ବ୍ରିଟେନ ରାଣୀ ଏଲିଜାବେଥଙ୍କ ଦରମା ବଢିଲା

ଲଣ୍ଡନ : ବ୍ରିଟେନର ରାଣୀ ଏଲିଜାବେଥ-୩ୟ ଙ୍କ ଦରମା ବଢିଯାଇଛି । ଆଶ୍ଚର୍ଯ୍ୟ ହେଲେ ମଧ୍ୟ ଏହା ସତ୍ୟ । ବ୍ରିଟିଶ ସରକାର ରାଣୀଙ୍କୁ ଏକ ରାଜକୀୟ ଭତ୍ତା ପ୍ରଦାନ କରନ୍ତି । ଏଥିରେ ରାଣୀ ନିଜର ନିତିଦିନିଆ ଖର୍ଚ୍ଚ, ଗ୍ରସ୍ତ ଖର୍ଚ୍ଚ ଆଦି ଭରଣା କରନ୍ତି । ପୂର୍ବରୁ ଏହା ବାର୍ଷିକ ୪୧.୯ ନିୟୁତ ଡଲାର ଥିବାବେଳେ ଏବେ ତାହାକୁ ୧୩ ପ୍ରତିଶତ ବୃଦ୍ଧି କରି ୪୭.୪ ନିୟୁତ ଡଲାର କରାଯାଇଛି । ରାଣୀ ରହୁଥିବା ପ୍ରସିଦ୍ଧ ବକିଂହାମ ପ୍ୟାଲେସର ମରାମତି ଓ ଆଧୁନିକୀକରଣ ପାଇଁ ବ୍ରିଟିଶ ସରକାର ଏହି ଭତ୍ତା ବଢାଇଛନ୍ତି । ଏହି ମରାମତି ଓ ଆଧୁନିକୀକରଣ କାମ ପାଇଁ ମୋଟ ୩୬୯ ନିୟୁତ ପାଉଣ୍ଡ ବ୍ୟୟ ଅଟକଳ କରାଯାଇଛି । ଏହି ବର୍ଦ୍ଧିତ ଅର୍ଥରେ ପର୍ଯ୍ୟାୟକ୍ରମେ ଏହି କାମ କରାଯିବ । ଆସନ୍ତା ବର୍ଷ ଏପ୍ରିଲ ମାସଠାରୁ ଏହି ଆଧୁନିକୀକରଣ କାମ ଆରମ୍ଭ ହେବ । ଏଠାରେ ସୂଚନାଯୋଗ୍ୟ ଯେ ରାଣୀ ରହୁଥିବା ବକିଂହାମ ପ୍ୟାଲେସ ହେଉଛି ବ୍ରିଟିଶ ସରକାରଙ୍କ ସଂପତ୍ତି । ପ୍ରାୟ ୩୦୦ ବର୍ଷ ତଳେ ରାଜା ଜର୍ଜ ୩ୟ ଏହାକୁ ବ୍ରିଟିଶ ପାର୍ଲିଆମେଣ୍ଟକୁ ଦାନ କରିଦେଇଥିଲେ । ତେବେ ଏହାର ଅର୍ଥ ନୁହେଁ ଯେ ରାଣୀ କେବଳ ସରକାରଙ୍କ ଦରମାରେ ଚଳୁଛନ୍ତି । ପ୍ରକୃତ କଥା ହେଉଛି, ବ୍ରିଟେନର ରାଣୀ ହେଉଛନ୍ତି ବିଶ୍ୱର ଅନ୍ୟତମ ଧନୀ ମହିଳା । ତାଙ୍କର ମୋଟ ସଂପତ୍ତିର ପରିମାଣ ୫୧୫ ନିୟୁତ ପାଉଣ୍ଡ । ରାଜପରିବାର ମାଲିକାନାରେ ଇଂଲାଣ୍ଡ ଓ ବିଶ୍ୱର ବିଭିନ୍ନ ସ୍ଥାନରେ ଅନେକ ସଂପତ୍ତି ରହିଛି । ସେସବୁ ସୁତ୍ରରୁ ଆସୁଥିବା ଆୟ ମଧ୍ୟ ରାଣୀ ପାଆନ୍ତି ।

ସମ୍ବନ୍ଧିତ ଖବର