ପୁଲଓ୍ଵାମା ଆକ୍ରମଣ: ସମାଜବାଦୀ ପାର୍ଟି ନେତାଙ୍କ ବିବାଦୀୟ ବୟାନକୁ କେନ୍ଦ୍ର କରି ସୃଷ୍ଟି ହେଲା ରାଜନୈତିକ ବିତର୍କ

ନୂଆଦିଲ୍ଲୀ: ପୁଲଓ୍ଵାମା ଆକ୍ରମଣ ଘଟଣା ସମଗ୍ର ଦେଶ ଓ ଦେଶବାସୀଙ୍କୁ ହତଚକିତ କରି ରଖିଦେଇଛି। ଏ ପରସ୍ଥିତିରେ ସମାଜବାଦୀ ପାର୍ଟି (ସପା) ନେତା ଆବୁ ଆଜ୍‌ମୀ ପୁଲଓ୍ଵାମା ଘଟଣାକୁ କେନ୍ଦ୍ର କରି ଆଜି ଏକ ବିବାଦୀୟ ବୟାନ ଦେବା ପରେ ଏହାକୁ କେନ୍ଦ୍ର କରି ଏବେ ଦେଶରେ ରାଜନୈତିକ ବିତର୍କ ଆରମ୍ଭ ହୋଇଯାଇଛି।

ସମାଜବାଦୀ ପାର୍ଟି ନେତା ଆବୁ ଆଜ୍‌ମୀ ଆଜି ମୁମ୍ବାଇ ଠାରେ ଏକ ବୟାନ ଦେଇ କହିଛନ୍ତି ଯେ ଜମ୍ମୁ- କଶ୍ମୀରର ପୁଲଓ୍ଵାମା ଠାରେ ଯେଉଁ ଆତଙ୍କବାଦୀ ହାମ୍‌ଲା ଘଟିଲା ଓ ଯେଉଁ ଥିରେ ୪୦ ଜଣ ସିଆରପିଏଫ୍‌ ଯବାନ ପ୍ରାଣ ହରାଇଲେ ତାହା ପଛରେ ଏକ ରାଜନୈତିକ ଷଡ୍‌ଯନ୍ତ୍ର ଥିଲା। ଆଜ୍‌ମୀ ଦାବୀ କରିଛନ୍ତି ଯେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର, ପୁଲଓ୍ଵାମା ଆକ୍ରମଣ ସଂପର୍କରେ ଆଗତୁରା ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ପାଇଥିଲେ ମଧ୍ୟ ତାକୁ ଜାଣିଶୁଣି ଅଣଦେଖା କରି ଦେଇଥିଲେ। ନିର୍ବାଚନରେ ଏହାକୁ ପ୍ରସଙ୍ଗ କରି ଏହାରି ସହାୟତାରେ ନିର୍ବାଚନୀ ବୈତରଣୀ ପାର ହେବାକୁ ଯୋଜନା କରି ଏହି ଷଡ୍‌ଯନ୍ତ୍ର କରିବା ସହ ଗୁଇନ୍ଦା ରିପୋର୍ଟକୁ ଅଣଦେଖା କରି ଏପରି ଅଘଟଣ ଘଟିବା ପାଇଁ ସୁଯୋଗ ଦେଲେ ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ ସପା ନେତା ଆଜ୍‌ମୀ କହିଛନ୍ତି, ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ନିର୍ବାଚନରେ ବିଜୟ ହାସଲ ପାଇଁ ସବୁକିଛି କରିପାରେ।

ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିଜ ବକ୍ତବ୍ୟ ପ୍ରଦାନ କରୁଥିବା ବେଳେ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ କବିତାକୁ ଆବୃତି କରି କହିଥିଲେ; ‘ସରହଦୋ ପର୍‌ ବହୋତ୍‌ ତନାଭ୍‌ ହୈ, ଜରା ପତ୍ତା କରୋ କହିଁ ଚୁନାଭ୍‌ ହୈ!’ (ସୀମାନ୍ତରେ ବହୁତ ଉତ୍ତେଜନା ଅଛି; ଯାଇ ଖବର ନିଅ କେଉଁଠି ନିର୍ବାଚନ ଅଛି)। ସପା ନେତା ଆବୁ ଆଜ୍‌ମୀଙ୍କ ଏହି ବୟାନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହାକୁ କେନ୍ଦ୍ର କରି ଏବେ ଦେଶରେ ରାଜନୈତିକ ବିତର୍କ ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର