୨୦୧୪ରେ ବୋମା ଥିବା ଯାତ୍ରୀବାହୀ ବିମାନକୁ ଗୁଳିକରି ଖସାଇ ଦେବାକୁ ଆଦେଶ ଦେଇଥିଲେ ପୁଟିନ୍‌

ମସ୍କୋ: ସୋଚି ଠାରେ ଅନୁଷ୍ଠିତ ଶୀତକାଳୀନ ଅଲିମ୍ପିକ୍‌ କ୍ରୀଡ଼ାର ଉଦ୍‌ଘାଟନୀ ସମାରୋହରେ ଆକ୍ରମଣ କରିବା ନିମନ୍ତେ ବୋମା ରଖାଯାଇଛି ବୋଲି ଖବର ମିଳିଥିବା ଏକ ଯାତ୍ରୀବାହୀ ବିମାନକୁ ଗୁଳିକରି ଖସାଇ ଦେବାକୁ ୨୦୧୪ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଆଦେଶ ଦେଇଥିଲେ। ଏ କଥା ରବିବାର ଦିନ ପ୍ରଦର୍ଶୀତ ଏକ ସିନେମାରେ ସେ କହିଛନ୍ତି।

ରୁଷୀୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ‘ପୁଟିନ୍‌’ ନାମକ ଏକ ଦୁଇ ଘଣ୍ଟିଆ ପ୍ରାମାଣିକ ଚଳଚ୍ଚିତ୍ରରେ ପୁଟିନ୍‌ ସାମ୍ବାଦିକ ଆନ୍ଦ୍ରେ କୋନ୍ଦ୍ରାସୋଭଙ୍କୁ କହିଛନ୍ତି ଯେ ୨୦୧୪ ମସିହା ଫେବ୍ରୁଆରି ୭ ତାରିଖ ଅର୍ଥାତ୍‌ ଉଦ୍‌ଘାଟନୀ ଉତ୍ସବ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ସୋଚି ଅଲିମ୍ପିକ୍‌ ସୁରକ୍ଷା ଦାୟିତ୍ୱରେ ଥିବା ନିରାପତ୍ତା ଅଧିକାରୀଙ୍କ ଠାରୁ ସେ ଫୋନ୍‌ କଲ୍‌ ପାଇଥିଲେ।

ସିନେମାରେ ପୁଟିନ୍‌ କହିଛନ୍ତି: ମୋତେ କୁହାଗଲା ୟୁକ୍ରେନ୍‌ରୁ ଇସ୍ତାନ୍‌ବୁଲ୍‌ ଯାଉଥିବା ଗୋଟାଏ ଉଡ଼ାଜାହାଜକୁ ଅପହରଣ କରାଯାଇଛି, ଅପହରଣକାରୀମାନେ ସୋଚିରେ ଅବତରଣ କରିବାକୁ ଚାହୁଁଛନ୍ତି।

ତୁର୍କୀର ପେଗାସସ୍‌ ଏୟାର୍‌ଲାଇନ୍‌ସ୍‌ ବୋଇଙ୍ଗ୍‌ ୭୩୨-୮୦୦ ବିମାନର ପାଇଲଟ୍‌ମାନେ ଖାର୍‌କିଭ୍‌ରୁ ଇସ୍ତାନବୁଲ୍‌ ଯାଉଥିବାବେଳେ ରିପୋର୍ଟ କଲେ କି, ଜଣେ ଯାତ୍ରୀଙ୍କ ପାଖରେ ବୋମା ଅଛି ତେଣୁ ବିମାନର ଗତିପଥ ବଦଳାଇ ସୋଚିକୁ ଯିବାକୁ ପଡୁଛି ବୋଲି କୋନ୍ଦ୍ରାସୋଭ୍‌ ଚଳଚ୍ଚିତ୍ରରେ କହିଛନ୍ତି।

ବିମାନରେ ୧୧୦ ଜଣ ଯାତ୍ରୀ ଥିବାବେଳେ ଉଦ୍‌ଘାଟନୀ ସମାରୋହ ଦେଖିବା ପାଇଁ ୪୦, ୦୦୦ ଲୋକ ଏକତ୍ର ହୋଇଥିଲେ।
ପୁଟିନ୍‌ ନିରାପତ୍ତା ଅଧିକାରୀଙ୍କ ମତାମତ ଲୋଡ଼ିବାରୁ ସେମାନେ କହିଲେ ଏ କ୍ଷେତ୍ରରେ ବିମାନଟିକୁ ଗୁଳି କରି ଖସାଇ ଦେବା ଉଚିତ।
ପୁଟିନ୍‌ କହିଲେ, ଯୋଜନା ଅନୁସାରେ କାମ କର। ଏ କଥା କହିବାର ଅଳ୍ପ ସମୟ ପରେ ଇଣ୍ଟର୍‌ନେସ୍‌ନାଲ୍‌ ଅଲିମ୍ପିକ୍‌ କମିଟି କାର୍ଯ୍ୟକର୍ତ୍ତାଙ୍କ ସହ ସେ ଅଲିମ୍ପିକ୍‌ ଭେନ୍ୟୁରେ ପହଞ୍ଚିଥିଲେ।

କିଛି ମିନିଟ ପରେ ପୁଟିନ୍‌ ଆଉ ଏକ ଫୋନ୍‌ କଲ୍‌ ପାଇଲେ ଯେ ବିମାନରେ ବୋମା ଥିବା କଥାଟି ମିଛ ଧମକାଣ। ଯାତ୍ରୀଜଣକ ମଦ୍ୟପାନ କରି ସେପରି କହିଥିଲେ। ବିମାନ ଏବେ ତୁର୍କୀ ଯାଉଛି।

ଚଳଚ୍ଚିତ୍ରର ବକ୍ତବ୍ୟ ସତ୍ୟ ବୋଲି ରବିବାର ଦିନ କ୍ରେମ୍‌ଲିନ୍‌ର ମୁଖପାତ୍ର ଡିମିତ୍ରି ପେସ୍‌କୋଭ୍‌ କହିଛନ୍ତି।

ସମ୍ବନ୍ଧିତ ଖବର