧୪ରେ ପୁଲୱାମା ଆକ୍ରମଣର ଦୁଇ ସପ୍ତାହ ପୂର୍ବରୁ ଆରବ ପଳାୟନ କରିଥିଲା।

ସମ୍ବନ୍ଧିତ ଖବର