ପୁଲଓ୍ଵାମାରେ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଲସ୍କର କମାଣ୍ଡର ଓ୍ଵାସିମ, ସହଯୋଗୀ ନିହତ

ପ୍ରତିବାଦରେ ଆନ୍ଦୋଳନ, ଜଣେ ନାଗରିକ ମୃତ

ଶ୍ରୀନଗର : ଜମ୍ମୁ କଶ୍ମୀରର ଆତଙ୍କବାଦୀଙ୍କ ସ୍ୱର୍ଗ ଭାବେ ବିବେଚିତ ପୁଲ୍‌ଓ୍ଵାମା ଜିଲ୍ଲାରେ ଆଜି ସୁରକ୍ଷା ବାହିନୀକୁ ବଡ଼ ଧରଣର ସଫଳତା ମିଳିଛି। ସକାଳେ ଲିତ୍ତର ଅଞ୍ଚଳରେ ଲସ୍କର-ଇ-ତଇବାର ପ୍ରମୁଖ କମାଣ୍ଡର ଓ୍ଵାସିମ ଶାହ ସହ ତା’ର ସହଯୋଗୀକୁ ଆଜି ସକାଳେ ସୁରକ୍ଷା ବାହିନୀ ନିପାତ କରିଛି। ଅବୁ ଓସାମା ଭାଇ ଏବଂ ଓ୍ଵାସିମ୍‌ ଲେଫ୍ଟି ନାମରେ ମଧ୍ୟ ପରିଚିତ ଥିବା ୨୩ ବର୍ଷୀୟ ଓ୍ଵାସିମ୍‌ ସୋପିଆନ୍‌ ଜିଲ୍ଲା ପାଇଁ ଲସ୍କର କମାଣ୍ଡର ଥିଲା ଏବଂ କଶ୍ମୀରରେ ଅନେକ ଆତଙ୍କବାଦୀ ହିଂସା ରଚାଇଛି। ମୁଣ୍ଡରେ ୧୦ ଲକ୍ଷର ପୁରସ୍କାର ରାଶି ବହନ କରୁଥିବା ଓ୍ଵାସିମ୍‌କୁ ଦୀର୍ଘ ଦିନ ଧରି ଖୋଜୁଥିଲା। ଗତ ଚାରି ବର୍ଷ ଭିତରେ ଲିତ୍ତର ଅଞ୍ଚଳରେ ଏହା ପ୍ରଥମ ଆତଙ୍କବାଦୀ ବିରୋଧୀ ଅଭିଯାନ ବୋଲି ଜଣାଯାଇଛି।

ଅପରପକ୍ଷେ, ଆଜି ଏନ୍‌କାଉଣ୍ଟର ସ୍ଥଳରେ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ସୁରକ୍ଷା ବାହିନୀକୁ ବିରୋଧ କରି ଏବଂ ଟେକା ପଥର ଫିଙ୍ଗିଥିଲେ। ଆତଙ୍କବାଦୀ ଦ୍ୱୟଙ୍କୁ ଖସାଇଦେବା ଲାଗିି ବିଶୃଙ୍ଖଳା ସୃଷ୍ଟି କରିଥିଲେ। ତେବେ ପୁଲିସ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାପାଇଁ ଗୁଳି ଚାଳନା କରିବା ସମୟରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି ଏବଂ ପାଖାପାଖି ୬ ଜଣ ଆହତ ହୋଇଛନ୍ତି। ସେନା ଗୁଳିରେ ଗୁଲଜର ଅହମଦ ମିରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କୁ ଅତି ଗୁରୁତର ଅବସ୍ଥାରେ ଶ୍ରୀନଗର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ପୁଲଓ୍ଵାମା ଅନ୍ତର୍ଗତ ଲିତ୍ତର ଗ୍ରାମରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବାପରେ ପୁଲିସ, ସେନାବାହିନୀ ଏବଂ ଅର୍ଦ୍ଧସାମରିକ ବାହିନୀର ଏକ ମିଳିତ ଦଳ ଉକ୍ତ ଗାଁକୁ ଘେରାଉ କରିଥିଲେ। ମିଳିତ ସୁରକ୍ଷା ବାହିନୀ ଦଳ ଆତଙ୍କବାଦୀମାନେ ଲୁଚି ରହିଥିବା ଘରର ନିକଟବର୍ତ୍ତୀ ହେବା ସମୟରେ ଓ୍ଵାସିମ୍‌ ଏବଂ ତାହାର ଅଙ୍ଗରକ୍ଷୀ ନିସାର୍‌ ଅହମଦ ମୀର ଖସି ପଳାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଫଳରେ ସେମାନେ ସୁରକ୍ଷା ବାହିନୀ ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲେ। ଏହାର ଜବାବରେ ସୁରକ୍ଷା ବାହିନୀ ମଧ୍ୟ ଗୁଳି ଚାଳନା କରିଥିଲେ। ଉଭୟ ପକ୍ଷର ଘମାଘୋଟ ଗୁଳିବର୍ଷାରେ ଦୁଇ ଆତଙ୍କବାଦୀଙ୍କ ପ୍ରାଣହାନି ଘଟିଥିଲା ବୋଲି ଜମ୍ମୁ କଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଏସ୍‌ ପି ବୈଦ ଟ୍ଵିଟ୍‌ ମାଧ୍ୟମରେ ଜଣାଇଛନ୍ତି।

ସୋପିଆନର ହେଫ୍‌-ଶ୍ରୀମାଲ୍‌ରେ ଏକ ମଧ୍ୟବିତ୍ତ ଫଳ ବ୍ୟବସାୟୀ ପରିବାରରେ ଜନ୍ମିତ ଦୁର୍ଦ୍ଦାନ୍ତ ଓ୍ଵାସିମ୍‌ କଲେଜ ପଢ଼ାରେ ବିଫଳ ହୋଇ ୨୦୧୪ ମସିହାରେ ହିଁ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିଲା। ଗତବର୍ଷ ଦକ୍ଷିଣ କଶ୍ମୀରର ବିଭିନ୍ନ ସ୍ଥାନରେ ସଂଘଟିତ ବିଭିନ୍ନ ହିଂସାକାଣ୍ଡ ଏବଂ ଅଚଳାବସ୍ଥା ପଛରେ ଓ୍ଵାସିମ୍‌ର ହିଁ ପ୍ରମୁଖ ଭୂମିକା ଥିଲା। ବିଭିନ୍ନ ଆତଙ୍କୀ କାଣ୍ଡର ସେ ହିଁ ନକ୍ସା ପ୍ରସ୍ତୁତ କରୁଥିଲା। ଯୁବଗୋଷ୍ଠୀଙ୍କୁ ଉସୁକାଇବା ସହ ସେ ଲସ୍କର-ଇ-ତଇବା ପାଇଁ ସଦସ୍ୟ ନିଯୁକ୍ତି ଜାରି ରଖିଥିଲା।

ସମ୍ବନ୍ଧିତ ଖବର