ପୁଲଓ୍ଵାମା ଆକ୍ରମଣ ପରେ ଗୃହ ମନ୍ତ୍ରାଳୟର ବଡ଼ ନିଷ୍ପତ୍ତିି : ଜମ୍ମୁ-କଶ୍ମୀରରରେ କାର୍ଯ୍ୟରତ ସିଆରପିଏଫ୍‌ ଯବାନଙ୍କୁ ବିମାନ ଯାତ୍ରା ଲାଗି ଅନୁମତି

ନୂଆଦିଲ୍ଲୀ : କଶ୍ମୀରରେ ନିଯୁକ୍ତି ପାଇଥିବା ସିଆର୍‌ପିଏଫ୍‌ ଯବାନ ଏବଂ ଅନ୍ୟ ଅର୍ଦ୍ଧସାମରିକ ବଳର ସୁରକ୍ଷା ପାଇଁ ଗୃହ ମନ୍ତ୍ରାଳୟ ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତିି ନେଇଛି । କାମରେ ଯୋଗ ଦେବା ସହ ଛୁଟିରେ ଘରକୁ ଯିବା ପାଇଁ ଯବାନମାନେ ବିମାନରେ ଯାତ୍ରା କରିପାରିବେ । ଯେଉଁମାନେ ଜମ୍ମୁ-କଶ୍ମୀରରେ ମୁତୟନ ହୋଇଛନ୍ତି ସେମାନଙ୍କୁ ଏହି ସୁବିଧା ଉପଲବ୍ଧ ହେବ। ଯବାନମାନେ ଜମ୍ମୁ-ଶ୍ରୀନଗର, ଶ୍ରୀନଗର-ଜମ୍ମୁ ଏବଂ ଦିଲ୍ଲୀ-ଶ୍ରୀନଗର, ଶ୍ରୀନଗରରୁ-ଦିଲ୍ଲୀ ପର୍ଯ୍ୟନ୍ତ ବିମାନ ମାଧ୍ୟମରେ ଯିବା ଆସିବା କରି ପାରିବେ । ଗୁରୁବାର ଗୃହ ମନ୍ତ୍ରାଳୟ ଏହି ଘୋଷଣା କରିଛି ।

ଗୃହ ମନ୍ତ୍ରାଳୟର ଏହି ନିଷ୍ପତ୍ତିି ଦ୍ୱାରା ୭.୮ଲକ୍ଷ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ଲାଭବାନ ହେବେ । ଏ ମଧ୍ୟରେ କନେଷ୍ଟବଳ, ହେଡ୍‌ କନେଷ୍ଟବଳ ଏବଂ ଏଏସ୍‌ଆଇ ର‍୍ୟାଙ୍କର ଯବାନମାନେ ସାମିଲ ଅଛନ୍ତି । ପୂର୍ବରୁ ଏମାନଙ୍କୁ କାର୍ଯ୍ୟକ୍ଷେତ୍ରରୁ ଘରକୁ ଏବଂ ଘରୁ କାର୍ଯ୍ୟସ୍ଥଳକୁ ଆସିବା ପାଇଁ ବିମାନର ସୁବିଧା ଦିଆ ଯାଉ ନ ଥିଲା । ଏହି ନିୟମ ଅନୁଯାୟୀ, ଯବାନମାନେ ବିମାନ ଯୋଗେ ନିଜ ଘରକୁ ଯାଇ ପାରିବା ସହ ସେଠାରୁ ଆସି ପାରିବେ । ଗୁରୁବାର ଏହି ନିଷ୍ପତ୍ତିି ବିଷୟରେ ବିଏସ୍‌ଏଫ୍‌, ସିଆର୍‌ପିଏଫ୍‌, ସିଆଇଏସ୍‌ଏଫ୍‌, ଆଇଟିବିପି ଏବଂ ଏସ୍‌ଏସ୍‌ବିର ପ୍ରମୁଖଙ୍କୁ ଜଣାଇ ଦିଆଯିବା ସହ ତୁରନ୍ତ ଏହାକୁ ଲାଗୁ କରି ଦିଆଯାଇଥିବା ଜଣା ପଡ଼ିଛି । ଏ ନେଇ ଗୃହ ମନ୍ତ୍ରାଳୟ ତରଫରୁ ଅନେକ ଟୁଇଟ୍‌ ମଧ୍ୟ କରାଯାଇଛି । ଏହି ନିୟମ ଲାଗୁ ହେବା ପରେ ଏବେ ଯବାନମାନେ କମ ସମୟ ମଧ୍ୟରେ ନିଜ ଘରକୁ ଯାଇ ପାରିବା ସହ ସୁରକ୍ଷିତ ରହି ପାରିବେ ।

ସମ୍ବନ୍ଧିତ ଖବର