କୋଚି ବିମାନ ବନ୍ଦରରେ ଏକ ବଡ଼ ଧରଣର ଅଘଟଣକୁ ସାମନା କରିବା ପୂର୍ବରୁ ଅଳ୍ପକରେ ବର୍ତ୍ତିଗଲା କତାର୍‌ ଏୟାରେଓ୍ଵଜ୍‌ର ବିମାନ; ସୁରକ୍ଷିତ ରହିଗଲେ ୩୦୬ ଯାତ୍ରୀ

କୋଚି: କତାର୍‌ ଏୟାରେଓ୍ଵଜ୍‌ର ଏକ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଆଜି ଅପରାହ୍ଣରେ ଏକ ବଡ଼ ଧରଣର ଅଘଟଣକୁ ସାମନା କରିବା ପୂର୍ବରୁ ଅଳ୍ପକରେ ବର୍ତ୍ତି ଯାଇଛି ଏବଂ ବିମାନରେ ଥିବା ସମସ୍ତ ୩୦୬ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, କତାର୍‌ ଏୟାରେଓ୍ଵଜ୍‌ର ଏକ ଯାତ୍ରୀବାହୀ ବିମାନ ୩୦୬ ଜଣ ଯାତ୍ରୀଙ୍କୁ ଧରି ଦୋହାରୁ କୋଚି ଅଭିମୁଖେ ଆସୁଥିଲା। ତେବେ, କୋଚି ବିମାନ ବନ୍ଦରରେ ଅପରାହ୍ଣ ୨ଟା ୧୯ ମିନିଟ ସମୟରେ ବିମାନଟି ଅବତରଣ କରିବାକୁ ଯାଉଥିବା ବେଳେ ହଠାତ୍‌ କିଛି ସେକେଣ୍ଡ ମଧ୍ୟରେ କୋଚି ଚବିମାନ ବନ୍ଦରରେ ପାଗ ସଂପୂର୍ଣ୍ଣ ଖରାପ ହୋଇପଡ଼ିଥିଲା। କଳାବାଦଲ ଆକାଶକୁ ଢ଼ାଙ୍କି ପ୍ରବଳ ବର୍ଷା ସହ ପବନ ମଧ୍ୟ ଆରମ୍ଭ ହୋଇଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ବିମାନ ବନ୍ଦରର ରନ୍‌େଓ୍ଵ ମଧ୍ୟ ଦୃଷ୍ଟିଗୋଚର ହେଉ ନଥିଲା।


ତେବେ, ବିମାନର ପାଇଲଟ୍‌ ବିମାନଟିର ଅବତରଣ ପ୍ରକ୍ରିୟା ଆରମ୍ଭ କରି ଦେଇଥିବାରୁ ବିମାନଟିକୁ ଅବତରଣ କରାଇବା ବ୍ୟତୀତ ତାଙ୍କ ନିକଟରେ ଅନ୍ୟ କୌଣସି ଦ୍ୱିତୀୟ ବିକଳ୍ପ ନଥିଲା। ଏପରିସ୍ଥିତିରେ ବିମାନର ପାଇଲଟ୍‌ ଅତ୍ୟନ୍ତ ସାବଧାନତା ସହିତ ବିମାନଟିକୁ ରନ୍‌େଓ୍ଵ ଉପରେ ଅବତରଣ କରାଇବାକୁ ଉଦ୍ୟମ କରୁଥିବା ବେଳେ ବର୍ଷା ଯୋଗୁଁ ରନ୍‌େଓ୍ଵ ଦେଖାନଯିବା କାରଣରୁ ବିମାନଟି ରନ୍‌େଓ୍ଵ ମଝିରେ ଅବତରଣ ନକରି ରନ୍‌େଓ୍ଵର ଗୋଟିଏ କଡ଼କୁ ଅବତରଣ କରି ରନ୍‌େଓ୍ଵ ତଳକୁ ଚାଲିଯାଇ ଥିଲା। ତେବେ, ପାଇଲଟ୍‌ ବିମାନର ଜରୁରିକାଳୀନ ବ୍ରେକ୍‌ ପ୍ରୟୋଗ କରି ବିମାନଟିକୁ ସେଇଠି ଅଟକାଇ ଦେବାରୁ ଏକ ବଡ଼ ଧରଣର ଅଘଟଣ ଘଟିବା ପୂର୍ବରୁ ବିମାନଟି ରକ୍ଷା ପାଇ ଯାଇଥିଲା।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଚଳିତ ସପ୍ତାହ ଆରମ୍ଭରେ ମୁମ୍ବାଇ ବିମାନ ବନ୍ଦରରେ ଏୟାର ଇଣ୍ଡିଆର ଗୋଟିଏ ବିମାନ ଅବତରଣ କରିବାକୁ ଯାଉଥିବା ବେଳେ ପ୍ରବଳ ବର୍ଷା କାରଣରୁ ରନ୍‌େଓ୍ଵ ଉପରୁ ତଳକୁ ଖସି ଯାଇଥିଲା।

ସମ୍ବନ୍ଧିତ ଖବର