ଋଷିଆ ସମ୍ବିଧାନରେ ବଡ଼ ଧରଣର ସଂସ୍କାର ଘୋଷଣା କଲେ ରାଷ୍ଟ୍ରପତି ପୁଟିନ, ପ୍ରଧାନମନ୍ତ୍ରୀ ମାଦଭେଦେଭଙ୍କ ଇସ୍ତଫା ସହ ମନ୍ତ୍ରିମଣ୍ଡଳ ଭଙ୍ଗ

ମସ୍କୋ : ଋଷିଆରେ ଆଜି ଏକ ନଟକୀୟ ରାଜନୈତିକ ଘଟଣା ଦେଖିବାକୁ ମିଳିଛି । ଦେଶର ସମ୍ବିଧାନରେ ବ୍ୟାପକ ସଂସ୍କାର ଆଣିବାକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି । ଏହି ଘୋଷଣାର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ଦିମିତ୍ରି ମାଦଭେଦେଭ ଇସ୍ତଫା ଦେବା ସହ ମନ୍ତ୍ରିମଣ୍ଡଳକୁ ଭାଙ୍ଗି ଦେଇଛନ୍ତି । ଆଜି ପୁଟିନ ଏକ ଟେଲିଭିଜନ ଭାଷଣ ଦେଇ ଦେଶର ସମ୍ବିଧାନ, କାର୍ଯ୍ୟପାଳିକା, ନ୍ୟାୟପାଳିକା ଓ ବ୍ୟବସ୍ଥାପିକାରେ ବ୍ୟାପକ ସଂସ୍କାର ଆଣିବା ବିଷୟରେ ଘୋଷଣା କରିଥିଲେ । ତେବେ ଏହି ପ୍ରସ୍ତାବିତ ସଂସ୍କାର ଲାଗୁ ହେବା ପରେ ସଂସଦର କ୍ଷମତା ବଢିବା ସହ ରାଷ୍ଟ୍ରପତିଙ୍କ କ୍ଷମତା କିଛିଟା କମିବାର ସମ୍ଭାବନା ରହିଛି ।

ଏହି ଘୋଷଣାର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ମାଦଭେଦେଭ ନିଜେ ଇସ୍ତଫା ଦେବା ସହ ମନ୍ତ୍ରିମଣ୍ଡଳକୁ ଭାଙ୍ଗି ଦେଇଥିଲେ । ତେବେ ପରବର୍ତ୍ତି ସରକାର କାର୍ଯ୍ୟଭାର ଗ୍ରହଣ କରିବା ପର୍ଯ୍ୟନ୍ତ ନିଜ ପଦରେ ରହିବାକୁ ପୁଟିନ ମାଦଭେଦେଭଙ୍କୁ ଅନୁରୋଧ କରିଛନ୍ତି । ନୂଆ ସରକାରରେ ଉଭୟ ପୁଟିନ ଓ ମାଦଭେଦେଭଙ୍କ କ୍ଷମତା ବଢିବାର ସମ୍ଭାବନା ରହିଛି । ପୁଟିନ ଓ ମାଦଭେଦେଭ ନବଗଠିତ ଋଷିଆର ନିରାପତ୍ତା ପରିଷଦର ଯଥାକ୍ରମେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ହେବାର ସମ୍ଭାବନା ରହିଛି । ଏହି ପରିଷଦ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ମାମଲାରେ ପରାମର୍ଶ ଦେବ ।

ଋଷିଆରେ ଆସନ୍ତା ୨୦୨୧ରେ ନିର୍ବାଚନ ହେବାକୁ ଯାଉଛି । ଏବେ ଶାସନ କରୁଥିବା ପୁଟିନଙ୍କ ମିଳିତ ଋଷିଆ ଦଳର ଲୋକପ୍ରିୟତା ହ୍ରାସ ପାଉଥିବାରୁ ପୁଟିନ ଏହି ସଂସ୍କାର ଘୋଷଣା କରିଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର