ବିରୋଧ ପରେ ଛାତ୍ରୀମାନଙ୍କୁ ନିର୍ଦ୍ଧିଷ୍ଟ ରଙ୍ଗର ଅନ୍ତର୍ବସ୍ତ୍ର ପିନ୍ଧି ସ୍କୁଲକୁ ଆସିବା ପାଇଁ ଜାରି କରିଥିବା ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କଲେ ସ୍କୁଲ କର୍ତ୍ତୃପକ୍ଷ

ପୁଣେ (ମହାରାଷ୍ଟ୍ର): ପୁଣେର ମାୟର୍ସ ଏମ୍‌ଆଇଟି ବିଶ୍ୱଶାନ୍ତି ଗୁରୁକୂଳ ସ୍କୁଲ୍‌ କର୍ତ୍ତୃପକ୍ଷ ଛାତ୍ରୀମାନଙ୍କୁ ଏକ ନିର୍ଦ୍ଧିଷ୍ଟ ରଙ୍ଗର ଅନ୍ତର୍ବସ୍ତ୍ର ପିନ୍ଧି ସ୍କୁଲକୁ ଆସିବା ପାଇଁ ଜାରି କରିଥିବା ବିବାଦୀୟ ନିର୍ଦ୍ଦେଶନାମାକୁ ଆଜି (ଗୁରୁବାର) ପ୍ରତ୍ୟାହାର କରି ନେଇଛନ୍ତି। ସ୍କୁଲ ପକ୍ଷରୁ ଆଜି ପ୍ରକାଶ ପାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଏତଦ୍ୱାରା ଆମେ ଆମର ପୂର୍ବ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିନେଉଛୁ ଏବଂ ଆମର ନିର୍ଦ୍ଦେଶନାମା ଅଭିଭାବକ ତଥା ଛାତ୍ରୀମାନଙ୍କ ମନରେ ଦୁଃଖ ପହଞ୍ଚାଇ ଥିବାରୁ ସେଥିପାଇଁ ଆମେ ଦୁଃଖ ପ୍ରକାଶ କରୁଛୁ। ଏପରି ନିର୍ଦ୍ଦେଶନାମା ଜାରି କରି କାହାରି ମନରେ କୌଣସି ପ୍ରକାରର ଆଘାତ ସୃଷ୍ଟି କରିବା ଆମର ଅଭିପ୍ରାୟ ନଥିଲା କିମ୍ବା ଏହି ନିର୍ଦ୍ଦେଶନାମା ଜାରି ପଛରେ ସ୍କୁଲ କର୍ତ୍ତୃପକ୍ଷଙ୍କର କୌଣସି ପ୍ରକାରର ଅନ୍ୟ ଉଦ୍ଦେଶ୍ୟ କିମ୍ବା ଲୁକ୍କାୟିତ ଅଭିସନ୍ଧି ନଥିଲା।


ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ମାୟର୍ସ ଏମ୍‌ଆଇଟି ବିଶ୍ୱଶାନ୍ତି ଗୁରୁକୂଳ ସ୍କୁଲ୍‌ କର୍ତ୍ତୃପକ୍ଷ ପୂର୍ବରୁ ଏକ ନିର୍ଦ୍ଦେଶନାମା ଜାରି କରି ଛାତ୍ରୀମାନଙ୍କୁ କେବଳ ଧଳା କିମ୍ବା ଚର୍ମ (ସ୍କିନ୍‌) ରଙ୍ଗର ଅନ୍ତର୍ବସ୍ତ୍ର ପିନ୍ଧି ସ୍କୁଲକୁ ଆସିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ, ସ୍କୁଲ ପକ୍ଷରୁ ଏହି ନିର୍ଦ୍ଦେଶନାମା ମିଳିବା ପରେ ଏହାକୁ ନେଇ ସ୍କୁଲର ଛାତ୍ରୀ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ସ୍କୁଲ କର୍ତ୍ତୃପକ୍ଷଙ୍କ ଏପ୍ରକାରର ନିର୍ଦ୍ଦେଶନାମାକୁ ବିରୋଧ କରି ଅଭିଭାବକମାନେ ଗତ ବୁଧବାର ସ୍କୁଲ ଗେଟ୍‌ ସମ୍ମୁଖରେ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରିଥିଲେ। ଏହାପରେ ଆଜି ସ୍କୁଲ କର୍ତ୍ତୃପକ୍ଷ ପୂର୍ବରୁ ଜାରି ନିର୍ଦ୍ଦେଶନାମାକୁ ଆଜି ପ୍ରତ୍ୟାହାର କରି ନେଇଛନ୍ତି।

ସମ୍ବନ୍ଧିତ ଖବର