ପୁଟିନଙ୍କ ଚେତାବନୀ: ପରିସ୍ଥିତି ଭୟଙ୍କର ହେବ

ମସ୍କୋ: ସିରିୟାରେ ପୁଣିଥରେ ଆକ୍ରମଣ ହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଆଜି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦମୀର ପୁଟିନ୍‌ ଚେତାବନୀ ଦେଇଛନ୍ତି। ସିରିୟାରେ ପୁନଃ ଆକ୍ରମଣ କିମ୍ବା ଅତ୍ୟଧିକ କଟକଣା ବିଶ୍ୱ ବ୍ୟାପାରରେ ବିଶୃଙ୍ଖଳା ଆଣିବ ବୋଲି ପୁଟିନ୍‌ କହିଛନ୍ତି। ଇରାନ୍‌ ରାଷ୍ଟ୍ରପତି ହସନ୍‌ ରୁହାନୀଙ୍କ ସହ ଫୋନ୍‌ ଯୋଗେ ଏନେଇ ପୁଟିନ୍‌ ଆଲୋଚନା କରିଥିବା ଜଣାପଡ଼ିଛି। ବାରମ୍ବାର ପାଶ୍ଚାତ୍ୟ ଶକ୍ତିଙ୍କ ଏଭଳି ଆକ୍ରମଣ ସିରିୟା ପ୍ରସଙ୍ଗରେ ରାଜନୈତିକ ସମାଧାନର ବାଟ ବନ୍ଦ କରିଦେଉଥିବା ପୁଟିନ୍‌ ଓ ହସନ୍‌ କହିଛନ୍ତି। ପୁଟିନ୍‌ ଏହି ପ୍ରସଙ୍ଗରେ ଜୋର ଦେଇ କହିଛନ୍ତି ଯେ, ଏଭଳି ଆନ୍ତର୍ଜାତିକ ଆଇନ୍‌କୁ ଉଲ୍ଲଂଘନ କରି ସିରିୟା ଉପରେ ଆକ୍ରମଣ କରାଗଲେ ପରିସ୍ଥିିତି ନିଶ୍ଚିତଭାବରେ ଭୟାବହ ହେବ। ସିରିୟା ସରକାରଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ନହେଲେ ଆମେରିକା ଆହୁରି ଆକ୍ରମଣ କରିବାକୁ ପ୍ରସ୍ତୁତ ଥିବା ନେଇ ଗତକାଲି ଆମେରିକା ରାଷ୍ଟ୍ରଦୂତ ନିକ୍କି ହାଲି ଜାତିସଂଘରେ କହିଥିଲେ। ଏହା ସହିତ ସିରିୟାର ଡାମାସ୍‌କସ୍‌ ଓ ହୋମ୍ସ ସହର ଉପରେ ଆକ୍ରମଣ ପରେ ରାଷ୍ଟ୍ରପତି ବସର-ଅଲ୍‌-ଅସଦ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଆମେରିକା ପ୍ରଶାସନ ରୁଷୀୟ କମ୍ପାନୀ ଗୁଡ଼ିକ ଉପରେ କଟକଣା ଲାଗୁ କରିବାକୁ ଯାଉଛନ୍ତି। ତେବେ ଆମେରିକାର ସମସ୍ତ କଟକଣାକୁ ସାମ୍ନା କରିବାକୁ ରୁଷ୍‌ ପ୍ରସ୍ତୁତ ଥିବା ନେଇ ଆଜି ଘୋଷଣା କରିଛି। ପୂର୍ବାଞ୍ଚଳ ଡୁମାରେ ସିରିୟା ସରକାରଙ୍କ ରସାୟନିକ ଆକ୍ରମଣ ପରେ ଏହାକୁ ବିରୋଧ କରି ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକ ରାଷ୍ଟ୍ରପତି ବସର-ଅଲ୍‌ ଅସଦ ସରକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏକଜୁଟ ହୋଇଛନ୍ତି।
ଆଜି ସିରିୟାରେ ରୁଷ୍‌ର ଉପ ବୈଦେଶିକ ବ୍ୟାପାରମନ୍ତ୍ରୀ ଫୈଜଲ ମ୍ୟାକ୍‌ଦାଦ୍‌ ବିଶ୍ୱ ରସାୟନିକ ଅସ୍ତ୍ରଶସ୍ତ୍ର ନିରୀକ୍ଷଣ ସଂସ୍ଥାର ଅଧିକାରୀଙ୍କୁ ଭେଟି ଆକ୍ରମଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଉଭୟ ରୁଷିଆ ଓ ସିରିୟା ସରକାର କୌଣସି ପ୍ରକାର ରସାୟନିକ ଅସ୍ତ୍ରଶସ୍ତ୍ରର ବ୍ୟବହାର ହୋଇନଥିବା ନେଇ ମତପ୍ରକାଶ କରିଥିବା ବେଳେ କେବଳ ଚାପ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପଶ୍ଚିମ ରାଷ୍ଟ୍ରଙ୍କୁ ଉସୁକାଇ ଆମେରିକା ଏଭଳି ପଦକ୍ଷେପ ନେଉଥିବା ସେମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର